ପିଓକେରେ ମାସୁଦ ଆଝାର
ନୂଆଦିଲ୍ଲୀ : ପାକ୍ ଅକୁ୍ୟପାଏଡ୍ କଶ୍ମୀର (ପିଓକେ)ରେ ବିଚରଣ କରୁଛି ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ତଥା ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖିଆ ମାସୁଦ ଆଝାର । ପିଓକେର ଗିଲ୍ଗିଟ୍-ବାଲ୍ଟିସ୍ତାନ୍ ପ୍ରଦେଶରେ ମାସୁଦକୁ ଚିହ୍ନଟ କରାଯାଇଛି । ଏହି ତଥ୍ୟ ଦେଇଛି ଭାରତୀୟ ଗୁଇନ୍ଦା ବିଭାଗ । ଜୈସ୍-ଏ-ମହମ୍ମଦ ମୁଖ୍ୟ ଆତଙ୍କୀ ସଂଗଠନ ଥିବା ପାକିସ୍ତାନ୍ର ବାହାୱଲପୁର ଠାରୁ ପ୍ରାୟ ୧୦୦୦ କିମି ଦୂର ପିଓକେର ଗିଲ୍ଗିଟ୍ ପ୍ରଦେଶରେ ବିଚରଣ କରୁଥିବା ଗୁଇନ୍ଦା ତଥ୍ୟ ହସ୍ତଗତ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ଖବର ଅନୁସାରେ ଏକ ନିକଟରେ ମାସୁଦ ପିଓକେର ସଦପରା ରୋଡ୍ ସ୍ଥିତ ସ୍କର୍ଦୁରେ ତାର ଚଳପ୍ରଚଳ ଚିହ୍ନଟ କରାଯାଇଛି । ଏଠାରେ ସେ ଦୁଇଟି ମସ୍ଜିଦ୍, ସ୍ୱୀକୃତିପ୍ରାପ୍ତ ମଦ୍ରାସା ଏବଂ ଏକାଧିକ ସରକାରୀ ଓ ଘରୋଇ ଗେଷ୍ଟ ହାଉସ୍କୁ ନିୟନ୍ତ୍ରଣ କରୁଛି । ସାଧାରଣତଃ ଏ ଅଞ୍ଚଳ ପ୍ରାକୃତିକ ଶୋଭାରାଜି ଓ ଆକର୍ଷଣୀୟ ହ୍ରଦ ପାଇଁ ପର୍ଯ୍ୟଟନ କ୍ଷେତ୍ର ଭାବେ ବେଶ୍ ପରିଚିତ ।
ତେବେ ଏଇ ନିକଟରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଅଲ୍ଜଜିରାକୁ ଏକ ସାକ୍ଷାତକାରରେ ପାକିସ୍ତାନ୍ ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ କହିଥିଲେ, ଯଦି ଭାରତ କହୁଛି ମାସୁଦ ଆଝାର ପାକିସ୍ତାନ୍ରେ ଅଛି ତେବେ ଏହା ପ୍ରମାଣିତ ହେବା ଦରକାର । ଆଉ ଯଦି ମାସୁଦ ପାକିସ୍ତାନ୍ରେ ଥିବା ପ୍ରମାଣ ମିଳେ ତେବେ ଆମ ସରକାର ତାକୁ ଗିରଫ କରିବା ପାଇଁ ପ୍ରାଥମିକତା ଦେବ । କିନ୍ତୁ ବର୍ତ୍ତମାନ ସେ ଆଫଗାନିସ୍ତାନ୍ରେ ଅଛି । ଅପରପକ୍ଷେ ମାସୁଦ ଏବେ ପିଓକେରେ ଚିହ୍ନଟ ହେବା ପରେ ଭୁଟୋଙ୍କ ଫମ୍ପା ବାଣୀକୁ ନେଇ ଏବେ ସେ ଶତମୁଖରେ ସମାଲୋଚନାର ଶିକାର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ରେ ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ ପରଠାରୁ ମାସୁଦ ବାହାୱଲପୁର ଠାରେ ନିଜ ସଂଗଠନକୁ ମୁଖ୍ୟବେସ୍ କରି ରହି ଆସୁଛି ।