ମହାନ ବିପ୍ଳବୀ ଚକରା ବିଷୋୟୀ
ଡ.ପ୍ରଦୀପ କୁମାର ସ୍ୱାଇଁ : ଦେଶ ମାତୃକାକୁ ବ୍ରିଟିସ ଶାସନ କବଳରୁ ମୁକ୍ତ କରିବା ପାଇଁ ଯେଉଁ କେତେଜଣ ବରେଣ୍ୟ ବୀର ସଂଗ୍ରାମ କରି ଭାରତ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ସମାନଙ୍କମଧ୍ୟରୁ ଚକରା ବିଷୋୟୀ ଅନ୍ୟତମ । ନିଜ ଜୀବନକୁ ବାଜି ଲଗାଇ ଜୀବନ ସାରା ବଣ ଜଙ୍ଗଲରେ ବୁଲି ଆପର୍ଯ୍ୟପ୍ତ ଦୁଃଖ କଷ୍ଟ ପର ସହି ଇଂରେଜ ମାନଙ୍କ ବିରୁଦ୍ଧରେ ଯେଉଁ ସଂଗ୍ରାମ କରିଥିଲେ ତାହାର ପଟାନ୍ତର ନାହିଁ । ସ୍ୱାଭିମାନୀ ଦେଶପ୍ରେମୀ କନ୍ଧ ସମାଜର ନେତୃତ୍ୱ ନେଇଥିଲେ ଚକରା ବିଷୋୟୀ । ଇଂରେଜ ଶାସନ ଉପରେ ଅନେକ କାରଣରୁ କନ୍ଧମାନେ ଅସନ୍ତୁଷ୍ଟ ହୋଇ ପଡିଥିଲେ । କନ୍ଧମାନେ ଘୁମୁସର, ବଉଦ,ଦଶପଲ୍ଲା, ଚିନ୍ତା ଖେମୁଣ୍ଡି, ପାରଳାଖେମୁଣ୍ଡି ଓ କଳାହାଣ୍ଡି ଅଞ୍ଚଳରେ ବହୁଳ ଭାବରେ କନ୍ଧ ସଂପ୍ରଦାୟ ଜଙ୍ଗଲ ମଧ୍ୟରେ ବାସ କରୁଥିଲେ । ରାଜା ଶାସନ ସମୟରେ ରାଜାମାନେ ପ୍ରାୟ ସେମାନଙ୍କର ପରମ୍ପରାରେ ହସ୍ତକ୍ଷେପ କରୁନଥିଲେ । କନ୍ଧସମାଜ ରାଜନୀତି ଓ ଧର୍ମ ପରମ୍ପରାରେ ରାଜାମାନଙ୍କର ସୀମିତ ପ୍ରଭାବ ଥିଲା । କିନ୍ତୁ ଇଂରେଜ ଶାସନ ଯେତେବେଳେ ସେମାନଙ୍କର ମେରିଆ ବଳୀ ପ୍ରଥା ବନ୍ଧ ପାଇ ପଦକ୍ଷେପ ନେବା ଆରମ୍ଭ କଲା କନ୍ଧମାନେ ଉତକ୍ଷିପ୍ତ ହୋଇପଡିଲେ ।ଏହାର ଦୂରୀକରଣ ପାଇଁ ଇଂରେଜ ସରକାର ୧୮୪୫ ମସିହାରେ କନ୍ଧ ଅଞ୍ଚଳଗୁଡିକ କେନ୍ଦ୍ର ସରକାରଙ୍କ ଅଧୀନରେ ଏକତ୍ରିତ କରି "ମେରିଆ ଏଜେନସି’ ପ୍ରତିଷ୍ଠା କଲେ । ଏଥିରେ କନ୍ଧମାନେ ଉତ୍କ୍ଷିପ୍ତ ହୋଇଉଠି ବିଦ୍ରୋହ ପାଇଁ ପ୍ରସ୍ତୁତ ହେଲେ । ଏହି ମଉକାରେ ଚକରା ବିଷୋୟୀ କନ୍ଧ ସମାଜକୁ ସଙ୍ଗଠିତ କରି ଇଂରେଜ ଶାସକଙ୍କୁ ଏହି ଦେଶରୁ ବିତାଡିତ କରିବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ ।
