ଲୁଟ୍ ଉଦ୍ୟମ ସଫଳ ନହେବାରୁ ତାତିଲେ ଲୁଟେରା
ଦୋକାନୀଙ୍କୁ ଗ୍ୟାସ ଟାଙ୍କି ଫୋପାଡି ହୋଇଗଲେ ଫେରାର ; ଜଣେ ଗିରଫ
ଭୁବନେଶ୍ୱର, ୮ା୪ : ମୁହରେ ମୁଖା ପିନ୍ଧି ଦୋକାନ ଲୁଟ୍ କରିବାକୁ ଆସିଥିଲେ ଲୁଟେରା । ଦୋକାନୀଙ୍କୁ ଭୁଜାଲି ଦେଖାଇ ମାଗିଥିଲେ ଟଙ୍କା, ହେଲେ ଦୋକାନୀ ମନା କରିବାରୁ ତାତିଗଲେ ଲୁଟେରା । ଫଳରେ ଦୋକାନ ସାମ୍ନାରେ ଥିବା ଗ୍ୟାସ ସିଲିଣ୍ଡରକୁ ଦୋକାନୀଙ୍କ ଉପରକୁ ଫୋପାଡ଼ି ବାଇକରେ ଫେରାର ହୋଇଗଲେ । ଏଭଳି ଘଟଣା ଘଟିଛି ସାଲିଆସାହି ନୀଳକଣ୍ଠ ନଗର ଅଞ୍ଚଳରେ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ନୟାପଲ୍ଲୀ ଗଡ଼ସାହିର ରାହୁଲ ମାଝି ଓରଫ କାହ୍ନାଁ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ସୁଦର୍ଶନ ନାୟକଙ୍କ ଏକ ଜଗନ୍ନାଥ ହୋମ ଆପ୍ଲିଆନ୍ସ ନାମରେ ଏକ ଦୋକାନ ନୀଳକଣ୍ଠ ନଗରରେ ରହିଛି । ଗତ ତା ୧୭.୧୧.୨୦୨୩ ରିଖ ରାତି ୮ଟା ବେଳେ ଅଭିଯୁକ୍ତ ଏବଂ ତାର କିଛି ସହଯୋଗୀ ମୁହଁରେ ମୁଖା ପରିଧାନ କରି ଅଭିଯୋଗକାରୀଙ୍କ ଦୋକାନକୁ ଯାଇ ତାଙ୍କୁ ଭୁଜାଲି ଦେଖାଇ ଲକରରେ ଥିବା ସମସ୍ତ ଟଙ୍କା ଦେବାକୁ କହିଥିଲେ । ହେଲେ ଦୋକାନୀ ଜଣଙ୍କ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତ ମାନେ ରାଗିଯାଇ ତାଙ୍କୁ ଧମକ ଚମକ ଦେବାସହ ମାଡ ମାରିଥିଲେ ଏବଂ ବାହାରେ ଥିବା ଏକ ଗ୍ୟାସ ହାଣ୍ଡିକୁ ଦୋକାନୀଙ୍କ ଉପରକୁ ଫୋପାଡ଼ି ଫେରାର ହୋଇଯାଇଥିଲେ । ଏନେଇ ଦୋକାନୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ଚଢ଼ାଉ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।