ଆମେରିକା ପାଇଁ ନୂଆ ବିପଦ
ଗୋଟିଏ ସମୟ ଥିଲା ଯେତେବେଳେ ଆମେରିକା ଓ ପାକିସ୍ତାନ୍ ପରସ୍ପରର ଖୁବ୍ ନିକଟବର୍ତ୍ତୀ ଥିଲେ । ଆମେରିକା ଠାରୁ ଅସ୍ତ୍ରଶସ୍ତ୍ର ପାଇବା ପାଇଁ ପାକିସ୍ତାନ୍ ସବୁବେଳେ ଚେଷ୍ଟା କରି ଆସୁଥିଲା । ପାକିସ୍ତାନ୍ର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଆମେରିକା ମଧ୍ୟ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପାକିସ୍ତାନ୍କୁ ବିକ୍ରି କରିଛି । ତେବେ ଇତିମଧ୍ୟରେ ପାକିସ୍ତାନ୍ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ହେବା ସହିତ ଆଡ୍ଭାନ୍ସଡ୍ ମିଶାଇଲ୍ ପ୍ରୋଗ୍ରାମ୍ କ୍ଷେତ୍ରରେ ଦୀର୍ଘ ଦୂରତାରେ ଲକ୍ଷ୍ୟ ଭେଦ କରିପାରୁଥିବା ବାଲିଷ୍ଟିକ୍ ମିଶାଇଲ୍ ତିଆରିର କୌଶଳ ହାସଲ କରିସାରିଛି । ତେଣୁ ଭବିଷ୍ୟତରେ ପାକିସ୍ତାନ୍ ଏସିଆର ଦେଶ ଗୁଡ଼ିକ ସମେତ ଆମେରିକା ଉପରେ ମଧ୍ୟ ଆକ୍ରମଣ କରିବାର କ୍ଷମତା ପାଇ ସାରିଲାଣି । ଏଥିପାଇଁ ଏବେ ପାକିସ୍ତାନ୍ର ଉଦେ୍ଦଶ୍ୟକୁ ନେଇ ଆମେରିକା ଅନେକ ପ୍ରକାରର ସନେ୍ଦହ ପ୍ରକାଶ କରୁଛି । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ପାକିସ୍ତାନ୍ ବର୍ତ୍ତମାନ ଏକ ନୂଆ ବିପଦ ଭାବରେ ଆମେରିକା ପାଇଁ ଛିଡ଼ା ହୋଇସାରିଲାଣି ।
ଆମେରିକା ଉପରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିବା ପାଇଁ ଋଷିଆ, ଚୀନ୍ ଏବଂ ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର କ୍ଷମତା ରହିଛି ଏବଂ ଆଣବିକ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ସେମାନଙ୍କ ନିକଟରେ ରହିଛି । ଏହି ତିନିଟି ଯାକ ଦେଶ ଆମେରିକାର ବିରୋଧୀ । ଏହି ଦୃଷ୍ଟିରୁ ବିଶ୍ଳେଷଣ କରିଲେ ଦେଖାଯାଉଛି ଯେ ଆମେରିକା ପାଇଁ ପାକିସ୍ତାନ୍ ଆଉ ଏକ ନୂଆ ବିପଦ । ପାକିସ୍ତାନ୍ ଆମେରିକାର ଏକ ସହଯୋଗୀ ଦେଶ ଭାବରେ ବେଶ୍ ଜଣାଶୁଣା । ତେଣୁ ପାକିସ୍ତାନ୍ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ କ୍ଷମତା ହାସଲ ବେଳେ ଆମେରିକା ଏହା ଉପରେ ଆପତ୍ତି ଉଠାଇଥିଲା । ଏହାସତ୍ତ୍ୱେ ପାକିସ୍ତାନ୍ ପ୍ରତିରକ୍ଷାରେ ଏଭଳି ପଦକ୍ଷେପରୁ ଓହରିନାହିଁ । ପାକିସ୍ତାନ୍ର ବିପଦ ସମୟରେ ଆମେରିକା ଅନେକ ଥର ସାହାଯ୍ୟ ସହଯୋଗ ଯୋଗାଇ ଦେଇଆସିଛି । ଏବେ ମଧ୍ୟ ପାକିସ୍ତାନ୍ ସହିତ ଆମେରିକାର ସମ୍ପର୍କ କିଛି ଖରାପ ନାହିଁ । ଯେତେବେଳେ ଯାହା ଆବଶ୍ୟକ ପଡ଼ିବ ଆମେରିକା ପାକିସ୍ତାନ୍କୁ ସହାୟତା ଦେବା ପାଇଁ ପ୍ରସ୍ତୁତ ଅଛି । ତେବେ ପାକିସ୍ତାନ୍ ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ତିଆରି ପାଇଁ ଉଦ୍ୟମ କରୁଥିବାରୁ ଏହା ଉପରେ ଅନେକ ପ୍ରଶ୍ନ ଉଠାଇବା ପାଇଁ ଆମେରିକା ପ୍ରୟାସ କରୁଛି । ଏ ପ୍ରକାରର କ୍ଷମତା ହାସଲ କରି ହୁଏତ ପାକିସ୍ତାନ୍ ଆମେରିକା ଉପରେ ମଧ୍ୟ ଆକ୍ରମଣ କରିବା ସମ୍ଭାବନାକୁ ଅସ୍ୱୀକାର କରାଯାଇନପାରେ । ତେଣୁ ଆମେରିକା ଏଥିରେ କ୍ଷୁବ୍ଧ ହୋଇ ଗଲା ୧୮ ତାରିଖ ଦିନ ପାକିସ୍ତାନ୍ର ଚାରୋଟି ପ୍ରତିରକ୍ଷା କମ୍ପାନୀକୁ ବ୍ୟାନ୍ କରିଛି । ଏହା ବ୍ୟତୀତ ଆଉ ଦୁଇଟି କମ୍ପାନୀ ଉପରେ ମଧ୍ୟ କଟକଣା ଜାରି କରିଛି । ଅତୀତରେ ଭାରତ ସହିତ ଧୋକ୍କାବାଜି କରିବାରେ ପାକିସ୍ତାନ୍ ଯେଉଁ ସବୁ ଉଦାହରଣ ଛାଡ଼ିଯାଇଛି ସେସବୁର ବିଶ୍ଳେଷଣ କରିଲେ ବିଶ୍ୱର କୌଣସି ବି ଦେଶ ପାକିସ୍ତାନ୍କୁ ବିଶ୍ୱାସ କରିବେ ନାହିଁ । ତେଣୁ ଆମେରିକା ମଧ୍ୟ ଏହି ନୀତିକୁ ଆପଣାଇ ନେଇଛି । କୌଣସି ବି ପରିସ୍ଥିତିରେ ପାକିସ୍ତାନ୍କୁ ବିଶ୍ୱାସ କରିବା ପାଇଁ ଆମେରିକା ବର୍ତ୍ତମାନ ପ୍ରସ୍ତୁତ ନୁହେଁ ।
ଅନ୍ୟପକ୍ଷରେ ପାକିସ୍ତାନ୍ ପ୍ରତିରକ୍ଷା ଏବଂ ଯୁଦ୍ଧାସ୍ତ୍ର କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଜୋର୍ସୋର ଉଦ୍ୟମ ଚଳାଇଛି । ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନରେ ଭାରତର ସମକକ୍ଷ ହେବା ପାଇଁ ପ୍ରତିଯୋଗିତା କରୁଛି । କିନ୍ତୁ ଭାରତର ଏକ ପଡ଼ୋଶୀ ଦେଶ ଭାବରେ ତଥା ଭାରତ ସହିତ ଶତ୍ରୁତା ଥିବାରୁ ବହୁ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିର୍ମାଣ ଏହା ପାଇଁ ଆବଶ୍ୟକ ନଥିଲା । ହେଲେ ଏବେ ଏସବୁ ନିର୍ମାଣ କରୁଥିବାରୁ ଆମେରିକା ଏଥିରେ ଚିନ୍ତା ପ୍ରକଟ କରିବା ଏକ ସ୍ୱାଭାବିକ ଘଟଣା । ପୋଷା ବିଲେଇ ମାଲିକକୁ ରାମ୍ପୁଡ଼ିବା ଭଳି ଘଟଣା ଆମେରିକା ଅନୁମାନ କରିବା ମଧ୍ୟ ନିରାଧାର ନୁହେଁ । ପାକିସ୍ତାନ୍ର ଏସବୁ କାର୍ଯ୍ୟକ୍ରମ କେବଳ ଆମେରିକା ପାଇଁ ନୁହେଁ; ବରଂ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟିର ସମ୍ଭାବନା ରଖୁଥିବାରୁ କୂଟନୀତିକ ସ୍ତରରେ ପାକିସ୍ତାନ୍କୁ ଏଭଳି ଅସ୍ତ୍ରଶସ୍ତ୍ର ନିର୍ମାଣରୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ନିବୃତ୍ତ କରାଇବା ଉଚିତ୍ ।