ବିପ୍ଲବୀ ଚକରା ବିଷୋୟୀ ଗଞ୍ଜାମ ଜିଲ୍ଲା ଘୁମୁସରର ତୋରାବାଡି ଗ୍ରାମରେ ବେନିଆ କନ୍ଧ ପରିବାରରେ ୧୮୨୩ ମସିହାରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତାଙ୍କ ନାମ ଥିଲା ରାମ ସିଂ ବିକସି । ପୁଅଟିଏ ଜନ୍ମ ହୋଇଥିବାରୁ ରାମସିଂ ଖୁସିରୁ ଆଖପାଖ ଗ୍ରାମର ମୁଖିଆ ମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ । ନିଜ ପୁଅର ନାମ ଚକରା ଦେଇଥିଲେ । ଚକରା ବିଷୋୟୀଙ୍କ ବାଲ୍ୟକାଳ ନିଘଞ୍ଚ ଅରଣ୍ୟ ମଧ୍ୟରେ କଟିଥିଲା । ସେଠାରେ ସେ ଅନେକ ଆଦିବାସୀ ସମ୍ପ୍ରଦାୟ ସହ ମିଶିଥିଲେ ଓ ଜଙ୍ଗଲର ଚଳଣି ବିଷୟରେ ଅଭିଜ୍ଞତା ହାସଲ କରିଥିଲେ ।ତାଙ୍କ ପିତା ଇଂରେଜ ମାନଙ୍କ ଯୁଦ୍ଧରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ସେ ଛୋଟ ପିଲାଟିଏ ଥିଲେ । ଏହି ସମୟରେ ସେ ତରକା ନାମ୍ନୀ ବାଳିକା ସହିତ ମିଶିଥିଲେ । ପରବର୍ତ୍ତୀ ସମୟରେ ସେ ତାଙ୍କର ପାଣି ଗ୍ରହଣ କରିଥିଲେ । ପୂର୍ବରୁ ସଂଘଠିତ ଘୁମୁସର ବିପ୍ଳବର ମୁଖ୍ୟ ନାୟକ ଦୋରା ବିଷୋୟୀ ହେଉଛନ୍ତି ଚକରା ବିଷୋୟୀଙ୍କ ପିତୃବ୍ୟ । ଇଂରେଜ ମାନଙ୍କ ଦୃଷ୍ଟିରୁ ବଞ୍ଚିବା ପାଇଁ ପିତୃବ୍ୟ ଦୋରା ବିଷୋୟୀ ଘୁମୁସର ପରିତ୍ୟାଗ କରି ଅନୁଗୁଳ ରାଜ୍ୟର ବଳଙ୍ଗ ଗ୍ରାମରେ ଲୁକାୟିତ ଭାବରେ ବସବାସ କଲେ । ଇଂରେଜ ଶାସନ ଉପରେ ଚକରା ବିରକ୍ତ ହୋଇଉଠଥାନ୍ତି ।ଏହି ସମୟରେ ୧୮୪୪ ମସିହାରେ ବଉଦର କନ୍ଧ ନେତା ବୀର କହଁରକ ଆହ୍ୱାନରେ ଚକରା କନ୍ଦ ବିଦ୍ରୋହରେ ଯୋଗ ଦେଲେ । ବଣ ଜଙ୍ଗଲରେ ଲୁଚି ରହି ଚକରା ଓ ତାଙ୍କ ଅନୁଗାମୀମାନେ ଗୋରା ଫୌଜ ଉପରେ ଆକ୍ରମଣ କଲେ । ଚକରା ନିଜର ନଜର ବିଚକ୍ଷଣ ନେତୃତ୍ୱ ନେବାର ଶୈଳୀ ପାଇଁ ଅଳ୍ପକାଳ ମଧ୍ୟରେ କନ୍ଧ ବିଦ୍ରୋହର ନେତୃତ୍ୱ ବହନ କରି ଇଂରେଜ ସରକାରଙ୍କ ଆଖିରୁ ନିଦ ହଜେଇ ଦେଇଥିଲେ । ଅନେକ ଦେଶୀୟ ରାଜା ଓ ଜମିଦାରଙ୍କ ସେ ସମର୍ଥନ ହାସଲ କରିଥିଲେ । ସେ ବାରମ୍ୱାର ଇଂରେଜ ସୈନ୍ୟମାନେ ଗରିଲା ଶୈଳୀରେ ଆକ୍ରମଣ କରୁଥିଲେ ମଧ୍ୟ ଇଂରେଜ ସୈନ୍ୟମାନେ ତାଙ୍କୁ ଦମନ କରିପାରିଲେ ନାହିଁ ।
