ଧର୍ମଶାଳା ଜଳ ବିଭାଜିକା ଦୁର୍ନୀତି ଜଳଜଳ; ତଥାପି ତଦନ୍ତ ହେଉନି
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଧର୍ମଶାଳା ଜଳ ବିଭାଜିକା ପ୍ରକଳ୍ପ ବ୍ୟାପକ ଦୁର୍ନୀତି ଜଳଜଳ ହେଇ ଦେଖାଯାଉଛି । ଜଳ ବିଭାଗଜିକା ଦୁର୍ନୀତି ଚର୍ଚ୍ଚାରେ ରହି ଆସିଥିଲେ ହେଁ ଏହାର ତଦନ୍ତ ହେଉନି । କାହା ଚାପରେ ନାଁ କାହା ସ୍ୱାର୍ଥରେ ଏହା ସମ୍ଭବ ହେଇ ପାରୁଛି, ତାହା ହିଁ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିମାରିଛି ।
ଗତ ବର୍ଷ ମୌସୁମୀ ଗଲା ପରେ କିଛି ମଲା ଚାରା ଯୋଗାଇ ଦେଇ ଲକ୍ଷ ଲକ୍ଷ ଟଙ୍କା ହାତେଇ ନେଇଥିବା ଅଧିକାରୀ ମାନେ ଏବେ ପୁଣି ଚାରା ଯୋଗାଣ ନାଁରେ ଆଉ କିଛି ଅର୍ଥ ହଡପ କରିବାକୁ ମସୁଧା ଚଳାଇଛନ୍ତି । ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟର କର୍ମଚାରୀ ମାନେ ଗାଁ ଗହଳିରେ ଲୋକଙ୍କୁ ଗଛ ଯୋଗାଇବା ପାଇଁ ଆଧାର କାର୍ଡ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଏବେ ପୁଣି ବିଭିନ୍ନ ଯୋଜନାରେ ଦୁର୍ନୀତି କରି ଅର୍ଥ ତୋଷାରପାତ କରିବା ଉଦେ୍ଦଶ୍ୟରେ ରହିଛନ୍ତି ବିଭାଗୀୟ ଅଧିକାରୀ । ଗତ ବର୍ଷ କାଗଜପତ୍ରରେ ପୋଖରୀ ଖୋଳି ଧର୍ମଶାଳାର ୯ ଗୋଟି ଅଣୁ ଜଳ ବିଭାଜିକା ପ୍ରକଳ୍ପ ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଉକ୍ତ କାର୍ଯ୍ୟାଳୟର ଅସାଧୁ କର୍ମଚାରୀ ଚଳିତ ବର୍ଷ ମଧ୍ୟ କାଗଜପତ୍ରରେ କିଛି ପୋଖରୀ ଖୋଳି ଦେଇଥିବା ଆଶଙ୍କା ପ୍ରକାଶ ପାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ପୁଞ୍ଜି ଲଗାଣ, ଚାଷୀ ମାନଙ୍କୁ ବାଡ଼ ଯୋଗାଣ, ଗରିବ ଅସହାୟଙ୍କୁ ଛେଳି ପାଳନ ସହାୟତା ଆଦି ଯୋଜନାରେ କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଜଣାପଡିଛି । ଛେଳି ପାଳନ ପାଇଁ ଗୋଟିଏ ଗୋଟିଏ ପରିବାରରେ ଦୁଇରୁ ତିନିଜଣଙ୍କୁ ଛେଳି ପାଳନ ସହାୟତା ଦିଆଯାଇଛି । କେବଳ ବଛା ଯାଇ ବିଜୁ ଜନତାଦଳର ସହଯୋଗୀ ମାନଙ୍କୁ ଦିଆଯାଇଛି । ଧର୍ମଶାଳା କାର୍ଯ୍ୟାଳୟ ପାଇଁ ଠିକା କର୍ମଚାରୀ ନିଯୁକ୍ତିରେ ମଧ୍ୟ ବ୍ୟାପକ ଚଞ୍ଚକତା କରାଯାଇଛି । ଦୁର୍ନୀତି ସମ୍ପର୍କରେ ସ୍ଥାନୀୟ ଲୋକମାନେ ଜିଲାପାଳ, କୃଷି ସଚିବ ଏପରିକି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନିର୍ବାଚନ ପାଇଁ ତଦନ୍ତରେ ସିଥିଳତା ଦେଖା ଦେଇଥିଲା । ତେବେ ବର୍ତ୍ତମାନର ବିଜେପି ସରକାର ଧର୍ମଶାଳା ଜଳ ବିଭାଜିକା ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ଗମ୍ଭୀରତାକୁ ଗ୍ରହଣ କରି ଦୁର୍ନୀତିଗ୍ରସ୍ଥଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠୁଛି । ଧରାପଡ଼ିଯିବା ଭୟରେ ଧର୍ମଶାଳା ଜଳ ବିଭାଜିକା କାର୍ଯ୍ୟାଳୟକୁ ଚଞ୍ଚକତା କରି ବଡ଼ଚଣା ଅଞ୍ଚଳକୁ ଉଠାଇ ନିଆଯାଇଥିବାରୁ ଏହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।