ପାରାଦୀପ ପୋର୍ଟ ବଣିକ ସଂଘର ଜବରଦଖଲକାରୀକୁ ଉଚ୍ଛେଦ କଲେ ଶ୍ରମିକ ନେତା  : ସନ୍ତୋଷଙ୍କୁ ଗାଦିଚୁ୍ୟତ କରି ସଭାପତି ହେଲେ ପ୍ରକାଶ

 ପାରାଦୀପ : ଦୀର୍ଘ ୧୭ ବର୍ଷ ଧରି ପାରାଦୀପ ପୋର୍ଟ ବଣିକ ସଂଘକୁ ଜୋର ଜବରଦସ୍ତ ନିଜ ଅକ୍ତିଆରରେ ରଖି ଆସିଥିବା ବଣିକ ସଂଘର ସଭାପତି ତଥା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଗାଦିଚୁ୍ୟତ କରିଛନ୍ତି ଶ୍ରମିକନେତା ପ୍ରକାଶ ଚନ୍ଦ୍ର ତ୍ରିପାଠୀ । ନବ ନିର୍ବାଚିତ ସଭାପତି ଓ ସମ୍ପାଦକ ପାରାଦୀପ ପୋର୍ଟ ବଣିକ ସଂଘ ପରିସରସ୍ଥିତ ସେମାନଙ୍କ ପ୍ରକୋଷ୍ଠରେ ପ୍ରବେଶ କରି ଆସନ ଅଳଙ୍କୃତ କରିବା ପରେ ବ୍ୟବସାୟୀମାନେ ଖୁସି ଜାହିର କରିବା ସହ ଏହି ସଫଳତାର ସମସ୍ତ ଶ୍ରେୟ ଶ୍ରମିକନେତା ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କୁ ଦେଇଥିଲେ ।
ଖବରରୁ ପ୍ରକାଶ ଯେ, ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ସନ୍ତୋଷ ପଟ୍ଟନାୟକଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡିଥିବା ପାରାଦୀପ ପୋର୍ଟ ବଣିକ ସଂଘର ସଦସ୍ୟମାନେ ସନ୍ତାଷ ପଟ୍ଟନାୟକଙ୍କୁ ଗାଦିରୁ ହଟେଇବା ପାଇଁ ଶ୍ରମିକ ନେତା ଶ୍ରୀ ତ୍ରିପାଠୀଙ୍କ ସହାୟତା ଲୋଡିଥିଲେ । ଗତ ଅଗଷ୍ଟ ୧୫ ତାରିଖରେ ପାରାଦୀପ ପୋର୍ଟ ବଣିକ ସଂଘର ସଦସ୍ୟମାନେ ସମୂହ ଭାବେ ନିଜ ନିଜର ଦୋକାନ ବନ୍ଦ କରି  ବିଧିବଦ୍ଧ ଭାବେ ସଂଘର ନୂତନ କର୍ମକର୍ତ୍ତା  ନିର୍ବାଚନ କରାଇଥଲେ । ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ବଣିକ ସଂଘର ମୁଖ୍ୟ ଉପଦେଷ୍ଟା ଭାବେ ଶ୍ରମିକନେତା ଶ୍ରୀ ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିବା ବେଳେ ନୂତନ ନିର୍ବାଚିତ କାର୍ଯ୍ୟକର୍ତ୍ତାମାନେ ହେଲେ କ୍ଷୀରୋଦ କୁମାର ସ୍ୱାଇଁ ସଭାପତି, ସମ୍ପାଦକ ଅମୀୟ କୁମାର ପାଣି, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ସାହୁ, ପ୍ରୀତି ରଞ୍ଜନ ମହାପାତ୍ର ଓ ଶିଶିର କୁମାର ନାୟକ, କୋଷାଧ୍ୟକ୍ଷ ସୋମନାଥ ଖୁଣ୍ଟିଆ । ପରବର୍ତ୍ତୀ ସମୟରେ ସଂଘର ଏହି ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରି ତୁରନ୍ତ ଏହି ନିଷ୍ପତି କାର୍ଯ୍ୟକାରୀ କରାଇବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଅପରପକ୍ଷେ ସଭାପତି ଗାଦି ଜାବୁଡି ରଖିବାକୁ ବଣିକ ସଂଘର ପୂର୍ବତନ ସଭାପତି ସନ୍ତୋଷ ପଟ୍ଟନାୟକ ନିଜର ୭ ଜଣ ସମର୍ଥକଙ୍କୁ ଦୁଇଟି ପକ୍ଷକରି ଉକ୍ତ ନିଷ୍ପତି ଉପରେ (ସ୍ଥିତାବସ୍ଥା ବଜାଏ ରଖିବା) ପାଇଁ କୋର୍ଟରୁ ଷ୍ଟାଟସ୍କୋ ଆଣିବାରେ ସକ୍ଷମ ହୋଇଥିଲେ, ଯାହାଫଳରେ ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତାମାନେ ବଣିକ ସଂଘ କାର୍ଯ୍ୟାଳୟକୁ ପ୍ରବେଶ କରି ନପାରି ମାର୍କେଟର ବାସ୍ତବ ସ୍ଥତି ବିଧିବଦ୍ଧ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ବଣିକ ସଂଘର ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ପରେ ନୂତନଭାବେ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ପାରାଦୀପ ପୋର୍ଟ ବଣିକ ସଂଘର କର୍ମକର୍ତ୍ତା ଭାବେ ଡିସେମ୍ବର ୬ ତାରିଖରେ  ସ୍ୱୀକୃତି ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ସ୍ୱୀକୃତି ପାଇବା ପରେ ଡିସେମ୍ବର ୧୧ ତାରିଖ ପୂର୍ବାହ୍ନରେ ବଣିକ ସଂଘର  ସମସ୍ତ ବ୍ୟବସାୟୀଙ୍କୁ ନେଇ  ପାରାଦୀପ ପୋର୍ଟ ବଣିକ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବଣିକ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରମିକନେତା ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସଭାପତି କ୍ଷୀରୋଦ କୁମାର ସ୍ୱାଇଁ, ସମ୍ପାଦକ ଅମୀୟ କୁମାର ପାଣି, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ସ୍ୱାଇଁ, ଧୃବ ଚରଣ ମହାନ୍ତି ପ୍ରମୁଖ ସମବେତ ବ୍ୟବସାୟୀଙ୍କୁ  ସମ୍ବୋଧିତ କରିଥିଲେ । ଶେଷରେ ବ୍ୟବସାୟୀମାନେ ନୂତନ ସଭାପତି ଓ ସମ୍ପାଦକଙ୍କୁ ସେମାନଙ୍କ ପ୍ରକୋଷ୍ଠକୁ ପାଛୋଟି ନେଇ ଆସନରେ ବସାଇବା ପରେ ବ୍ୟବସାୟୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପାରାଦୀପ ପୋର୍ଟ ବଣିକ ସଂଘର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଓ ସମ୍ପାଦକ ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ମାର୍କେଟ ସମ୍ମୁଖରେ ବଣିକ ସଂଘର ବ୍ୟବସାୟୀମାନେ ପାରାଦୀପ ପୋର୍ଟ ବଣିକ ସଂଘର ପୂର୍ବତନ  ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।