ଅନେକ ଚେଷ୍ଠାକରି କ୍ୟାପଟେନ ମାକଫରସନ ଚକରା ବିଷୋୟୀଙ୍କୁ ଆୟତ୍ତ କରି ପାରିଲେ ନାହିଁ । ତେଣୁ ଉଚ୍ଚଧିକାରୀଙ୍କୁ ଅଧିକ ସୈନ୍ୟ ପ୍ରେରଣ ପାଇଁ ଅନୁରୋଧ କଲେ । ତେଣୁ ମାଦ୍ରାଜରୁ ଜେନେରାଲ ଡାଇସ ଅଧିକ ସୈନ୍ୟ ସହ ପହଞ୍ଚିଲେ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ କ୍ୟାପଟେନ ଓନଲଫ ରହିଲେ । ଏହା ପରେ ଇଂରେଜ ଶାସକ ଚକରା ବିଷୋୟୀ ଓ ତାଙ୍କ ଅନୁଗାମୀ ମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ । ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଡେଲହାଉସୀ ଚକରା ବିଷୋୟୀଙ୍କୁ ଧରାଇ ଦେବା ବିନିମୟରେ ତିନି ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ସେହିପରି ଡାଇସ ଘୋଷଣା କରିଥିଲେ। ବିପ୍ଳବୀ ଚକରା ବିଷୋୟୀ ନବଘନ କହଁର ଆତ୍ମସମର୍ପଣ କରିଥିଲେ କିନ୍ତୁ ଚକରା ବିଷୋୟୀ ଘନ ଜଙ୍ଗଲରେ ଲୁଚି ରହି ଇଂରେଜ ଶାସକ ବିରୋଧରେ ଗରିଲା ଆକ୍ରମଣ ଜାରି ରଖିଲେ । ଯେପରି ହେଉ ଇଂରେଜମାନେ ଚକରା ବିଷୋୟୀଙ୍କୁ କାବୁ କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଲେ । ଯଦି କୈଣସି ରାଜା ଚକରା ବିଷୋୟୀଙ୍କ ସହ ସମ୍ପର୍କ ରଖିଲେ ବା ତାଙ୍କୁ ସାହାଯ୍ୟ କଲେ ସେମାନଙ୍କୁ ଦଣ୍ଡିତ କରାଗଲା । ଚକରା ବିଷୋୟୀଙ୍କୁ ସାହାଯ୍ୟ କରୁଥିବାରୁ ଅନୁଗୁଳ ରାଜା ସୋମନାଥ ସିଂହ ଗାଦିଚ୍ୟୁତ କରି ଅନୁଗୋଳର ଶାସନ ଭାର ଇଂରେଜମାନେ ନିଜ ହାତକୁ ନେଇଥିଲେ । ତେଣୁ ବିଦ୍ରୋହ ଅନେକ ପରିମାଣରେ ଦୁର୍ବଳ ହୋଇଥିଲା । କିନ୍ତୁ, ଚକରା ବିଷୋୟୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା । ଚକରା ବିଷୋୟୀ ଘୁମୁସର ରାଜଗାଦିରେ ଲକ୍ଷ୍ମୀ ନାରାୟଣ ଭଞ୍ଜଙ୍କୁ ବସାଇବା ପାଇଁ ଚେଷ୍ଟା କରୁଥିଲେ । ତେଣୁ ଘୁମୁସରର ସାଧାରଣ ଜନତା ଓ କନ୍ଧମାନଙ୍କ ସମର୍ଥନ ସେ ପାଇଥିଲେ ।