ଦୁଇ ମାସରେ ୭୦ କୋଟି ୬୪ ଲକ୍ଷ ସାଇବର ଠକେଇ


ଫ୍ରିଜ ହୋଇଛି ୧୨ କୋଟି ୭୯ ଲକ୍ଷ; ଲୋକେ ଫେରି ପାଇଛନ୍ତି ୨ କୋଟି ୫୪ଲକ୍ଷ
 ଭୁବନେଶ୍ୱର,୨୫ା୧୦ : ଦ୍ୱୈତନଗରୀରେ ସାଇବର ଠକେଇ ଘଟଣା ଏବେ ଚିନ୍ତାଜନକ ବିଷୟ ପାଲଟିଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କା ସାଇବର ଠକେଇର ଶୀକାର ହେଉଛନ୍ତି ସାଧାରଣ ଲୋକେ  । ଅଦୃଶ୍ୟ ଶକ୍ତର ମାୟା ଜାଲରେ ପଡି ସର୍ବସ୍ୱ ହରାଉଛନ୍ତି । ଏହି ସାଇବର ଠକମାନଙ୍କୁ ଧରିବାରେ କାହିଁକି ବିଫଳ ହେଉଛି ପୁଲିସ ତାହାକୁ ନେଇ ଅନେକ ସମୀକ୍ଷା କରାଯାଉଥିଲେ ମଧ୍ୟ କୌଣସି ବାଟ ବାହାରି ପାରୁନାହିଁ । ସାଇବର ଠକମାନେ ଭିନ୍ନ ଭିନ୍ନ ତରିକା ଆପଣାଇ ଲୋକମାନଙ୍କ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା । ଗତ ଦୁଇ ମାସରେ ଆଶ୍ଚର୍ଯ୍ୟ ଚକିତ ହେବା ଭଳି ଘଟଣା ଦେଖିବାକୁ ମିଳିଛି । ଦୁଇ ମାସରେ ସାଇବର ଠକମାନେ ଭୁବନେଶ୍ୱରରରୁ ଲୋକମାନଙ୍କ ଆକାଉଣ୍ଟରୁ ଠକି ନେଇଛନ୍ତି ୬୯ କୋଟି ୯୯ଲକ୍ଷ ୯୦ହଜାର ୮୫୦ଟଙ୍କା  । ସେହିଭଳି କଟକରୁ  ୬୪ ଲକ୍ଷ ୪୬ ହଜାର ୫୭୩ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ସମୁଦାୟ ୭୦ କୋଟିରୁ ଅଧିକ ଠକେଇ ଟଙ୍କାରୁ ସାଇବର ପୁଲିସ ୧୨ କୋଟି ୭୯ଲକ୍ଷ ଟଙ୍କା ଫି୍ରଜ କରିଥିବା ବେଳେ ୨କୋଟି ୫୪ଲକ୍ଷ ୪୬ ହଜାର ୫୭୩ ଟଙ୍କା ଲୋକଙ୍କୁ ଫେରାଇ ଦିଆଯାଇଛି । ସେହିଭଳି  ଭୁବନେଶ୍ୱରରେ  ୨୭୬ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ, କଟକରେ ୭୩ଟି ମାମଲା ହୋଇଛି । ସେହିଭଳି କଟକ ଓ ଭୁବନେଶ୍ୱରରେ  ୩୪୯ଟି ମାମଲା ରୁଜୁ ହୋଇଥିବା ବେଳେ, କଟକ ଓ ଭୁବନେଶ୍ୱର ୪୦ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ପଟେ ସାଇବର ଥାନା ପୁଲିସ ହେଲପ୍‌ ଡେକ୍ସ ଜରିଆରେ ଲୋକମାନଙ୍କୁ ସଚେତନ କରୁଥିଲେ ମଧ୍ୟ ସାଇବର ଠକେଇ ଘଟଣା କମିବାର ନାଁ ଧରୁନାହିଁ  । ସାଇବର ପୁଲିସ ଜାରି କରିଥିବା ହେଲପ୍ ଲାଇନ ନମ୍ବର ହେଲା ୭୪୪୦୦୦୬୭୦୯ ସେହିଭଳି ମେଲ ଆଇଡି ମଧ୍ୟ ଜାରି କରାଯାଇଛି  । ସେହିଭଳି ସାଇବର ପୁଲିସ ବିଭିନ୍ନ ସ୍କୁଲ ଓ କଲେଜକୁ ଯାଇ ସାଇବର ସଚେତନ କରୁଛି  । ସାଇବର ମିତ୍ର ଓ  ଭଲୁ୍ୟଣ୍ଟରମାନଙ୍କୁ ନିୟୋଜିତ କରି ସଚେତନ ମଧ୍ୟ କରାଯାଉଛି ।