ସମସ୍ୟାରେ ୧୦୯ ବର୍ଷର ଉପ୍ରା ବିଦ୍ୟାଳୟ : ଆଠ ଶ୍ରେଣୀକୁ ୪ଗୃହ, ଶିକ୍ଷାଦାନରେ ବାଧା
ବଡଚଣା : ୧୦୯ ବର୍ଷର ବିଦ୍ୟାଳୟ । କିନ୍ତୁ ସମସ୍ୟା ସୁଧୁରିବାର ନାଁ ଧରୁନି । ଗୋଟେ ପଟେ ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥା ଦେଇ ଗତି କରୁଥିବା ବେଳେ ଅନ୍ୟପଟେ ଶ୍ରେଣୀଗୃହ ଅଭାବରୁ ଶିକ୍ଷାଦାନରେ ବାଧା ଉପୁଜିଛି । ଆମେ କହୁଛୁ ବଡ଼ଚଣା ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିନସ୍ଥ ସୁଙ୍ଗୁଡା ଦିବାକର ନୋଡାଲ ଉପ୍ରା ବିଦ୍ୟାଳୟର କଥା । ୧୯୧୬ ମସିହାରେ ପ୍ରତିଷ୍ଠିତ ଦିବାକର ନୋଡାଲ ଉପ୍ରା ବିଦ୍ୟାଳୟ ବଡଚଣା ବ୍ଲକ୍ରେ ପୁରାତନ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ୧୭୩ଜଣ ଛାତ୍ରଛାତ୍ରୀ ପଠପଢୁଛନ୍ତି । ହେଲେ ୨ଶହପାଖାପାଖି ବିଦ୍ୟାର୍ଥିଙ୍କ ପାଇଁ ରହିଛି ୪କୋଠରୀ । କୋଠରୀ ମଧ୍ୟରୁ ଗୋଟିଏ ବସି ପଢିବା ଅନୁପଯୁକ୍ତ ହୋଇଛି । ଅତଏବ ୩ଟି କୋଠରୀରେ ୧୭୩ ଛାତ୍ରଛାତ୍ରୀ କେମିତି ପଢୁଥିବେ ତାହା ସହଜେ ଅନୁମେୟ । ଯେତେ ବେଳେ ସରକାର ଶିକ୍ଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି, ସେତେ ବେଳେ ଦିବାକର ନୋଡାଲ ଉପ୍ରା ବିଦ୍ୟାଳୟ ଅବହେଳିତ କାହ÷ିଁକି? । ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ଇଛା ଶକ୍ତିର ଅଭାବର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ । ଆବଶ୍ୟକ ଶ୍ରେଣୀ ଗୃହ, ଖେଳପଡିଆ, ଶୌଚାଳୟ ସହିତ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଯୋଗୁ ବିଦ୍ୟାଳୟଟି ଉନ୍ନତି ହୋଇ ପାରୁନାହିଁ । ବିଦ୍ୟାଳୟର ଉନ୍ନତି ପାଇଁ ଗଲା ସରକାର ଅମଳରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ୯ଲକ୍ଷ ୫୦ହଜାର ଟଙ୍କା ଅନୁଦାନ ଯୋଗାଇ ଯାଇଥିଲା । ମାତ୍ର ତାହା ବିନିଯୋଗ ହେବା ପୂର୍ବରୁ ସରକାର ପରିବର୍ତ୍ତନ ଘଟିଥିଲା । ଆଉ ଯୋଜନାର ନାମ ବଦଳିଥିଲା । ହେଲେ ବିଦ୍ୟଳୟକୁ ମିଳିଥିବା ଅନୁଦାନ ଅର୍ଥ ଖର୍ଚ୍ଚ ନହୋଇ ଅନ୍ୟତ୍ର ଚାଲି ଯାଇଥିଲା । ଶିକ୍ଷା ବିଭାଗ ଏବଂ ସ୍ଥାନୀୟ ବିଧାୟକ ଶତାୟୁ ଏହି ବିଦ୍ୟାଳୟ ସମସ୍ୟାର ସମାଧାନ କରିପାରିଲେ ଛାତ୍ରଛାତ୍ରୀ ହିଁ ଉପକୃତ ହୋଇପାରନ୍ତେ ।