ଜମ୍ମୁ-କାଶ୍ମୀରରେ ସକ୍ରିୟ ଅଛନ୍ତି ୧୧୯ ଆତଙ୍କବାଦୀ

ାା ଏଜେନ୍ସି ।ା ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଏବେ ୧୧୯ ଜଣ ଆତଙ୍କବାଦୀ ସକ୍ରିୟ ରହିଛନ୍ତି । ଉଭୟ ଅପରେସନ ଓ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ରହି ଉପତ୍ୟକାର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି । ଏପରି କିଛି ସାଂଘାତିକ ତଥ୍ୟ ଗୁଇନ୍ଦା ବିଭାଗ ଦେଇଛି । ଏହି ରିପୋର୍ଟ ଅନୁସାରେ, ଉତ୍ତର ପୀର ପଞ୍ଜଲ ରେଞ୍ଜରେ ଏବେ ମୋଟ ୭୯ ଜଣ ଆତଙ୍କବାଦୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୮ ଜଣ ସ୍ଥାନୀୟ ଓ ୬୧ ଜଣ ବିଦେଶୀ ଆତଙ୍କୀ ରହିଛନ୍ତି । ସେହିପରି ଦକ୍ଷିଣ ପୀର ପଞ୍ଜଲରେ ସକ୍ରିୟ ଥିବା ୪୦ ଜଣଙ୍କ ମଧ୍ୟରୁ ୩୪ ଜଣ ବିଦେଶୀ ଓ ୬ ଜଣ ସ୍ଥାନୀୟ ଆତଙ୍କବାଦୀ ଅଛନ୍ତି । ଏବେ ଏହି ତଥ୍ୟ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି । ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡିଛି ।
ସୂତ୍ର ଅନୁସାରେ, ଜମ୍ମୁ-କାଶ୍ମୀରରରେ ଚଳିତ ବର୍ଷ ୨୫ ବର୍ଷଟି ଆତଙ୍କବାଦ ସହ ଜଡିତ ଘଟଣା ଘଟିଛି । ଏଥିରେ ୨୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ୨୦୨୩ରେ ୨୫ଟି ଆତଙ୍କବାଦ ଜଡିତ ଘଟଣା ଘଟିଥିବା ବେଳେ ୨୭ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ଚଳିତ ବର୍ଷ ଆତଙ୍କବାଦ ନିରୋଧ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଚଳିତ ବର୍ଷ ୬୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୫ ଜଣ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଓ ୧୬ ଜଣ ଏଲଓସି ନିକଟରେ ଆଖି ବୁଜିଛନ୍ତି । ନିହତ ୬୧ ଜଣଙ୍କ ମଧ୍ୟରୁ ୨୧ ଜଣ ହେଉଛନ୍ତି ପାକିସ୍ତାନ ନାଗରିକ । ୨୦୨୩ରେ ୬୦ ଜଣ ଆତଙ୍କୀ ନିହତ ହୋଇଥିଲେ ।