ଦିଲ୍ଲୀରେ ପୁଣି ଘାତକ ବାୟୁ ପ୍ରଦୂଷଣ : ଏକ୍ୟୁଆଇ ୪ଶହ ଟପିଲା
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଘାତକ ହୋଇଛି ବାୟୁ ପ୍ରଦୂଷଣ । ଆଜି ସକାଳୁ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରକୁ ଆସିଛି । ଦିଲ୍ଲୀ ଅନେକ ଅଞ୍ଚଳରେ ଏହି ବାୟୁ ପ୍ରଦୂଷଣ ଜାରି ରହିଛି । ବେଶୀ ପ୍ରଭାବିତ ହୋଇଛି ୱାଜିରପୁର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) କହିଛିଯେ, ରବିବାର ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ବର୍ଗକୁ ଖସି ଆସିଛି । ଘନ କୁହୁଡ଼ି ଓ କମ୍ ପବନର ବେଗ ପ୍ରଦୂଷଣ ରୋକିବାରେ ବାଧା ସୃଷ୍ଟି କରିଛି । ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ‘ଗମ୍ଭୀର' ସୀମା ଅତିକ୍ରମ କରି ୪ ଶହ ଟପିଛି ।
ସିପିସିବି ଦ୍ୱାରା ବିକଶିତ ସମୀର ଆପ୍ ଅନୁଯାୟୀ, ସକାଳ ୭ଟାରେ ଏକ୍ୟୁଆଇ ୩୭୭ ଥିଲା, ଯାହା ଶନିବାରର ୨୩୩ ଓ ଶୁକ୍ରବାରର ୨୧୮ ତୁଳନାରେ ଏକ ବଡ଼ ବୃଦ୍ଧି । ଉତ୍ତର ଦିଲ୍ଲୀର ୱାଜିରପୁର ଓ ଦକ୍ଷିଣ ଦିଲ୍ଲୀର ଆରକେପୁରମ୍ ଯଥାକ୍ରମେ ୪୩୨ ଓ ୪୨୫ ସହିତ ସହରର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ଥିଲା । ବୁରାରୀ (୪୧୨), ବାୱାନା (୪୧୩), ଦ୍ୱାରକା ସେକ୍ଟର-୮ (୪୦୭), ଜାହାଙ୍ଗୀରପୁରୀ (୪୦୨), ମୁଣ୍ଡକା (୪୦୪), ନେହରୁ ନଗର (୪୦୩), ପଞ୍ଜାବୀ ବାଗ (୪୦୩), ପୁସା (୪୦୪), ଚାନ୍ଦିନୀ ଚୌକ (୪୧୪), ରୋହିଣୀ (୪୧୫), ସିରି ଫୋର୍ଟ (୪୦୩) ଏବଂ ବିବେକ ବିହାର (୪୦୭) ଭଳି ଅନେକ ଅଞ୍ଚଳ ଏକ୍ୟୁଆଇ ‘ଗମ୍ଭୀର' ବର୍ଗକୁ ଖସି ଆସିଛି । ତଥ୍ୟ ଅନୁଯାୟୀ କେବଳ ତିନୋଟି ଅଞ୍ଚଳ ଏନଏସଆଇଟି ଦ୍ୱାରକା (୨୫୪), ଆଇଏଚବିଏଏସ, ଦିଲଶାଦ ଗାର୍ଡେନ (୨୭୦) ଓ ଦିଲ୍ଲୀ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (୨୯୨) ‘ନିରାପଦ' ବାୟୁ ଗୁଣବତ୍ତା ସ୍ତର ରେକର୍ଡ କରିଛି ।