ବାଜିଲା ବିହାର ଭୋଟ୍‌ ବିଗୁଲ

ବାଜିଲା ବିହାର ଭୋଟ୍‌ ବିଗୁଲ
  • ନଭେମ୍ବର ୬ ଓ ୧୧ରେ ଭୋଟ୍‌
  • ନଭେମ୍ବର ୧୪ରେ ଭୋଟ ଗଣତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ବହୁ ପ୍ରତୀକ୍ଷିତ ବିହାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି । ଦୁଇ ଦଫାରେ ବିହାର ନିର୍ବାଚନ ହେବ । ନଭେମ୍ବର ୬ ଓ ନଭେମ୍ବର ୧୧ରେ ଭୋଟ୍‌ ହେବାର ଥିବାବେଳେ ନଭେମ୍ବର ୧୪ରେ ଭୋଟ ଗଣତି କରାଯିବ । 

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତିଯେ, ନଭେମ୍ବର ୨୨ରେ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ନିର୍ବାଚନ ସାରିବା ପାଇଁ କମିଶନ ପଦକ୍ଷେପ ନେଇଛନ୍ତି । ଛଟ ପୂଜା ପରେ ନିର୍ବାଚନ ରଖିବାକୁ ଅନେକ ରାଜନୈତିକ ଦଳ ଅନୁରୋଧ କରିଥିଲେ । ନଭେମ୍ବର ୬ରେ ୧୨୧ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ । କେନ୍ଦ୍ରୀୟ ବିହାରରେ ଥିବା ନିର୍ବାଚନମଣ୍ଡଳୀଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ହେବ  । ସେହିପରି ସୀମାନ୍ତ ଅଞ୍ଚଳରେ ଥିବା ୧୨୨ ବିଧାନସଭା ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ନଭେମ୍ବର ୧୧ରେ ଭୋଟ୍‌ ଗ୍ରହଣ କରାଯିବ । 

ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ନଭେମ୍ବର ୬ରେ ହେବାକୁ ଥିବା ଆସନଗୁଡ଼ିକ ପାଇଁ ଅକ୍ଟୋବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ  । ସେହିଦିନ ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଅପରପକ୍ଷରେ ଅକ୍ଟୋବର ୧୭କୁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରଖାଯାଇଥିବାବେଳେ ଅକ୍ଟୋବର ୨୦ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ନଭେମ୍ବର ୧୧ରେ ହେବାକୁ ଥିବା  ଆସନଗୁଡ଼ିକ ପାଇଁ ଅକ୍ଟୋବର ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହେଉଛି ଅକ୍ଟୋବର ୨୦ । ଅକ୍ଟୋବର ୨୩ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ନଭେମ୍ବର ୧୬ ସୁଦ୍ଧା ନିର୍ବାଚନଶେଷ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ନିର୍ବାଚନ କମିଶନ ବନ୍ୟା ପ୍ରଭାବିତ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ ବେଶୀ ଧ୍ୟାନ ଦେଇଛନ୍ତି । ନିର୍ବାଚନର ବହୁ ଦିନ ପୂର୍ବରୁ ସେଠାରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯିବ । କୌଣସି ପ୍ରକାର ନିର୍ବାଚନଜନିତ ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି । ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟଯେ, ୨୦୨୦ ବିଧାନସଭା ନିର୍ବାଚନରେ ଆରଜେଡ଼ି ସର୍ବାଧିକ ୭୫ ଆସନ ପାଇଥିବାବେଳେ ବିଜେପି ଦ୍ୱିତୀୟ ସର୍ବାଧିକ ଅର୍ଥାତ୍‌ ୭୪ ଆସନରେ ବାଜିମାତ୍‌ କରିଥିଲା । ଯେତେବେଳେକି ଜେଡ଼ିୟୁକୁ ୪୩, କଂଗ୍ରେସକୁ ୧୯, ସିପିଆଇଏମଏଲକୁ ୧୨ ଓ ଅନ୍ୟ ଦଳଗୁଡ଼ିକୁ ୫ ଆସନ ମିଳିଥିଲା । ଏଥିର ଏନଡ଼ିଏରେ ବିଜେପି, ଜେଡ଼ିୟୁ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, ବିକାଶୀଳ ଇନସାନ ପାର୍ଟି ଓ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ରହିଛନ୍ତି । ଯାହାର ନେତୃତ୍ୱ ନେବେ ନୀତିଶ କୁମାର । ଅପରପକ୍ଷରେ ମହାଗଠବନ୍ଧନରେ ଆରଜେଡ଼ି, କଂଗ୍ରେସ ଓ ବାମଦଳଗୁଡ଼ିକ ରହିଛନ୍ତି । ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାଗଠବନ୍ଧନ ନିର୍ବାଚନ ଲଢ଼ିବ ବୋଲି କୁହାଯାଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ଚିତ୍ର ଆସିପାରିନାହିଁ ।