ଶପଥ ନେଲେ କାମଚଳା ବାଚସ୍ପତି: ଦିଲ୍ଲୀ ବିଧାନସଭାର ୩ ଦିନିଆ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ଦିଲ୍ଲୀରେ ଭାଜପାର ନୂଆ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନ ୩ ଦିନ ଧରି ଚାଲିବ।

ଅଧିବେଶନର ପ୍ରଥମ ଦିନରେ କାମଚଳା ବାଚସ୍ପତି ଭାବେ ଅରବିନ୍ଦର ସିଂ ଲଭଲି ଶପଥ ନେଇଛନ୍ତି। ଲେଫ୍ଟନାଣ୍ଟ ରାଜ୍ୟପାଳ ଭିକେ ସାକ୍ସେନା ତାଙ୍କୁ ଶପଥ ପାଠ କରାଇଥିଲେ। ବାଚସ୍ପତିଙ୍କ ଶପଥ ଗହଣ ପରେ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଉପମୁଖ୍ୟମନ୍ତ୍ରୀ ପରଭେଶ ବର୍ମା ମଧ୍ୟ ଶପଥ ନେଇଥିଲେ।

ସୂଚନା ଯୋଗ୍ୟ, ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲ୍‌ଜି) ଭିକେ ସାକ୍ସେନା ଫେବୃଆରୀ ୨୫ରେ ବିଧାନସଭାକୁ ସମ୍ବୋଧିତ କରିବେ, ପରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯିବ ଜଣାପଡିଛି।ଅନ୍ୟପକ୍ଷେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କାଲକାଜି ବିଧାୟିକା ଆତିଶୀଙ୍କୁ ବିଧାନସଭାର ବିରୋଧୀ ଦଳ ନେତା ମନୋନୀତ କରାଯାଇଛି। ରବିବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକମାନଙ୍କ ବୈଠକ ବସି ଆତିଶୀଙ୍କୁ ବିରୋଧୀ ଦଳ ନେତା ନିଯୁକ୍ତ କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ୨୨ ନବନିର୍ବାଚିତ ବିଧାୟକଙ୍କ ସହ ଆପ୍‌ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଉପସ୍ଥିତ ଥିଲେ। ବିରୋଧୀ ଦଳ ନେତ୍ରୀ ମନୋନୀତ ହେବା ପରେ ଆତିଶୀ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେବା ଅବସରରେ କେଜ୍‌ରିଓ୍ବାଲ ଏବଂ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଧାନସଭାରେ ସମସ୍ତ ପ୍ରସଙ୍ଗରେ ଆପ୍‌ ପୂରା ଦମ୍‌ରେ ଏକ ଦୃଢ଼ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି।