ପୌରାଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବି
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସିଟିଜେନ୍ସ କମିଟି ପକ୍ଷରୁ ନବରଙ୍ଗପୁର ପୌରପାଳିକାର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣଙ୍କୁ ସାକ୍ଷାତ କରିବା ସହ ପୌରାଞ୍ଚଳର ବିଭିନ୍ନ ସମସ୍ୟା ନେଇ ଅବଗତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କ ନେତୃତ୍ୱରେ କମିଟିର ଏକ ପ୍ରତିନିଧିଦଳ ପୌରପାଳିକା ଗସ୍ତକରି କମିଟି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ ପୌରାଞ୍ଚଳର ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ଅବ୍ୟବସ୍ଥା ଓ ପାଇଖାନା ସଫେଇ କାର୍ଯ୍ୟରେ ନିୟୋଜିତ ପୌରକର୍ମଚାରୀ ଚଢା ଦର ଆଦାୟ ସମ୍ପର୍କରେ ଉଲ୍ଲେଖ ରହିଛି । ସୂଚନା ଅନୁସାରେ ୧୭ ଗୋଟି ୱାର୍ଡ଼ରୁ ନିର୍ଗତ ବର୍ଜ୍ୟବସ୍ତୁକୁ ଅଳିଆ ସଂଗ୍ରହକାରୀ ଗାଡ଼ି ଦ୍ୱାରା ସଂଗ୍ରହ କରାଯାଇ ଆରଟିଓ କାର୍ଯ୍ୟାଳୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଠୁଳ କରିବା ନିୟମ ରହିଛି । ତେବେ ଏହି ନିୟମ ନମାନି ଗାବ୍ରିଆଲଗୁଡ଼ା ପାଣିଟାଙ୍କି ନିକଟସ୍ଥ ଜନବସତି ଅଞ୍ଚଳରେ ଅଳିଆ ଫୋପାଡି ଦିଆଯାଉଛି । କିଛି କୁକୁଡ଼ା ମାଂସ ବ୍ୟବସାୟୀ ମଧ୍ୟ ଅବଶେଷ ଗୁଡ଼ିକୁ ଏହି ଅଞ୍ଚଳରେ ଠୁଳ କରୁଛନ୍ତି । ଏହାଦ୍ୱାରା ଅଞ୍ଚଳର ପରିବେଶ ପ୍ରଦୂଷଣ ହେବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଦ୍ୱିତୀୟତଃ, ନବରଙ୍ଗପୁର ପୌରାଞ୍ଚଳ ବାସିନ୍ଦାଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ରେଡ୍କ୍ରସ୍ ପାଣ୍ଠିରୁ ଏକ ପାଇଖାନା ଟାଙ୍କି ସଫେଇ ଗାଡ଼ି ଯୋଗେଇ ଦିଆଯାଇଥିଲା । ସୁଲଭ ଦରରେ ସେବା ଯୋଗେଇବା ପାଇଁ ଏହି ଗାଡ଼ି ଉଦ୍ଧିଷ୍ଟ ଥିବାବେଳେ ବର୍ତ୍ତମାନ କିନ୍ତୁ ସେମାନେ ଚଢ଼ା ଦର ସଂଗ୍ରହ କରୁଛନ୍ତି । ତେଣୁ ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱ ଦେବା ନେଇ ଅନୁରୋଧ କରାଯାଇଛି । ଏହାବ୍ୟତୀତ ସହରର ନିର୍ମାଣଧୀନ ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡ଼ିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ମଧ୍ୟ କମିଟି ଅନୁରୋଧ କରିଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ ଏ ସମ୍ପର୍କରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କମିଟିକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ କମିଟିର ସହଆବାହକ ପ୍ରଦୀପ ସାହୁ, ଯୁଗ୍ମ ସମ୍ପାଦକ କିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ସ୍ୱର୍ଣ୍ଣଲତା ପଟ୍ଟନାୟକ, କିଶୋରୀ ପଟ୍ଟନୟକ, ଜଗନ୍ନାଥ ବାଘେ, ଶରତ ଦାଶ, ବିବେକାନନ୍ଦ ପଣ୍ଡା, ସାଜାଦ ଅଲ୍ଲୀ ଖାନ୍ଙ୍କ ସମେତ ନବରଙ୍ଗପୁର ଓକିଲ ସଂଘ ସଭାପତି ସିରାଜ ଉଦ୍ଦିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।