ପୁରୁଣା ପ୍ରକଳ୍ପର ପୁନଃ ଚୁକ୍ତିକୁ ବିଜେଡିର ବିରୋଧ
ଭୁବନେଶ୍ୱର : ପୂର୍ବ ସରକାରୀ ପ୍ରକଳ୍ପକୁ ଆଉଥରେ ଚୁକ୍ତି କରୁଛି ବିଜେପି ସରକାର । ଇଣ୍ଡିଆନ ଅଏଲର ସମ୍ପ୍ରସାରଣ ଓ ନାପଥା ପ୍ଲାଣ୍ଟକୁ ପୂର୍ବ ସରକାର ଅର୍ଥାତ୍ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ବେଳେ ଏବେ ରାଜ୍ୟ ସରକାର ସେହି ପୁରୁଣା ପ୍ରକଳ୍ପର ନାମ ଓ ରଙ୍ଗ ପରିବର୍ତ୍ତନ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀରେ ସ୍ୱାକ୍ଷର ହୋଇଥିବା ଏମଓୟୁ ମଧ୍ୟରୁ ପାରାଦୀପ ସ୍ଥିତ ଇଣ୍ଡିଆନ ଅଏଲର ସମ୍ପ୍ରସାରଣ ସହିତ ସେଠାରେ ଇଣ୍ଟିଗ୍ରେଟେଡ଼ ନାପଥା କ୍ରାକର ପ୍ରକଳ୍ପ ସ୍ଥାପନ ପାଇଁ ହୋଇଥିବା ଚୁକ୍ତିକୁ ନେଇ ଏଭଳି ଅଭିଯୋଗ କରିଛି ବିଜେଡି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ସଭାପତିଙ୍କ ରାଜନୈତିକ ସଚିବ ଡ଼ ସଂତୃପ୍ତ ମିଶ୍ର କହିଛନ୍ତି, ରାଜ୍ୟବାସୀଙ୍କୁ ପ୍ରକୃତ ତଥ୍ୟ ନ ଦେଇ କେବଳ ପୂର୍ବ ପ୍ରକଳ୍ପ ଗୁଡିକର ନାମ ଓ ରଙ୍ଗ ପରିବର୍ତ୍ତନ କରୁଛନ୍ତି ବିଜେପି ସରକାର ।
୨୦୧୮, ଜାନୁଆରୀ ୧୧ରେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସମ୍ପର୍କରେ ଚିଠି ଲେଖିଥିଲେ । ୨୦୧୯, ଏପ୍ରିଲରେ ଇଣ୍ଡିଆନ ଅଏଲ ପକ୍ଷରୁ ଏହି ପ୍ରସ୍ତାବକୁ ତକ୍ରାଳୀନ ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ । ଇଣ୍ଡିଆନ ଅଏଲ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ଏହାର ଉତ୍ପାଦନ କ୍ଷମତା ୧୫ ମିଲିଅନ ଟନ୍ରୁ ୨୫ ମିଲିଅନ ଟନ୍ କରିବା ସହିତ ଏକ ନାପଥା କ୍ରାକର ପ୍ଲାଣ୍ଟ ସ୍ଥାପନ ପାଇଁ ୧ ଲକ୍ଷ ୩ ଶହ କୋଟି ଟଙ୍କା ବ୍ୟୟର ବ୍ୟବସ୍ଥା ରହିଥିଲା । ତେଣୁ ଗୋଟିଏ ପୁରୁଣା ପ୍ରକଳ୍ପ ପାଇଁ ଆଉଥରେ ଚୁକ୍ତି ସ୍ୱାକ୍ଷର କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଉପସ୍ଥିତ ଥିଲେ ।