ପାକରେ ଟଳିଳା ଲସ୍କର ଆତଙ୍କୀ ସୈଫୁଲ୍ଲା
ନୂଆଦିଲ୍ଲୀ: ପାକିସ୍ତାନରେ ଟଳିଲା ଲସ୍କର ଆତଙ୍କୀ ସୈଫୁଲ୍ଲା ଖାଲିଦ୍ । ଭାରତରେ ୨୦୦୫ରୁ ୨୦୦୮ ମଧ୍ୟରେ ତିନୋଟି ବଡ଼ ଧରଣର ଆତଙ୍କୀ ଆକ୍ରମଣ କରିଥିବା ସୈଫୁଲ୍ଲା ପାକିସ୍ତାନ୍ର ସିନ୍ଧ୍ ଅଞ୍ଚଳରେ କୌଣସି ଅଜଣା ବ୍ୟକ୍ତି ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ୨୦୦୫ରେ ବେଙ୍ଗାଲୁରୁରେ ଇଣ୍ଡିଆନ୍ ସାଇନ୍ସ କଂଗ୍ରେସ (ଆଇଏସ୍ସି)ରେ ଆକ୍ରମଣ, ୨୦୦୬ରେ ନାଗପୁର ସ୍ଥିତ ଆର୍ଏସ୍ଏସ୍ ମୁଖ୍ୟାଳୟରେ ଆକ୍ରମଣ ଏବଂ ୨୦୦୮ରେ ରାମପୁରରେ ସିଆର୍ପିଏଫ୍ କ୍ୟାମ୍ପ୍ ଉପରେ ବିପୁଳ ଭାବେ ଆକ୍ରମଣ କରିଥିଲା । ଦୀର୍ଘ ତିନିବର୍ଷ ପର୍ଯ୍ୟନ୍ତ ଭାରତରେ ଲସ୍କର୍ ସଂଗଠନ ପକ୍ଷରୁ କରାଯାଇଥିବା ଏହି ଅପରେସନ୍ ଗୁଡ଼ିକର ସୈଫୁଲା ନେତୃତ୍ୱ ନେଇଥିବା ବେଳେ ଏଥିରେ ବହୁ ଧନଜୀବନ ହାନୀ ହୋଇଥିଲା । ଆଉ ସେତେବେଳେ ଭାରତୀୟଙ୍କ ମନରେ ଭୟ ସଞ୍ଚାର କରିବା ପାଇଁ ଲସ୍କର-ଏ-ତୋଏବା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ବିବୃତ୍ତି ଜାରି କରିଥିଲା । ସୂଚନାଯୋଗ୍ୟ ସୈଫୁଲା ଦୀର୍ଘଦିନ ଧରି ଛଦ୍ମନାମ (ବିନୋଦ କୁମାର)ରେ ନେପାଳରେ ଆତ୍ମଗୋପନ କରିଥିଲା । ସେଠାରେ ନଗ୍ମା ବାନୁ ନାମକ ଜଣେ ସ୍ଥାନୀୟ ମହିଳାଙ୍କୁ ବିବାହ କରି ଛଦ୍ମବେଶରେ ରହୁଥିଲା । କିଛିଦିନ ସେଠାରେ ରହିବା ପରେ ଲସ୍କର ସଂଗଠନ ସହ ସମ୍ପର୍କ ରଖିବା ତଥା ସଂଗଠନର ଜରୁରୀ ଆବଶ୍ୟକତା ପୂରଣରେ ବାଧା ଉପୁଜିବାରୁ ସେ ଏଇ କିଛିବର୍ଷ ହେବ ପାକିସ୍ତାନ୍ ସିନ୍ଧ ପ୍ରଦେଶର ବାଦିନ ଜିଲ୍ଲାରେ ଅବସ୍ଥାନ କରିଥିଲା । ଆଉ ସେଠାରେ ପ୍ରତ୍ୟେକ୍ଷ ଭାବେ ଜାତିସଂଘ ଦ୍ୱାରା ଅବୈଧ ଘୋଷିତ ଲସ୍କର ସଂଗଠନର ନେତୃତ୍ୱ ନେଇଥିଲା । ଆତଙ୍କୀ କାର୍ଯ୍ୟକଳାପ, ସଂଗଠନକୁ ସଦସ୍ୟ ଯୋଗାଇବା ଏବଂ ସଂଗଠନକୁ ପାଣ୍ଠି ଯୋଗାଡ଼ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଉଲ୍ଲେଖ ଯୋଗ୍ୟ ଗତ ସପ୍ତାହରେ ଦକ୍ଷିଣ କାଶ୍ମୀର ସୋପିଆନ୍ ଜିଲ୍ଲାରେ ଭାରତ ସେନା ପକ୍ଷରୁ ଅପରେସନ୍ କମାଣ୍ଡର୍ ଜରିଆରେ ତିନି ଲସ୍କର୍ ଆତଙ୍କୀଙ୍କୁ ହତ୍ୟା କରାଯାଇଛି । ସେମାନେ ହେଉଛନ୍ତି ସାହିଦ କୁଟେ, ଆଦନନ୍ ସାଫି ଏବଂ ଅସନ୍ ହକ୍ ସେଖ ।