ପାକ୍‌ ରେ ୨୧ ଦିନ ଅଟକ ପରେ ଫେରିଲେ ବିଏସ୍‌ଏଫ୍‌ ଯବାନ

ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ । ଅଟ୍ଟାରୀ-ୱାଘା ସୀମା ଦେଇ ଫେରିଲେ ଭାରତ । ୨୧ ଦିନ ପାକିସ୍ତାନ କବ୍‌ଜାରେ ରହିବା ପରେ ଘରକୁ ଫେରିଲେ ପୂର୍ଣ୍ଣମ କୁମାର । ଭୁଲବଶତଃ ସୀମା ଅତିକ୍ରମ କରିଥିବାରୁ ଏପ୍ରିଲ ୨୩ରୁ ପାକିସ୍ତାନରେ ଅଟକ ଥିଲେ କିନ୍ତୁ ଏବେ ମୁକ୍ତ କରିଛି ପାକିସ୍ତାନ ରେଞ୍ଜର୍ସ ।  ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ୨୩ ଏପ୍ରିଲରେ ବିଏସଏଫ ଯବାନ ପିକେ ସ'ଙ୍କୁ ପାକିସ୍ତାନ ରେଞ୍ଜର୍ସ ଫିରୋଜପୁର ସୀମାରେ ଅଟକ ରଖିଥିଲେ । ଗତ ୨୧ ଦିନ ଭିତରେ ପିକେ ସ'ଙ୍କୁ ଛାଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ ମିଟିଂ କରିଛନ୍ତି କିନ୍ତୁ ପାକ୍‌ ତରଫରୁ କୌଣସି ଉତ୍ତର ଆସିନଥିଲା । 

ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସ' ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍‌ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ଆଶା ଥିଲା ଯେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପୁଣି ଥରେ ବୈଠକ ପରେ ଯବାନଙ୍କୁ ଅଣାଯାଇପାରିବ । ଶେଷରେ ସେଇଆ ହିଁ ହେଲା,ଭାରତ ଫେରିଲେ ଯବାନ୍‌ । ହାର୍‌ ମାନିଲା ପାକିସ୍ତାନ,ଭାରତର ବଡ଼ କୂଟନୈତିକ ବିଜୟ ହୋଇଛି ।