ଗଜଲକ୍ଷ୍ମୀ ପୂଜାରେ ସହାୟତା ରାଶି ପ୍ରଦାନ ପ୍ରସଙ୍ଗ : ଢେଙ୍କାନାଳକୁ ଦେଲ, କେନ୍ଦ୍ରାପଡ଼ାକୁ ଦିଅ


ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡ଼ସିଂ : 
ରାଜ୍ୟରେ ପ୍ରଥମଥର ଲାଗି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ଢେଙ୍କାନାଳର ସର୍ବମୋଟ ୩୮ ଟି ମେଢକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ପ୍ରତ୍ୟେକ ମେଢ଼କୁ ୫୦ ହଜାର ଟଙ୍କା ଲେଖାଏଁ, ସର୍ବମୋଟ ୩୮ଟି ମେଢ଼କୁ ୧୯ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା । କେନ୍ଦ୍ରାପଡ଼ା ଜିଲ୍ଲାର ଗଣ ପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ମଧ୍ୟ ସରକାର ଏହି ସହାୟତା ରାଶି ପ୍ରଦାନ ନିଷ୍ପତ୍ତି ଘୋଷଣା କରନ୍ତୁ ବୋଲି ଜିଲ୍ଲାର ବିଭିନ୍ନ ମହଲରୁ ସ୍ୱର ଉଠିବା ପରେ ବିଧାୟକ ଗଣେଶ୍ୱର ବେହେରା, ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଦାବି ଉପସ୍ଥାପନା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଧାୟକ ଶ୍ରୀ  ବେହେରା ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଢେଙ୍କାନାଳର ବିଭିନ୍ନ ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ରାଶି ପ୍ରଦାନ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ସେହିପରି କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ମଧ୍ୟ ଜିଲ୍ଲାର ଏହା ବୃହତ ସାର୍ବଜନୀନ ଗଣପର୍ବ । ଏହା ୭ ଦିନ ଧରି ପାଳିତ ହୁଏ । ଚଳିତ ବର୍ଷ ମୋଟ ୪୮ଟି ମଣ୍ଡପରେ ଧନଦାତ୍ରୀ ମା’ ପୂଜା ପାଇବେ । ଅକ୍ଟୋବର ୭ ରୁ ୧୫ ତାରିଖ ପର୍ଯ୍ୟନ୍ତ ପୂଜା ପାଳିତ ହେବ । ଏଣୁ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ମଣ୍ଡପକୁ ଢେଙ୍କାନାଳ ଭଳି ଉଦାରତାର ସହ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ଅନୁରୋଧ କରୁଛନ୍ତି ।ା ଅବିଳମ୍ବେ ଏହାର ଉଚିତ୍ ବିଚାର କରିବେ ବୋଲି ବିଧାୟକ ଶ୍ରୀଯୁକ୍ତ ବେହେରା, ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ଲେଖିଥିବା ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ଚିଠି ପାଇବା ପରେ କେନ୍ଦ୍ରାପଡ଼ା ପ୍ରତି ଉଦାରତା ଦେଖାଉଛନ୍ତି ନା ପୁଣି କେନ୍ଦ୍ରାପଡ଼ାକୁ ସରକାରଙ୍କ ସାବତ ପୁଅ ପରି ଅନୁଭବ କରିବାପାଇଁ ଛାଡି ଦେଉଛନ୍ତି ।