ନିଜକୁ ଶାନ୍ତ୍ୱନା

ଆଜ୍ଞା ନମସ୍କାର,
ଜୀବନର ଛୋଟ କଥାର ବଡ ବିଚାରକୁ ନେଇ ‘ଅମୃତ ବିନ୍ଦୁ'ର ଉପସ୍ଥାପନା  । 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟକୁ ଆପଣଂକୁ ସ୍ୱାଗତ  । ଆଜି ଜାଣିବା ନିଜକୁ ଶାନ୍ତ୍ୱନା ଦେବା କାହିଁକି ଆବଶ୍ୟକ ? ଏତକ କଥାକୁ ଆପଣ ଗ୍ରହଣ କରନ୍ତୁ, ହୃଦୟଂଗମ କରନ୍ତୁ ଆଉ ବିଚାର କରନ୍ତୁ  ।
ଜୀବନର ଅନେକ ପରିସ୍ଥିତି ଯେମିତି ନାନାଦି ସମସ୍ୟାରେ ଜର୍ଜରିତ, ଠିକ୍ ସେହିପରି ବହୁ ବୁଝାମଣାରେ ମଧ୍ୟ ଭାରାକ୍ରାନ୍ତ  । ବୁଝାମଣା ରହିତ ଏହି ଭାରାକ୍ରାନ୍ତ ଅବସ୍ଥାକୁ ଧରି ବସିଲେ ଜୀବନର ପଥ ନିହାତି ଭାବେ କଣ୍ଟକିତ  । ଜୀବନର ସବୁ ଭାରାକ୍ରାନ୍ତ ଅବସ୍ଥାକୁ ଧରି ବସିଲେ ମଣିଷ ଆଗକୁ ଯାଇପାରିବ ନାହିଁ, ବଢିପାରିବ ନାହିଁ  । ଭାରାକ୍ରାନ୍ତ ହୋଇଗଲେ ମଣିଷ ଦହଗଞ୍ଜ ହେବାଟା ସାର  । ଆଜିର ଦିନରେ ପ୍ରାୟ ମଣିଷ ଭାରାକ୍ରାନ୍ତ ଆଉ ଜୀବନର ଗୋଲକ ଧନ୍ଦାରେ ଦହଗଞ୍ଜ ମଧ୍ୟ  ।
ତେବେ ନିଜ ସହିତ ଉତ୍ତମ ବୁଝାମଣା ଦ୍ୱାରା ଭାରାକ୍ରାନ୍ତ ଅବସ୍ଥାକୁ ଲାଘବ କରାଯାଇପାରେ  ।
ଜୀବନରେ ନିଜ ସହିତ ବୁଝାମଣା ହେଉଛି ନିଜ ପାଇଁ ଏକ ବିରାଟ ଆବଶ୍ୟକତା ଏବଂ ନିଜ ସହିତ ବୁଝାମଣା ଏକ ପରିସ୍ଥିତିର ପୂର୍ଣ୍ଣଚ୍ଛେଦ ନିକଟରେ ପହଞ୍ଚାଇଥାଏ  । ନିଜ ସହିତ ବୁଝାମଣାର ଅଭାବ ହେଲେ ମଣିଷ ଏକ ଶାନ୍ତିପୂର୍ଣ୍ଣ ଜୀବନ ବିତେଇ ପାରିବ ନାହିଁ  ।
ସରଳ ଭାବରେ ଏ ବୁଝାମଣାର ଅର୍ଥ ହେଉଛି, ଆମକୁ ନିଜକୁ ବୁଝେଇବାକୁ ପଡିବ ଯେ ନିଜ ଜୀବନର ମଙ୍ଗ ନିଜ ହାତରେ ଏବଂ ଆଉ କେହି ଏହାକୁ ବୁହାଇପାରିବେ ନାହିଁ  । ଜୀବନର ଅନେକ ପରିସ୍ଥିତିରେ ଆମ ନିଜକୁ ଆତ୍ମପ୍ରବୋଧନାରେ ବୁଝାଇବାକୁ ହିଁ ପଡିବ କ୍ଷ ନିଜକୁ ନିଜେ ବୁଝେଇବା ବି ଏକପ୍ରକାର ଆତ୍ମସନ୍ତୋଷ ଏବଂ ଆହ୍ୱାନ ମଧ୍ୟ  ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।