ପରାକ୍ରମ ଦିବସରେ ଛାତ୍ରଛାତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା : ‘୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ହେବ ଭାରତ’
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦର ସେଣ୍ଟ୍ରାଲ ହଲରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ୨୦୪୭ ସୁଦ୍ଧା ଦେଶର ଲକ୍ଷ୍ୟ କ'ଣ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପଚାରିଥିବା ବେଳେ ଉତ୍ତରରେ ଜଣେ ଛାତ୍ର ଭାରତକୁ ଏକ ବିକଶିତ ରାଷ୍ଟ୍ର (ବିକଶିତ ଭାରତ)ରେ ପରିଣତ କରିବାକୁ ପଡ଼ିବ ବୋଲି ଆତ୍ମବିଶ୍ୱାସର ସହ କହିଥିଲେ । ଆଉ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତିଉତ୍ତରରେ କହିଥିଲେ ଯେ, ୨୦୪୭ରେ ଯେତେବେଳେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ସେତେବେଳେ ବର୍ତ୍ତମାନର ପିଢ଼ି ଦେଶର ସେବା କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିଥିବ । ସେହିପରି ଛାତ୍ରଛାତ୍ରୀମାନେ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଅନୁଷ୍ଠିତ ହେଉଥିବା ପରାକ୍ରମ ଦିବସ ସମ୍ପର୍କରେ ନିଜର ମତାମତ ଦେଇଥିଲେ । ଏହାସହ ନେତାଜୀଙ୍କ ଚର୍ଚ୍ଚିତ ସ୍ଲୋଗାନ "ମୋତେ ରକ୍ତ ଦିଅ ଏବଂ ମୁଁ ତୁମକୁ ସ୍ୱାଧୀନତା ଦେବି’ ଉପରେ ମଧ୍ୟ ଛାତ୍ରଛାତ୍ରୀ ନିଜର ମତପୋଷଣ କରିଥିଲେ । ନେତାଜୀ ବୋଷ ନିଜ ଦେଶକୁ ସର୍ବଦା ଆଗରେ ରଖି ପ୍ରକୃତ ନେତୃତ୍ୱ ପ୍ରଦର୍ଶନ କରୁଥିଲେ ଏବଂ ଏହି ସମର୍ପଣ ଆମକୁ ବହୁତ ପ୍ରେରଣା ଦେଇଛି ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଥିଲେ । ଦେଶ ପ୍ରତି ସମର୍ପଣ ଭାବ ରଖୁଥିବା ନେତାଜୀଙ୍କ ଠାରୁ ତୁମେମାନେ କି ପ୍ରେରଣା ପାଇଛ ବୋଲି ଉତ୍ତରରେ ଜଣେ ଛାତ୍ରୀ କହିଥିଲେ ସେ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ର ଏକ ଅଂଶ ସ୍ୱରୂପ ଦେଶରେ କାର୍ବନ ନିର୍ଗମନ ହ୍ରାସ କରିବାକୁ ପ୍ରେରିତ ହୋଇଛନ୍ତି ।