ଦେଶଦ୍ରୋହ ସଙ୍ଗେ ସମାନ


ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହେଉଥିବାର ଖବର ବିଭିନ୍ନ ସମୟରେ ଲୋକଲୋଚନକୁ ଆସୁଛି । ବିଶେଷ କରି ବିଭିନ୍ନ ସେତୁ ନିର୍ମାଣ କ୍ଷେତ୍ରରେ ସ୍ପାନ୍ ଭୁଶୁଡ଼ିବା, ପିଲାର୍ ଦବିଯିବା ଭଳି ଘଟଣା ଶୁଣିବାକୁ ମିଳେ । ଏବେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ବିହାରରେ ଏକ ନିର୍ମାଣଧୀନ ପୋଲ ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ିଯାଇଛି । ଏହା ହେଉଛି ଗତ ସପ୍ତାହର ଘଟଣା । 
ଆରରିୟା ଜିଲ୍ଲା ବକରା ନଦୀ ଉପରେ ନିର୍ମିତ ଏହି ପୋଲ ଗତ ୧୩ ବର୍ଷରେ ୩ ଥର ନିର୍ମାଣ କରାଗଲାଣି । ତୃତୀୟ ଥର ପାଇଁ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପୋଲର ୩ଟି ଖମ୍ବ ନଦୀ ଜଳରେ ଭାସିଯାଇଛି । ଏହି ଘଟଣାରେ  କେହି ମୃତାହତ ହୋଇନଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ହୋଇଛି ବୋଲି ମତ ପ୍ରକାଶ ପାଉଛି । ଗତ ୧୩ ବର୍ଷ ହେଲା ଏହି ପୋଲର ନିର୍ମାଣ କାର୍ଯ୍ୟ ଚାଲିଛି । ୧୩ ବର୍ଷ ଭିତରେ ୨ ଥର ଏହି ପୋଲ ଭୁଶୁଡ଼ି ସାରିଛି । ତେବେ ତୃତୀୟଥର ପାଇଁ ନଦୀଜଳରେ ପୋଲର ପିଲାର ଭାସିଗଲା । ଏଭଳି ଏକ ଘଟଣା ପାଇଁ ପୋଲ ତିଆରି କରିଥିବା କଣ୍ଟ୍ରାକ୍ଟର୍ ଦାୟୀ ବୋଲି ସରକାରୀ ଭାବରେ କୁହାଯାଉଛି । ପୋଲ ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀ ମଧ୍ୟ କଣ୍ଟ୍ରାକ୍ଟରଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ସ୍ପଷ୍ଟ ଭାବେ ମତ ଦେଇଛନ୍ତି । ତେବେ ଏହି ନଦୀରେ ଯେତେବେଳେ ଜଳ ପ୍ରବାହର ପରିମାଣ ବୃଦ୍ଧି ପାଇବା ପରେ ପିଲାର୍ ଗୁଡ଼ିକ ଦବିଲା ଏବଂ ଭୁଶୁଡି ପଡ଼ିଲା । ଏଭଳି ଘଟଣା ଗୁଡ଼ିକରେ ସଂପୃକ୍ତ ବିଭାଗର କର୍ମଚାରୀଙ୍କର ମଧ୍ୟ ସଂପୃକ୍ତି ଅଛି । ନିମ୍ନମାନର କାମକୁ ନେଇ ବିଭାଗୀୟ କର୍ମଚାରୀମାନଙ୍କର ଆଭିମୁଖ୍ୟ ଏବଂ କାର୍ଯ୍ୟକଳାପ ସବୁବେଳେ ସନେ୍ଦହର ପରିସର ଭିତରକୁ ଆସୁଛି । ରାଷ୍ଟ୍ରର ନିର୍ମାଣ କ୍ଷେତ୍ରରେ ଅନେକ ବଡ଼ ବଡ଼ ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଉଚ୍ଚମାନର ସହିତ ସମ୍ପୂର୍ଣ୍ଣ ହେବାର ଆବଶ୍ୟକତା ରହିଛି । କିନ୍ତୁ ବହୁ କ୍ଷେତ୍ରରେ ଦେଖାଯାଉଛି ଯେ ମାନର କୌଣସି ମୂଲ୍ୟ ନାହିଁ ଏବଂ ସମୟର ମଧ୍ୟ କିଛି ସୀମା ନାହିଁ । ଏହା ଫଳରେ ନିର୍ମାଣ ଖର୍ଚ୍ଚ ବଢ଼ି ବଢ଼ି ଚାଲୁଛି । ପ୍ରତିବର୍ଷ ନିର୍ମାଣ ଖର୍ଚ୍ଚରେ ବ୍ୟୟ କରାଯାଇଥିବା ଅର୍ଥ ଉପରେ ସୁଧର ପରିମାଣ ମଧ୍ୟ ବଢ଼ି ବଢ଼ି ଚାଲିଛି । କିନ୍ତୁ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ଏସବୁକୁ ଆଦୌ ଖାତିର୍ ନକରି କାର୍ଯ୍ୟର ମାନ ପ୍ରତି ଧ୍ୟାନ ଦେଉନାହାନ୍ତି ଏବଂ ପ୍ରକଳ୍ପ ଗୁଡ଼ିକରେ ତ୍ରୁଟି ରହୁଛି କିମ୍ବା ଦୁର୍ଘଟଣା ଘଟୁଛି । ନଦୀବନ୍ଧ ଯୋଜନା, ପୋଲ ଆଦି ପ୍ରକଳ୍ପ ଗୁଡ଼ିକରେ ଦୁର୍ନୀତି ହେଲେ ଏଥିରେ ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି । ସରକାରଙ୍କର ଶହ ଶହ କୋଟି ଟଙ୍କା ନଷ୍ଟ ହୋଇଯାଉଛି । ସରକାରୀ କର୍ମଚାରୀମାନଙ୍କର ଏ କ୍ଷେତ୍ରରେ ରାଷ୍ଟ୍ର ପ୍ରତି ଉତ୍ତରଦାୟିତ୍ୱ ରହିବା ସହିତ କାର୍ଯ୍ୟ କରୁଥିବା ଠିକାଦାର୍ମାନେ ମଧ୍ୟ ଦେଶ ପ୍ରତି ଅନୁରକ୍ତ ହେବା ଉଚିତ୍ । ଏ ପ୍ରକାରର ଦୁର୍ନୀତି ଗୁଡ଼ିକ ରାଷ୍ଟ୍ରଦ୍ରୋହ ସହିତ ସମାନ । ତେଣୁ ଏସବୁର ତଦନ୍ତ କ୍ଷେତ୍ରରେ କେବଳ ଦୁର୍ନୀତି ଉପରେ ଗୁରୁତ୍ୱ ନ ଦେଇ ରାଷ୍ଟ୍ରର କ୍ଷତି ଏବଂ ସାଧାରଣ ଲୋକଙ୍କର କ୍ଷତି ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ୍ । 
ପୋଲଟି ଉଦ୍ଘାଟନ ପୂର୍ବରୁ ଭାଙ୍ଗିଗଲା । ଯଦି ଉଦ୍ଘାଟନ ପରେ ଭାଙ୍ଗିଥାଆନ୍ତା ଏବଂ ଏହା ଉପରେ ସାଧାରଣ ଜନତାଙ୍କର ଚଳାଚଳ ଥାଆନ୍ତା, କ୍ଷତିର ପରିମାଣ କେତେଯେ ବଢ଼ିଥାଆନ୍ତା ତାହା କଳନା କରି ହେଉ ନାହିଁ । ପୋଲ ନିର୍ମାଣର ଖର୍ଚ୍ଚ ସହିତ ସରକାରଙ୍କୁ ଲୋକଙ୍କ ଧନଜୀବନର କ୍ଷତିପୂରଣ ମଧ୍ୟ ଦେବାକୁ ପଡ଼ିଥାନ୍ତା । ତେଣୁ ଏଭଳି ଘଟଣାର ତଦନ୍ତକୁ ଦେଶର ନିରାପତ୍ତା ଏବଂ ଦେଶଦ୍ରୋହ ଭଳି ଅପରାଧ ସହିତ ଯୋଡ଼ିଲେ ଭବିଷ୍ୟତରେ ଏ ପ୍ରକାରର କାର୍ଯ୍ୟ କରିବାକୁ କେହି ସାହସ କରିବେ ନା