ବୁଡ଼ିଯିବ କି ବାଉଁଶ ବେପାର : ଜୀବିକା ଛଡ଼ାଇ ନେଇଛି ବନ ବିଭାଗର କଟକଣା
ଏହି ଲୋକମାନଙ୍କ ଏକମାତ୍ର ରୋଜଗାର ପନ୍ଥା ବାଉଁଶ ଗୁରୁଡ଼ା । ବାପ ଅଜା ଅମଳରୁ ସେମାନେ ବାଉଁଶରେ ଗୁରୁଡା ସମେତ ଅନେକ ସାମଗ୍ରୀ ବିକ୍ରିକରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେତିକି ପରିଶ୍ରମ ଓ ଖର୍ଚ୍ଚ ହେଉଛି, ସେତିକି ରୋଜଗାର ହୋଇପାରୁନାହିଁ । ଫଳରେ ଅନେକ କାରିଗର ନିଜର କୌଳିକ ବୃତ୍ତି ଛାଡି ବାହାରକୁ ଯାଇ ମୂଲ ମଜୁରୀ ଲାଗୁଛନ୍ତି । ବନ ବିଭାଗର କଟକଣା ତଥା ବଣୁଆ ହାତୀଙ୍କ ଆତଙ୍କ ବାଉଁଶ କାରିଗରଙ୍କ ଜୀବିକା ଛଡାଇ ନେଇଛି । ପୁରୁଷ ପୁରୁଷ ଧରି ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକାନିର୍ବାହ କରୁଥିବା କାରିଗର ଏବେ ବାଉଁଶ ନ ପାଇ ନିଜର କୌଳିକ ବୃତ୍ତି ଛାଡି ବାହାରକୁ ମୂଲ ମଜୁରୀ କରିବାକୁ ଯାଉଛନ୍ତି । ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି ଶହ ଶହ ବାଉଁଶ କାରୀଗରଙ୍କ ଏଭଳି ଦୁର୍ଦ୍ଦଶା । ଅନୁଗୋଳ ଜିଲ୍ଲା ଜଙ୍ଗଲ ଭିତରେ ଏବଂ ଜଙ୍ଗଲ ଚତୁଃପାର୍ଶ୍ୱରେ ଶତାଧିକ ଗାଁ ଅବସ୍ଥିତ । ତେଣୁ ଏହି ସବୁ ଗାଁର ଅଧିକାଂଶ ଲୋକ ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ବର୍ଷାଦିନ ପୂର୍ବରୁ ବ୍ୟାପକ ଚାରାରୋପଣ କରାଯାଏ । ତେଣୁ ଚାରାଗୁଡିକର ସୁରକ୍ଷା ପାଇଁ ବାଉଁଶରେ ତିଆରି ଗୁରୁଡ଼ା ବ୍ୟବହାର କରାଯାଏ । ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଜଙ୍ଗଲରୁ ବାଉଁଶ ଆଣି ଗୁରୁଡ଼ା ତିଆରି କରନ୍ତି । ବିଶେଷ କରି ଜୁନ୍ ମାସ ଆରମ୍ଭରୁ ଗୁରୁଡ଼ା ଆବଶ୍ୟକ ପଡ଼ିଥାଏ । ସେଥିପାଇଁ ମାର୍ଚ୍ଚ ମାସରୁ ହିଁ ଲୋକେ ଗୁରୁଡ଼ା ତିଆରି କରିବାରେ ଲାଗି ପଡ଼ନ୍ତି । ପରିବାରର ସମସ୍ତ ବୟସ୍କ ଲୋକ ଦୁର୍ଗମ ଜଙ୍ଗଲ ଭିତରକୁ ଯାଇ କାନ୍ଧରେ ବାଉଁଶ ବୋହି ଆଣନ୍ତି । ଏହା ପରେ ଘରର ମହିଳାମାନେ କାମରେ ଲାଗିପଡନ୍ତି । ତେଣୁ ଗୁରୁଡ଼ା ତିଆରି କରିବାକୁ ସେମାନଙ୍କୁ ବହୁ କଷ୍ଟ ଓ ପରିଶ୍ରମ କରିବାକୁ ପଡ଼ିଥାଏ । ଏହାଛଡା ସବୁଠାରୁ ବଡ଼ କଥା ହେଉଛି ବାଉଁଶର ଅଭାବ । କାରଣ କେବଳ ଶାଳିଆ ବାଉଁଶରେ ହିଁ ଏହା ତିଆରି ହୁଏ । ଜଙ୍ଗଲ ବିଭାଗର କଟକଣା ଯୋଗୁ ଆଉ ସେମାନେ ବାଉଁଶ ପାଇଁ ଜଙ୍ଗଲକୁ ଯାଇପାରୁନାହାନ୍ତି । ଏହାଛଡ଼ା