ନିଶାମୁକ୍ତ ସମାଜ ଗଠନ ଜରୁରୀ : ନିତ୍ୟାନନ୍ଦ
ଭୁବନେଶ୍ୱର : ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ । ସେ କହିଥିଲେ ଯେ ବିଶ୍ୱରେ ନିଶାସେବନ ଏକ ସମସ୍ୟା ଭାବେ ଉଭା ହୋଇ ପାରିବାରିକ ଓ ସାମାଜିକ ଜୀବନରେ ନାନାଦି କ୍ଷତି ପହଞ୍ଚାଉଛି । ନିଶାଦ୍ରବ୍ୟର ଅବୈଧ କାରବାର ଏବଂ ସଂଗଠିତ ଅପରାଧ ଯୋଗୁଁ ସମାଜରେ ମଧ୍ୟ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି । ନିଶାମୁକ୍ତ ସମାଜ ଲକ୍ଷ୍ୟ ହାସଲ ଦିଗରେ ନିଶାକାରବାରକୁ ରୋକିବା ଏବଂ ନିଶାଗ୍ରସ୍ତଙ୍କ ଥଇଥାନ ଓ ପୁନର୍ବାସକୁ ପ୍ରାଥମିକତା ଦେବା ଜରୁରୀ ହୋଇପଡ଼ିଛି । ବୈଜ୍ଞାନିକ ତଥ୍ୟ ଭିତ୍ତିକ ପଦ୍ଧତି ଦ୍ୱାରା ଏହି ଆହ୍ୱାନର ମୁକାବିଲା କରାଯାଇପାରିବ । କର୍ମଶାଳାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଯେପରିକି ଉକôଳ ବିଶ୍ୱବିଦ୍ୟାଳୟ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଏସ୍ସିବି ମେଡିକାଲ କଲେଜ, ରମାଦେବୀ ବିଶ୍ୱବିଦ୍ୟାଳୟ, କିଟ ବିଶ୍ୱବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ, କମିଶନରେଟ୍ ପୁଲିସ, ଅବକାରୀ ବିଭାଗ, ଗୃହ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।