ନିରଞ୍ଜନଙ୍କ ଘରୁ ଚୋରି ଉଦ୍ୟମ ଘଟଣା
ଅଟକ ଲୁଟେରା କୋର୍ଟ ଚାଲାଣ; ଲୁଟିଥିବା ଲୁଟେରାର ପତା ମିଳୁନି
ଭୁବନେଶ୍ୱର, ୨୯ା୧ : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆଉ ଏକ ଘରେ ପଶି ଲୁଟ୍ ଉଦ୍ୟମ ଘଟଣାରେ ଥାନାରେ ଅଟକ ଥିବା ସାଲିଆସାହି ମହାବୀର ନଗର ବସ୍ତିର ପି ପରମା ରାଓ ନାମକ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ । ସେ ଜଣେ ଡେନଡ୍ରାଇଭ୍ ସେବନ କରୁଥିବା ନିଶାଡି ବୋଲି ପୁଲିସ ସୂଚନା ଦେଇଛି । ହେଲେ ପ୍ରଥମ ଦିନ ତଥା ଗତ ୨୫ ତାରିଖ ରାତିରେ ନିରଞ୍ଜନଙ୍କ ଘରୁ କୋଟିଏ ଟଙ୍କାରୁ ଅଧିକ ସୁନା ଅଳଙ୍କାର ଓ ଟଙ୍କା ଲୁଟ୍ କରିଥିବା ଲୁଟେରାର ଆଜି ପର୍ଯ୍ୟନ୍ତ ପତା ମିଳୁନାହିଁ ।
ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ରାତିରେ ଆଉ ଏକ ଘରେ ଜଣେ ନିଶାଡି ଚୋର ପଶିଥିବା ସିସିଟିଭିରେ କଏଦ ହୋଇଥିଲା । ଚୋର ଜଣକ କିଛି ସମୟ ରେକୀ କରିବା ପରେ ଝରକା ଖୋଲି ଘର ଭିତରେ ପଶିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ଘରର ଷ୍ଟାଫ ଦେଖିଦେବାରୁ ଦୌଡିବାକୁ ଆରମ୍ଭ କରିଥିଲା ଚୋର । ତେବେ ଚୋରକୁ ସ୍ଥାନୀୟ ଲୋକେ ଓ ନୟାପଲ୍ଲୀ ଥାନାର ପାଟ୍ରୋଲିଂ ଚଳାଉଥିବା ପିସିଆର ଭ୍ୟାନର କର୍ମଚାରୀ ମାନେ କାବୁ କରିଥିଲେ । ପରେ ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା ଚଳାଇ ଆଜି କୋର୍ଟ ଚାଲାଣ କରାଯାଇଛି । ସେହିଭଳି ପୂର୍ବରୁ ତାଥା ଗତ ୨୫ ତାରିଖ ବିଳମ୍ବିତ ରାତିରେ ମଧ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ ଆଇଆରସି ଭିଲେଜସ୍ଥିତ ଘରୁ ବଡ଼ଧରଣର ଡକାୟତି ହୋଇଥିଲା । ତାଙ୍କର ଉପର ଘରୁ ଆଲମିରାର ଲକର ଭାଙ୍ଗି ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଓ ନଗଦ ଅଢ଼େଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ହେଲେ ଘଟଣାକୁ ୫ ଦିନ ପୁରିଯାଇଥିଲେ ମଧ୍ୟ ପୁଲିସ ଲୁଟେରାକୁ ଧରିବାରେ ସଫଳ ହୋଇପାରିନାହିିଁ । ଏଥିରୁ ଯାହା ଜଣାପଡୁଛି ରାଜଧାନୀରେ ଅପରାଧୀମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଖୁଲମ ଖୁଲା ଲୁଟ୍, ଡକାୟତି, ଛିନତାଇ, ହତ୍ୟା ଓ ହତ୍ୟା ଉଦ୍ୟମ କରି ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରୁଛନ୍ତି । କିନ୍ତୁ ପୁଲିସ ଛୋଟ ମୋଟ ଲୁଟେରା, ନିଶା ବେପାରୀ, ବାଇକ ଚୋର, ମୋବାଇଲ ଚୋର, ମାରପିଟ୍ ଭଳି ଘଟଣାର ଅଭିଯୁକ୍ତଙ୍କୁ ଧରି ବାହାବାହା ନେଉଛି । ସେପଟେ ହତ୍ୟା, ଡକାୟତି, ଏଟିଏମ ଡକାୟତି ଭଳି ବଡ଼ବଡ଼ ଘଟଣାର ଅଭିଯୁକ୍ତଙ୍କ ଟେର ପାଇପାରୁନାହିଁ । ଫଳରେ ମାମଲାର ଫାଇଲ ଗୁଡ଼ିକ ତଳେ ରହି ଚାପି ହୋଇଯାଉଛି ।