ପୁଅ ଜନ୍ମ ନହେବାରୁ ମା ସହ ପାଞ୍ଚ ଝିଅଙ୍କୁ ଘରୁ ବାହାର କଲା ଅମଣିଷ ବାପା
ଢେ଼ଙ୍କାନାଳ : ପୁତ୍ର ସନ୍ତାନ ନହେବାରୁ ମା ସହ ପାଞ୍ଚ ଝିଅଙ୍କୁ ଘରୁ ବାହାର କରିଦେଲେ । ତୁ ମତେ ପୁଅ ଦେଇ ପାରୁନୁ, ତୋର ଏ ଘରେ ରହିବାର ଅଧିକାର ନାହିଁ । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି, ସତ ଆଜ୍ଞା । କୋଳରେ ପନ୍ଦର ଦିନର ଶିଶୁ କନ୍ୟା ଓ ଚାରି ଝିଅଙ୍କ ସାଙ୍ଗରେ ନେଇ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶ୍ରୟ ନେଲେ ମା ।
ସୂଚନା ଅନୁସାରେ, ଭୁବନ ବ୍ଲକ ଚମ୍ପାନାଳିଆ ଗ୍ରାମର ମୋହନା ନାୟକଙ୍କ ଝିଅ ସୁଲୋଚନା ନାୟକ ଏବଂ ଢେ଼ଙ୍କାନାଳ ଗୁଡ଼ିଆକାଟେଣି ଗ୍ରାମର ଉତ୍ସବ ନାୟକଙ୍କ ପୁଅ ଚୈତନ୍ୟ ନାୟକ ଗତ ଚଉଦ ବର୍ଷ ପୂର୍ବରୁ ବିବାହ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଚୈତନ୍ୟଙ୍କ ପାଞ୍ଚଗୋଟି କନ୍ୟା ସନ୍ତାନ । ପୁଅ ଜନ୍ମ ହେଉନଥିବାରୁ ସୁଲୋଚନାଙ୍କୁ ନିର୍ଯ୍ୟାତନା ଦିଅନ୍ତି ଚୌତନ୍ୟ । ପଞ୍ଚମ କନ୍ୟ ଜନ୍ମ ପରେ ଚୌତନ୍ୟଙ୍କ ଆକ୍ରୋଶ ସୀମା ଟପିଥିଲା । ଏଇ ମାତ୍ର ପନ୍ଦର ଦିନ ହେବ ପଞ୍ଚମ କନ୍ୟା ଜନ୍ମ ହୋଇଥିବା ବେଳେ ଚୈତନ୍ୟ ଗତ ରାତିରୁ ସ୍ତ୍ରୀ ସହ ଝିଅମାନଙ୍କୁ ଘରୁ ବାହାର କରିଦେଇଛନ୍ତି । ତେବେ ସୁଲୋଚନା କୋଳରେ ପନ୍ଦର ଦିନର ଶିଶୁ କନ୍ୟା ଓ ଚାରି ଝିଅଙ୍କ ସାଙ୍ଗରେ ନେଇ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶ୍ରୟ ନେଇଥିଲେ ।
ଏ ସମ୍ପର୍କରେ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା ଖବର ପାଇ ସେମାନଙ୍କୁ ଢେ଼ଙ୍କାନାଳ ଗଁଦିଆ ଅଞ୍ଚଳର ଏକ ସୁଧାର ଗୃହକୁ ପଠାଇଥିଲେ । ଏନେଇ ପରିବାର ପକ୍ଷରୁ ଭୁବନ ଥାନା ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ତେବେ ଅଭିଯୋଗ ପରେ ବି କୌଣସୀ ସୁଫଳ ମିଳିନଥିବା ସୁଲୋଚନାଙ୍କ ମା’ ମୋହନା ନାୟକ କହିଛନ୍ତି ।