ବଉଦର ଜଙ୍ଗଲ ମଧ୍ୟରେ ଘୁମୁସରର ରାଜା ପିଲା ଲକ୍ଷ୍ମୀନାରାୟଣ ଭଞ୍ଜ ଆତ୍ମଗୋପନ କରିଥିଲେ ଓ କନ୍ଧନେତାମାନେ ତାଙ୍କୁ ସୁରକ୍ଷା ଦେଇଥିଲେ ।
କନ୍ଧନେତା ଚକରା ବିଷୋୟୀ ଅତ୍ୟନ୍ତ ଚତୁରତା ସହ ସ୍ଥାନ ପରିବର୍ତ୍ତନ କରୁଥିଲେ । ସେ ଦଶପଲ୍ଲାର ରାଜାଙ୍କ ରାଜାଙ୍କ ଠାରୁ ମଧ୍ୟ ସାହାଯ୍ୟ ସମର୍ଥନ ପାଇଥିଲା । ସୋନପୁରର ରାଣୀ ମଧ୍ୟ ଚକରା ବିଷୋୟୀଙ୍କୁ ସାହାଯ୍ୟ ସହଯୋଗ କରିଥିବାରୁ ଇଂରେଜ ତାଙ୍କୁ ସତର୍କ୍ ବାଣୀ ଶୁଣାଇଥିଲେ ।୧୮୫୪ ଖ୍ରୀ ଡିସେମ୍ବର ମାସ ୨୮ ତାରିଖରେ ମ୍ୟାକଡୋନେଲ ସାହେବ କେତେକ ସ୍ଥାନୀୟ କର୍ମଚାରୀଙ୍କ ସାହାଯ୍ୟରେ ଡମ ସିଂ ଓ ରଥବାରୀ ଉପରେ ଆକ୍ରମଣ କରି ଚକରା ବିଷୋୟୀଙ୍କର କେତେକ ପାଖ ଲୋକ ଓ ବନ୍ଧୁ ବାନ୍ଧବଙ୍କୁ ଗିରଫକଲା । ୧୮୫୫ମସିହାରେ ଚକରା ବିଷୋୟୀଙ୍କ ସହ ମତଭେଦ କାରଣରୁ ଲକ୍ଷ୍ମୀ ନାରାୟଣ ଭଞ୍ଜ ସରକାରଙ୍କ ନିକଟରେ ଆତ୍ମସମର୍ପଣ କଲେ । ଏହା ଚକରା ବିଷୋୟୀଙ୍କ ଆଘାତ ଦେଇଥିଲା କିନ୍ତୁ ସେ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନଥିଲେ । ଅଟଗାଁର ଜମିଦାର ମାଝି ଧରମ ସିଂହ ଓ କଳାହାଣ୍ଡି ରାଜ୍ୟ ଅନ୍ତର୍ଗତ ମଦନପୁରର ଥାଟରାଜା ହରିହର ସିଂହ ମର୍ଦ୍ଦରାଜ ଚକରା ବିଷୋୟୀଙ୍କୁ ସାହାଯ୍ୟ ସହଯୋଗ ଦେଇଥିଲା । କ୍ୟାପଟେନ ମାକଡୋନାଲଡ ଅଟଗାଁର ଜଙ୍ଗଲ ମଧ୍ୟରେ ଚକରା ବିଷୋୟୀଙ୍କ ସହ ମୁହାମୁହିଁ ହୋଇଗଲେ । ପ୍ରବଳ ଆକ୍ରମଣ ଓ ପ୍ରତି ଆକ୍ରମଣ ଚାଲିଲା । କଳାହାଣ୍ଡିରେ ଭୁଲ ମଲ୍ଲିକ ଦୈବୀ ଶକ୍ତିରେ ବଳୀୟାନ ହୋଇ କନ୍ଧମାନଙ୍କର ପରମ୍ପରାର ସୁରକ୍ଷା ପାଇଁ ଆବିର୍ଭାବ ହୋଇଛିନ୍ତି ବୋଲି ଗୁଜବ ପଛରେ ଚକରା ବିଷୋୟୀ ଥିଲେ ବୋଲି ବିଶ୍ୱାସ କରାଯାଏ । ଏହା ଫଳରେ କନ୍ଧମାଳ ଧଳବଦ୍ଧ ହୋଇ ଇଂରେଜ ମାନଙ୍କ ଉପରେ ଆକ୍ରମଣ କରିଥିଲେ । କଳାହାଣ୍ଡିର ମହାରାଜା ଆଦିତ୍ୟ ପ୍ରତାପ ବ୍ରିଟିଶ ଶାସକଙ୍କ ସାହାଯ୍ୟର ଏହି ବିଦ୍ରୋହ ଦମନ କରିଥିଲେ । ଏହାପରେ ଚକରା ପାରଳାଖେମୁଣ୍ଡି ଚାଲିଯାଇ ଶବରମାନଙ୍କ ଆନ୍ଦୋଳନରେ ରାଧାକୃଷ୍ଣ ଦଣ୍ଡସେନାଙ୍କୁ ସାହାଯ୍ୟ କରିଥିଲେ । ତେଣୁ ବିଦ୍ରୋହ ଜୋରଦାର ହୋଇଥିଲା ।
ଇଂରେଜ ସରକାରଙ୍କ ଆଖିରୁ ନିଜ ହଜି ଯାଇଥିଲା । ବହୁ କଷ୍ଟରେ ମାନ୍ଦ୍ରାଜ ସରକାର ଏହି ବିଦ୍ରୋହକୁ ଦମନ କରିଥିଲେ । ଚତୁରତାର ସହ ଚକରା ବିଷୋୟୀ ଏଠାରୁ ଖସି ପଳାୟନ କଲେ । ଏଠାରୁ ସେ ବଉଦରେ ଆତ୍ମଗୋପନ କରିଥିଲେ । କିଛି କାଳ ଜୟପୁର ଅବସ୍ଥାନ କରି ପାଟନାଗଡ଼ରେ ରହି ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ଶବରମାନେ ପୁଣି ପାରଳାଖେମୁଣ୍ଡିରେ ବିଦ୍ରୋହ ଆରମ୍ଭ କଲେ, ଏହି ମଉକାର ସୁଯୋଗ ନେଇ ଚକରା ପୁଣି ସେଠାରେ ପହଞ୍ଚି ବିଦ୍ରୋହୀ ମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ । ଇଂରେଜ ଶାସକ ଦୃଢ ଭାବରେ ବିଦ୍ରୋହକୁ ଦମନ କଲେ । କିନ୍ତୁ, ଚକରା ବିଷୋୟୀଙ୍କୁ ଧରି ପାରିଲେ ନାହିଁ । ସେଠାରୁ ଚକରା କେଉଁଆଡେ଼ ଗଲେ କିଏ ଜାଣିପାରିଲେ ନାହିଁ । ଚକରା ବିଷୋୟୀଙ୍କୁ ଶତଚେଷ୍ଟା କରି ଇଂରେଜ ସରକାରୀ ବନ୍ଦୀ କରିପାରିନଥିଲେ ।ଏହି ମହାନ କନ୍ଧ ନେତା ଜୀବନର ଶେଷ ପର୍ଯ୍ୟନ୍ତ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ । ସେ କେବେ ମଧ୍ୟ ଇଂରେଜ ସେନାଙ୍କ ପାଖରେ ହାର ମାନିନଥିଲେ । ସେ ତାଙ୍କର ନିରବଛିନ୍ନ ବିଦ୍ରୋହ ପାଇଁ ଚିରକାଳ ଅମର ହୋଇ ରହିଥିବେ ।
ବୋରିଗୁମ୍ମା, କୋରାପୁଟ
ମୋ:୭୩୨୬୯୦୬୯୬୮
Samir Kumar Rout