ପୁଣି ଜଳିଲା ମଣିପୁର : ମୈତେଇ ନେତା ଗିରଫ ପରେ ହିଂସାକାଣ୍ଡ

 ଇମ୍ଫାଲ  :  କିଛିଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଛି ମଣିପୁର । ଦୀର୍ଘ ସତର୍କତା ଅବଲମ୍ବନ ସତ୍ତ୍ୱେ ପାରମ୍ପରିକ ଜିଦ୍ରୁ ଓହରିପାରୁନାହାନ୍ତି ମୈତେଇ ଓ କୁକୀ ସମ୍ପ୍ରଦାୟ । ୨୦୨୩ ହିଂସାକାଣ୍ଡରେ ଜଡ଼ିତ ଅଭିଯୋଗରେ ମୈତେଇ ସମ୍ପ୍ରଦାୟର ଜଣେ ନେତାଙ୍କୁ ପୁଲିସ୍ ଗିରଫ କରିବା ପରେ ଶନିବାର ଠାରୁ ହିଂସାକାଣ୍ଡ ଭିଆଇଛନ୍ତି ମୈତେଇ ଗୋଷ୍ଠୀ । ଶନିବାର ରାତିରୁ ମଣିପୁରର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏହାର ପ୍ରଭାବ ରାଜଧାନୀ ଇମ୍ଫାଲ୍ରେ ମଧ୍ୟ ପ୍ରତିଫଳିତ ହୋଇଛି । ନେତାଙ୍କ ଗିରଫ ପ୍ରତ୍ୟାହାର ଦାବିରେ ଇମ୍ଫାଲ୍ର ବିିଭିନ୍ନସ୍ଥାନରେ ମୈତେଇ ଗୋଷ୍ଠୀ ଜଳାପୋଡ଼ା କରିଛନ୍ତି । ଇମ୍ଫାଲ୍ ବିମାନବନ୍ଦର ପ୍ରବେଶପଥରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିକୁ ବି ଖାତିର କରି ନଥିଲେ ପ୍ରଦର୍ଶନକାରୀ । ଏପରିକି ପ୍ରଦର୍ଶକାରୀ ଯୁବକମାନେ ଦେହରେ ପେଟ୍ରୋଲ୍ ଢାଳି ଆତ୍ମାହୁତୀ ଉଦ୍ୟମ କରିଥିଲେ । ତେବେ ଏହି ହିଂସାକାଣ୍ଡ ଯେପରି ବ୍ୟାପକ ନ ହେବ ଏବଂ ପୂର୍ବ ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ତୁରନ୍ତ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ଥାନରେ କଫୁ୍ୟ ଲାଗୁ କରାଯାଇଛି । ଏହାସହ ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସେପଟେ ହିଂସାକାଣ୍ଡ ବ୍ୟାପକ ନ ହେବାକୁ ଆଖି ଆଗରେ ରଖି ପୁଲିସ୍ ଗିରଫ ବ୍ୟକ୍ତିଙ୍କ ନାମ ଓ ଠିକଣା ପ୍ରକାଶ କରିନାହିଁ ।
ସୂଚନାଯୋଗ୍ୟ ରବିବାର ଆରମ୍ବାଇ ଟେଙ୍ଗୋଲ ଅଞ୍ଚଳର ମୈତେଇ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଇମ୍ଫାଲ୍ ବିମାନବନ୍ଦରରୁ ଗିରଫ କରିଥିଲା ସିବିଆଇ । ସମ୍ପୃକ୍ତ ବ୍ୟକ୍ତି ଜଣକ ୨୦୨୩ରେ ମଣିପୁରର ବିଭିନ୍ନସ୍ଥାନରେ ଘଟିଥିବା ହିଂସାକାଣ୍ଡର ମୁଖ୍ୟପୁରୋଧା ଭିତରୁ ଜଣେ ଥିଲେ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି । ଏହାକୁ ଭିତ୍ତି କରି ସମ୍ପୃକ୍ତ ବ୍ୟକ୍ତି ଗିରଫ କରାଯିବା ପରେ ରାଜ୍ୟର ବିଭିନ୍ନସ୍ଥାନରେ ହିଂସାକାଣ୍ଡ ଉଗ୍ର ରୂପ ଧାରଣ କରିଛି । ସେପଟେ ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ରବିବାର ବରିଷ୍ଠ ପ୍ରଶାସନିକ ଏବଂ ସୁରକ୍ଷା ଅଧିକାରୀଙ୍କ ସହ ରାଜ୍ୟରେ ସୁରକ୍ଷା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ଏକ ବିଧାୟକ ଦଳ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ବର୍ତ୍ତମାନର ଆଇନବ୍ୟବସ୍ଥା ସହ ଅବଗତ କରାଇଥିଲେ ।