ତାରାଙ୍କ ସମର୍ଥନରେ ବିଜେଡି, ନଇଁଲା ଶାସକ ଦଳ

ଭୁବନେଶ୍ୱର : ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବାହାରିଛି ବିଜେଡି। ତାରାଙ୍କ ନିଲମ୍ବନକୁ ଘୋର ବିରୋଧ କରିଛି ବିଜେଡି। ନିଲମ୍ବନ ପ୍ରତ୍ୟାହାର ପାଇଁ ବାଚସ୍ପତିଙ୍କୁ ଭେଟିଛନ୍ତି ବିଜେଡି ବିଧାୟକ।
ଅନ୍ୟପକ୍ଷରେ ବିଜେଡି କଂଗ୍ରେସ ସପକ୍ଷରେ ବାହାରିବା ଦେଖି ନଇଁଛି ଶାସକ ଦଳ। କଂଗ୍ରେସକୁ ବୁଝାଶୁଝା କରିଛି ଶାସକ ଦଳ। ଗୃହ ପରିତ୍ୟାଗ କରିଥିବା କଂଗ୍ରେସ ସଦସ୍ୟଙ୍କୁ ଗୃହକୁ ଫେରାଇ ଆଣିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଝାଶୁଝା କରିଛନ୍ତି। 

ଗୃହରେ ଦୁଇ ବିଧାୟକ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ହାତାହାତି ହୋଇଥିଲେ।  ଏନେଇ ବିଶୃଙ୍ଖଳିତ ଆଚରଣ ପାଇଁ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍‌ପେଣ୍ଡ କରାଯାଇଛି। ବିଧାନସଭାରେ କାଲି ବାଚସ୍ପତିଙ୍କ ପୋଡ଼ିୟମ ମାଇକ ଭାଙ୍ଗି ଗୃହରେ ହଙ୍ଗାମା କରିଥିଲେ। ଏନେଇ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ଉପରେ କାଉଣ୍ଟର କରିଥିଲେ ତାରା । ତାରା କହିଛନ୍ତି, ଓଡ଼ିଶାକୁ ଭାଗ ଭାଗ କରିବା କ’ଣ ଓଡ଼ିଆ ଅସ୍ମିତା? ସେ ଓଡ଼ିଶାକୁ ଭାଗ କଲା ଭଳି ପ୍ରତିକ୍ରିୟା ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ ତା’ପରେ ଉତ୍ତରାଞ୍ଚଳ ଏହି ପରି ଭାବେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ବୋଲି ତାରା ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ। ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି, ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ ସେ ଆଉ ଏପରି ମନ୍ତବ୍ୟ ଦେବେ ନାହିଁ। ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠାଇଥିବା ଲୋକ ଯିଏ କି ତାଙ୍କୁ ଆଜି ଦଳ ଅଣଦେଖା କରୁଛି ବୋଲି ତାରା ତାଙ୍କୁ ତାତ୍ସଲ୍ୟ କରି କହିଥିଲେ।