ସମସ୍ୟା ନଥାଇ କି ଜୀବନ?
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ସମସ୍ୟା ନଥାଇ ଜୀବନ କି ଜୀବନ, ସେନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନରେ ସମସ୍ୟା ସମସ୍ତଙ୍କର ରହିଛି । କାହାର ସମସ୍ୟା ନାହିଁ-ଏ ସଂସାରରେ ଏପରି ମଣିଷଟେ କାହିଁ? ପ୍ରତିଟି ମଣିଷର ସମସ୍ୟା ଅଲଗା ଅଲଗା । ସମସ୍ୟାର ପ୍ରକାର ଭେଦ ନେଇ ଭିନ୍ନତା ନିଶ୍ଚିତ ଭାବରେ ରହିଥାଏ ।
ସବୁରି ଜୀବନରେ, ସମସ୍ତଙ୍କ ଜୀବନରେ ଗୋଟିଏ ସମସ୍ୟାର ସମାଧାନ ନ ହେଉଣୁ ଆଉ ଗୋଟିଏ ସମସ୍ୟା ଚାଲି ଆସେ । ଏହା ପ୍ରକୃତିର ନିୟମ ମଧ୍ୟ । କାରଣ ଆମ ଜୀବନ ସମସ୍ୟା ଭିତର ଦେଇ ହିଁ ସିଦ୍ଧି ଆଡ଼କୁ ଅଗ୍ରସର ହୋଇଥାଏ । ଆଉ ଅଧିକାଂଶ ସମସ୍ୟା ବାହାରର ନୁହେଁ, ଆମ ଭିତରେ ହିଁ ରହିଥାଏ । ଜୀବନର ସତ୍ୟତାକୁ ପ୍ରଥମେ ଭଲ ଭାବେ ବୁଝିବାକୁ ହିଁ ପଡ଼ିବ । ଜୀବନରେ ଯେଉଁମାନଙ୍କୁ ଆମେ ଉଦାହରଣ ରୂପେ ଦେଖୁଛୁ ବା ଆଦର୍ଶ ଭାବରେ ମଣୁଛୁ ସେମାନଙ୍କର ବି ଅନେକ ସମସ୍ୟା ରହିଛି । କାରଣ ସମସ୍ୟାବିହୀନ ମଣିଷ ଠିକ୍ ଗୋଟିଏ ଶବ ସଦୃଶ ।
ମଣିଷ ଜନ୍ମ ହେଲା ବେଳକୁ ଖାଲି ଆସେ । ହେତୁ ପାଇବା ପରେ ଶିକ୍ଷା, ଦୀକ୍ଷା ଲାଭ କରି କ୍ରମେ ପରିପକ୍ୱ ହେଲା ଏବଂ ପ୍ରତିଟି ଜିନିଷକୁ ନିଜର କରିବାକୁ ଚେଷ୍ଟା କରି କରି ଶେଷରେ ପୁଣି ସେହି ଖାଲି ହାତରେ ମୃତୁ୍ୟ ପଥର ଯାତ୍ରୀ ପାଲଟିଯାଏ । ସବୁ ମୋହ, ମାୟା, ଅହଙ୍କାରର ସ୍ୱତଃ ଅପମୃତୁ୍ୟ ପାଲଟି ଯାଏ ମଣିଷଟି ଦେହତ୍ୟାଗ କରିଦେଲା ପରେ । ଜୀବନର ଏହି ବାସ୍ତବ ସତ୍ୟକୁ ବୁଝିବାକୁ ଆମେ ଚେଷ୍ଟା କରୁନାହୁଁ । ଏହାକୁ ବୁଝିଲେ ଜୀବନ ବହୁତ ସରଳ ହୋଇ ଉଠିବ ନିଶ୍ଚୟ । ସମସ୍ୟା ସମସ୍ୟା ଚିକ୍ରାର କରିଲେ ସମସ୍ୟା ଦୂର ହେବ ନାହିଁ; ବରଂ ସମସ୍ୟା ଆଗରେ ନିଜକୁ ଧୈର୍ଯ୍ୟର ସହ ଛିଡ଼ା କରିବାକୁ ହେବ । ନିଜକୁ ସମସ୍ୟା ଠାରୁ ଅଧିକ ବଡ଼ କରି ତୋଳିବାକୁ ହେବ । ସମସ୍ୟା ଜୀବନ ଥିବା ପର୍ଯ୍ୟନ୍ତ ରହିବ, ଅଥଚ ସମସ୍ୟା କେବେ ସମାନ ହେବ ନାହିଁ ।
ମନେ ରଖନ୍ତୁ, ଜୀବନରେ ଆପଣଙ୍କ ସବୁ ସମସ୍ୟା କେବେ ମଧ୍ୟ ଦୂର ହୋଇପାରିବ ନାହିଁ । ଦୁନିଆରେ କାହାରି ହୋଇନି । ଜୀବନର ସତ୍ୟତା ଓ ବାସ୍ତବତାକୁ ସ୍ୱୀକାର କରନ୍ତୁ । ଜୀବନରେ ଅନୁଭବୀ ହୁଅନ୍ତୁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।