ହାତୀ ଆତଙ୍କ ଯୋଗୁଁ ଜଙ୍ଗଲ ଭିତରକୁ ଯିବା ଆଉ ଏକ ବାଧକ । ତେଣୁ ସେମାନେ କେବଳ ଗ୍ରାମ୍ୟ ଜଙ୍ଗଲ ଉପରେ ନିର୍ଭର କରନ୍ତି । ପର୍ଯ୍ୟାପ୍ତ ବାଉଁଶ ମିଳୁ ନାହିଁ । ଯାହା ମିଳୁଛି, ଗାଁକୁ କିଛି ଅର୍ଥ ଦେଇ କିଣିବାକୁ ପଡୁଛି । ଏସବୁ ଦୃଷ୍ଟିରୁ ଗୁରୁଡ଼ା ତିଆରି କରିବା ଏତେ ସହଜ ହେଉନାହିଁ । ତଥାପି ଅନ୍ୟ କୌଣସି କାମ ନ ଥିବାରୁ ବାଧ୍ୟହୋଇ ଜୀବନ ଜୀବିକା ପାଇଁ ଏହି କାମ କରୁଛନ୍ତି । ଦିନରେ ସର୍ବାଧିକ ୩ରୁ ୪ଟି ଗୁରୁଡ଼ା ତିଆରି କରିବା ସମ୍ଭବ ହୋଇପାରୁଛି । ସେମାନଙ୍କଠାରୁ ବାହାର ବେପାରୀମାନେ ଗୋଟିଏ ଗୁରୁଡ଼ା ୭୦ ରୁ ୮୦ ଟଙ୍କାରେ କିଣି ନେଉଛନ୍ତି । କିନ୍ତୁ ବୃକ୍ଷରୋପଣ କରୁଥିବା ସଂସ୍ଥାଙ୍କୁ ଗୋଟା ପିଛା ୧୦୦ରୁ ୧୨୦ ଟଙ୍କାରେ ବିକ୍ରି କରୁଛନ୍ତି । ତେଣୁ ଗରିବ ବାଉଁଶ କାରିଗରଟି କ୍ଷତି ସହୁଥିବା ବେଳେ ବେପାରୀ ମାଲାମାଲ ହେଉଛନ୍ତି । ଅନୁଗୋଳ ଜିଲ୍ଲାରେ ପ୍ରତିବର୍ଷ ବର୍ଷାଦିନେ ଲକ୍ଷାଧିକ ଗୁରୁଡ଼ା ଆବଶ୍ୟକ ପଡେ । ଏହି ଆବଶ୍ୟକତାକୁ କେବଳ ଜଙ୍ଗଲ ନିକଟସ୍ଥ ଗାଁର ଲୋକେ ହିଁ ପୂରଣ କରିଥାଆନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ଗୁରୁଡ଼ା ବିକ୍ରି ପାଇଁ ପଞ୍ଜୀକରଣ କରାଯାଇଛି । ବନ ବିଭାଗଠାରୁ ଆରମ୍ଭ କରି ଯେଉଁ ବୃକ୍ଷ ରୋପଣକାରୀ ସଂସ୍ଥା ଗୁରୁଡ଼ା ଆବଶ୍ୟକ କରିବେ, କେବଳ ପଞ୍ଜିକୃତ ହୋଇଥିବା ଗ୍ରାମ୍ୟ କମିଟି ଏବଂ ମହିଳା ଗୋଷ୍ଠୀଙ୍କ ଠାରୁ ହିଁ ନିର୍ଦ୍ଧାରିତ ମୂଲ୍ୟ ଦେଇ କିଣିବେ । କିନ୍ତୁ ସେଥିପ୍ରତି କାହାର ନଜର ପଡୁନି । ଏହାଛଡା ଅନେକ ଅଣପଞ୍ଜିକୃତ ପରିବାର ଗୁରୁଡ଼ା ତିଆରି କରୁଛନ୍ତି । ତେଣୁ ସେମାନେ ବାଧ୍ୟହୋଇ ବାହାର ବେପାରୀଙ୍କୁ କମ୍ ଦାମରେ ବିକ୍ରି କରୁଛନ୍ତି । ବୟସ୍କ କାରିଗର ଘରେ ହାତବାନ୍ଧି ଭଙ୍ଗାଦଦରା ଝାଟିମାଟି କୁଡ଼ିଆରେ ଓଳିଏ ଖାଇ ଓଳିଏ ଉପାସରେ ରହି ଦିନ କାଟୁଛନ୍ତି । ପ୍ରତିବର୍ଷ ବାଉଁଶରେ ଗୁରୁଡ଼ା ତିଆରି କରି ହଜାର ହଜାର ଜଙ୍ଗଲ ଅଧିବାସୀ ଜୀବିକା ନିର୍ବାହ କରନ୍ତି । ତେଣୁ ବନ ବିଭାଗ ତରଫରୁ ବ୍ୟାପକ ଶାଳିଆ ବାଉଁଶ ରୋପଣ କରି ସେମାନଙ୍କୁ ଯୋଗାଇଦେଲେ, ସେମାନଙ୍କ ଜୀବିକାରେ ଉନ୍ନତି ଆସିପାରନ୍ତା । ଏଥିସହ ଉଚିତ ମୂଲ୍ୟ ପାଇବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କଲେ, ସେମାନେ ଆଉ କ୍ଷତି ସହିବେ ନାହିଁ ।