ଧୂଳିଗଡ଼ ଜଙ୍ଗଲରୁ ବେଧଡ଼କ କାଠ ଓ ମୋରମ ଲୁଟ

ଦାନଗଦୀ: ଜଙ୍ଗଲ ସୃଷ୍ଠି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । କିନ୍ତୁ ଯେଉଁଠି ବର୍ଷ ପୁରାତନ ଜଙ୍ଗଲ ରହିଛି, ତାହା କାଠ ଓ ମୋରମ ମାଫିଆଙ୍କ କାରଣରୁ ଲୋପ ପାଇବାକୁ ବସିଥିଲେ ହେଁ ଜଙ୍ଗଲ ବିଭାଗ ନିଦ ଭାଙ୍ଗୁନି । କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଜଙ୍ଗଲ ବିଭାଗ କାରଣରୁ ଏଭଳି ସ୍ଥିତି ଉପୁଜିଛି ଦାନଗଦୀ ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ଜଙ୍ଗଲ । ଦୁଃଖର କଥା ଧିରେ ଧିରେ ଲୋପ ପାଇବା ରାସ୍ତାରେ ସପୃକ୍ତ ଜଙ୍ଗଲ । ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଥିବା ଜଙ୍ଗଲଟିରେ ଏବେ ଗଛ କଟା ଓ ମୋରମ ଖୋଳା ନିର୍ଭୟରେ ଚାଲିଛି । ଦିନ ଦି ପ୍ରହରରେ ଅବାଧରେ ଜଙ୍ଗଲ ଲୁଟ ଚାଲିଛି । ଏହି ପୁରାତନ ଜଙ୍ଗଲଟି ୩୦ଏକର ବିଶିଷ୍ଟ । ଯାହା କଳିଙ୍ଗନଗର ଶିଳ୍ପାଞ୍ଚଳ ନିକଟବର୍ତି । ଜଙ୍ଗଲଟିରେ ବହୁ ଔଷଧୀୟ ଗଛ ସହ ଶାଳ, ଚାକୁଣ୍ଡା, ପିଆଶାଲ, ଆକାଶିଆ, ଅର୍ଜୁନ ଆଦି ବହୁ ମୂଲ୍ୟବାନ ଗଛ ରହିଥିଲା । ଯାହା ଏବେ ଲୋପ ପାଇବାକୁ ବସିଛି । କୋଟି କୋଟି ଟଙ୍କା ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଆସୁଛି, ହେଲେ ଏଠି ଜଙ୍ଗଲକୁ ସୁରକ୍ଷା ପାଇଁ ଉତ୍ତର ଦାୟି ହେଉନି ବିଭାଗ । ଜଙ୍ଗଲ ପାଖରେ ବେଆଇନ ଭାବରେ ଜୁଆ ଖେଳ, କୁକୁଡ଼ା ଲଢେଇ ଓ ବିଭିନ୍ନ ଅସାମାଜିକ କାର୍ଯକଳାପ ବୃଦ୍ଧି ପାଉଛି । ରାତିରେ ଚୋର ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ଜଙ୍ଗଲ ଭିତରୁ ମୋରମ ଲୁଟୁ ଚାଲିଛି । ୨୦ଟ୍ରିପରୁ ଅଧିକ ମୋରମ କିଛି ଦିନ ଭିତରେ ଉଠି ଗଲାଣି । ଜଙ୍ଗଲକୁ ଲାଗି ରହିଥିବା ସାହିର କିଛି ଲୋକ ଦେଶୀ ମହୁଲି ଜଙ୍ଗଲ ଭିତରେ ଲୁଚାଇ ନିର୍ଭୟରେ ବିକୁଛନ୍ତି । ଜଙ୍ଗଲରେ ଚାଲୁଥିବା ବେଆଇନ କାରବାରକୁ ବିରୋଧ କରୁଥିବା ସାମାଜିକ କର୍ମୀଙ୍କ ଉପରେ ଆକ୍ରମଣ ହେଉଛି । ଦିନ ଦି ପ୍ରହରରେ ମଦ ବେପାରୀ, ଆକ୍ରମଣକାରୀ ବୁଲୁଥିବା ବେଳେ ପୁଲିସ ଧରୁନାହିଁ । ଜଙ୍ଗଲ ଆଉ ନାହିଁ ଧିରେ ଧିରେ ପଦା ହୋଇଗଲାଣି ବୋଲି କୁହାଯାଇପାରେ । ଜଙ୍ଗଲ ଭିତରକୁ ଘର ମାଡି ଗଲାଣି, କିନ୍ତୁ ବିଭାଗ ନିରବପଛର କାରଣ କଣ? ଶିଳ୍ପ ଚାରିପାଖରେ ଥିବା ଗାଁ ଗୁଡିକ ପ୍ରଦୂଷଣରୁ ରକ୍ଷା ପାଇଁ କାରଖାନାକୁ ବୃକ୍ଷ ରୋପଣ ପାଇଁ ବାରମ୍ବାର ପ୍ରଶାସନ କହୁଥିବା ବେଳେ ଗୋଦାରା କୋଡ଼େ ଯେତେ ମାଡ଼େ ସେତେ ଭଳି ବହୁ ପୁରୁଣା ଜଙ୍ଗଲକୁ ମାଫିଆ ଲୁଟିବାରେ ଲାଗିଛନ୍ତି । ଦାନଗଦୀ ବଜାର ଓ ମେଡିକାଲର ସମସ୍ତ ଆବର୍ଜନା ଗଦା ହେଉଛି ଧୂଳିଗଡ଼ ଜଙ୍ଗଲ । ବନ ବିଭାଗ ଓ ପ୍ରଶାସନର ଦୃଷ୍ଟି ଏମିତି ଦୂରେଇ ରହିଲେ ବର୍ଷ କେଇଟାରେ ଜଙ୍ଗଲ ରେକର୍ଡରେ ଥିବ, ହେଲେ ଗଛଟିଏ ନଥିବ ।