ନଭେମ୍ବର ୧୧ରେ ଭୋଟ

- ଅକ୍ଟୋବର ୧୩ରୁ ୨୦ ପର୍ଯ୍ୟନ୍ତ ନାମାଙ୍କନ
- ନଭେମ୍ବର ୧୪ରେ ଭୋଟ ଗଣତି
- ଲାଗୁ ହେଲା ଆଚରଣ ବିଧି
- ମୋଟ୍ ଭୋଟର ସଂଖ୍ୟା ୨ ଲକ୍ଷ ୪୮ ହଜାର
ଭୁବନେଶ୍ୱର : ବିହାର ବିଧାନସଭା ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ପାଇଁ ବି ତାରିଖ ଘୋଷଣା କରାଯାଇଛି । ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଅକ୍ଟୋବର ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ବି ଆରମ୍ଭ ହେବ । ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଆଜି ବିହାର ବିଧାନସଭା ନିର୍ବାଚନ ସହ ୭ ରାଜ୍ୟର ୮ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଜାମ୍ମୁକାଶ୍ମୀରର ବୁଡ଼ଗାମ ଓ ନାଗ୍ରୋଟା, ରାଜସନ୍ଥାନର ଅନ୍ତା, ଝାରଖଣ୍ଡର ଘାଟଶିଳା, ତେଲେଙ୍ଗାନାର ଜୁବିଲ ହିଲ୍ସ, ପଞ୍ଜାବର ଟର୍ଣ୍ଣ ଟରନ, ମିଜୋରାମର ଡାମ୍ପା ଓ ଓଡ଼ିଶାର ନୂଆପଡ଼ା ପାଇଁ ତାରିଖ ଘୋଷଣା ହୋଇଛି । ନୂଆପଡ଼ା ଉପନିର୍ବାଚନ ପାଇଁ ଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ୧୩ରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଦିନ ଠାରୁ ହିଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ଅକ୍ଟୋବର ୨୦ । ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାର ଥିବାବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୨୪ । ସେହିଦିନ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ନଭେମ୍ବର ୧୧ରେ ଭୋଟ ଗ୍ରହଣ ଓ ନଭେମ୍ବର ୧୪ରେ ଭୋଟ୍ ଗଣତି କରାଯିବ ।
ନୂଆପଡ଼ାରେ ୨ ଲକ୍ଷ ୪୮ ହଜାର ୨୫୬ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୧୦୩ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୧୩୨ ରହିଛି । ତେବେ ଏବେବି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଚାଲିଥିବାବେଳେ ଆସନ୍ତାକାଲି ସୁଦ୍ଧା ସବୁ ଦାବିର ସମାଧାନ ପାଇଁ ନିର୍ଦ୍ଦେଶଦିଆଯାଇଛି । ରାଜ୍ୟର ନୂଆପଡା ବିଧାନସଭା ଉପ ନିର୍ବାଚନ ଓ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁହେବା ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥ ଗୋପାଳନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଉପରୋକ୍ତ ସମସ୍ତ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ କୁମାର ସାହୁ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉପନିର୍ବାଚନ ତାରିଖ ଘୋଷଣା ହୋଇଯାଇଥିବାରୁ ନୂଆପଡ଼ା ରାଜନୀତିକ ତାତି ବଢ଼ିଯାଇଛି । କଂଗ୍ରେସ ପକ୍ଷରୁ ଆଜି କିମ୍ବା ଆସନ୍ତାକାଲି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ସେପଟେ ବିଜେଡ଼ିରୁ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହେବା ନିଶ୍ଚିତ ବୋଲି ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି । ଅପରପକ୍ଷରେ ଆସନ୍ତାକାଲି ନୂଆପଡ଼ା ପ୍ରାର୍ଥୀ ଚୟନ ନିମନ୍ତେ ବିଜେପି କସରତ ଆରମ୍ଭ କରିବ ।