ତ୍ରୁଟିପୂର୍ଣ୍ଣ ଗଳିପୋଲ, ଉଠିପାରିବନି ୩ ଚକିଆ ଗାଡ଼ି

 ବ୍ୟାସନଗର : ମାସକ ଭିତରେ ଶେଷ ହେବ ବୋଲି କୁହାଯାଇଥିଲା । ହେଲେ ଇତିମଧ୍ୟରେ ୬ମାସ ଛୁଇଁଲାଣି । କିନ୍ତୁ ବହୁ ପ୍ରତିକ୍ଷିତ ଗଳିପୋଲ କାର୍ଯ୍ୟ ଶେଷ ହୋଇପାରିନି । ଚଳିତ ମାସ ରଜ ପୂର୍ବରୁ ଗଳିପୋଲ କାର୍ଯ୍ୟ ଶେଷ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବ ପରି ମିଳିଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ପରି ରହିଯିବାର ଆଶଙ୍କା କାର୍ଯ୍ୟର ମନ୍ଥର ଗତିରୁ ଜଣାପଡ଼ିଯାଇଛି । ଆଜି ନହେଲେ କାଲି ଗଳିପୋଲ କାର୍ଯ୍ୟ ଶେଷ ହେବ ଏହା ନିଶ୍ଚିନ୍ତ । ଗଳିପୋଲ ହେଲେ ବ୍ୟାସନଗରବାସୀ ଯେଉଁ ସୁବିଧା ପ୍ରାପ୍ତ କରିବେ ବୋଲି ବିଶ୍ୱାସ ରହରିଥିଲା, ତାହା ହେବାର ଦେଖାଯାଉନି । ସ୍ପଷ୍ଟ କହିବାକୁ ଗଲେ ଗଳିପୋଲଟି ସଂପୂର୍ଣ୍ଣ ଭାବେ ତୃଟିପୂର୍ଣ୍ଣ ହୋଇଛି । ପୂର୍ବତଟ ରେଳବାଇର ଯାଜପୁର ରୋଡ଼ ରେଳଷ୍ଟେସନ ନିକଟ ଲେବୁଲ କ୍ରସିଂ ନଂ ୧୪୦ଡାକବଙ୍ଗଳା ଛକ ନିକଟରେ ଚାଲିଛି ଗଳିପୋଲ ନିର୍ମାଣ । ୪ କୋଟି ୮୪ ଲକ୍ଷ ୨୦ହଜାର ୯୦୯ଟଙ୍କା ବ୍ୟୟ ବରାଦରେ ନିର୍ମାଣଧିନ ଗଳିପୋଲର ଡ଼ିଜାଇନରେ ବ୍ୟାପକ ତୃଟି ପରିଲକ୍ଷିତ ହୋଇଛି । ନିର୍ମାଣ ଏଭଳି ହୋଇଛି ଯେ ଗଳିପୋଲରେ ଟ୍ରଲି, ଅଟୋ ଭଳି ୩ ଚକିଆ ଗାଡ଼ି ଗୋଟିଏ ପଟରୁ ଗଲେ ଆରପଟରେ ଉଠିପାରିବନି । ଯଦି ୩ଚକିଆ ଗାଡ଼ି ଉଠିବାକୁ ଚେଷ୍ଠା କରିବ, ତେବେ ଓଲଟି ପଡ଼ିବାଟା ଥୟ । ଗଳିପୋଲ ବର୍ଷକ ବାରମାସରେ ଯିବା ଆସିବା କଷ୍ଟକର ହୋଇପଡ଼ିବ । କାରଣରୁ ଗଳିପୋଲରେ ବର୍ଷାଦିନେ ଆଣ୍ଠୁଏ ଉଚରେ ପାଣି ଜମି ରହିବ ।

ଏକଥା ଆମେ କହୁନୁ, କାର୍ଯ୍ୟରେ ନିୟୋଜିତ ସୁପରଭାଇଜରଙ୍କୁ ପଚାରିବାରେ କହିଛନ୍ତି । ରଜ ପୂର୍ବରୁ କାର୍ଯ୍ୟ ଶେଷ ହେବାକୁ ଥିବାରୁ କାର୍ଯ୍ୟ କେତେବାଟ ଗଲା ଅନୁଧ୍ୟାନ କରିବାକୁ ଏହି ପ୍ରତିନିଧି ଯିବା ବେଳେ ଉପସ୍ଥିତ ସୁପରଭାଇଜର କହୁକହୁ ସତ କହି ଦେଇଥିଲେ । ଡ଼ାକବଙ୍ଗଳା ଛକରୁ ଗୋପବନ୍ଧୁ ଛକକୁ କୈାଣସି ୩ଚକିଆ ଗାଡ଼ି ଗଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଥିବା କଥା ପଚାରିବାରେ ସୁପରଭାଇଜର ଆମକୁ ଯାହା ‘ଡ଼ିଜାଇନ’ ମିଳିଛି, ସେହି ହିସାବରେ କାର୍ଯ୍ୟ କରାଯାଉଛି ବୋଲି କହିଥିଲେ । ଅତଏବ ଗଳିପୋଲ ନିର୍ମାଣ ଡ଼ିଜାଇନ ହିଁ ତୃଟିପୂର୍ଣ୍ଣ ରହିଛି । ଡ଼ିିଜାଇନ ଛାଡ଼ ଯେକେହି ବି ଗଳିପୋଲକୁ ଦେଖିବ, ନିଶ୍ଚିନ୍ତ ଅନୁଭବ କରିବ । ଗଳିପୋଲ ଗୋପବନ୍ଧୁ ଛକରୁ ଯେତିକି ଗଡ଼ାଣି ହୋଇଛି ବିପରିତ ଦିଗରୁ ୩ଚକିଆ ବୋଝେଇ ଗାଡ଼ି ଆସିଲେ ଉଠିବା ମୁସ୍କିଲ ହୋଇପଡ଼ିିବ । ଯଦି ଗାଡ଼ିର ବ୍ରେକ ଫେଲ ହୋଇଗଲା, ତେବେ କଥା ସରିଗଲା । ଅନ୍ୟପଟେ ଗଳିପୋଲ ନିକଟରେ ଡ଼୍ରେନ ଯାଇଥିବାରୁ ବର୍ଷାଦିନେ ପୋଲରେ ପାଣି ଜମିରହିବ । ଯାହା ଘଣ୍ଟା ଘଣ୍ଟା ନୁହେଁ ୨/୩ଦିନ ପର୍ଯ୍ୟନ୍ତ ଜମି ରହିବ । ଏଣୁ ଗଳିପୋଲ ନଗରବାସୀଙ୍କ ସମସ୍ୟା ଦୂର କରିବା ବଦଳରେ ବଢାଇବ ବୋଲି କୁହାଯାଇପାରେ । ଏଥିପ୍ରତି ରେଳବାଇ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି । ଗତବର୍ଷ ଡ଼ିସେମ୍ବର ମାସ ୧୪ତାରିଖରେ ଗଳିପୋଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା ମାସକରେ ସରିବା କଥା ତାହା ବିଳମ୍ବିତ ଚାଲିଥିବା ବେଳେ, ତ୍ରୁଟିପୂର୍ଣ୍ଣ ନଗରବାସୀଙ୍କ ଚିନ୍ତା ବଢାଇବାକୁ ଯାଉଛି ।