ପ୍ରକଳ୍ପରେ ଅଂଶୀଦାର ହେବେ ବିସ୍ଥାପିତ: ଆସିବ ନୂଆ ବିସ୍ଥାପନ ଓ ଥଇଥାନ ନୀତି

 ଭୁବନେଶ୍ୱର: ପ୍ରକଳ୍ପ ଯୋଗୁଁ ବିସ୍ଥାପିତମାନେ ଯେଉଁ କ୍ଷତିପୂରଣ ପାଆନ୍ତି ତାହା ବର୍ଷେ ଦି ବର୍ଷରେ ସରିଯାଉଛି  । ସମସ୍ତେ ବ୍ୟବସାୟ କରିବା ଶିଖିନାହାନ୍ତି  । ତେଣୁ ଆଗକୁ ଆସିବାକୁ ଥିବା ବିସ୍ଥାପନ ଓ ଥଇଥାନ ନୀତିରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ବଦଳରେ ପ୍ରକଳ୍ପର ଅଂଶୀଦାରର ସୁଯୋଗ ମିଳିବ  । ଏଭଳି ସଂକେତ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  । ଏନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତିଯେ, ରାଜ୍ୟ ସରକାର ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ  । ନୂଆ ନୀତି ଆଣିବାକୁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । କୌଣସି ପ୍ରକଳ୍ପ ପାଇଁ ଜମି ଆବଶ୍ୟକ ହେଲେ, କାହା ଉପରେ କୌଣସି ନିଷ୍ପତ୍ତି ଥୋପି ଦିଆଯିବ ନାହିଁ  । ବିସ୍ଥାପିତଙ୍କ ଦାବି ଓ ସୁବିଧା ଅନୁସାରେ ବିକଳ୍ପ ବ୍ୟବସ୍ଥା କରାଯିବ  । ଜମି ବଦଳରେ ଜମି ବି ଦିଆଯିବ  । କ୍ଷତିଗ୍ରସ୍ତ କ୍ଷତିପୂରଣ ବଦଳରେ  ପ୍ରକଳ୍ପର ଅଂଶୀଦାର ହୋଇପାରିବେ  । ଯାହାଦ୍ୱାରା ସେମାନେ ପ୍ରକଳ୍ପରୁ ସମାନୁପାତିକ ଲାଭ ନେଇପାରିବେ  । ଲୋକେ ଯେଉଁ ବିକଳ୍ପ ଦେବେ ତଦନୁଯାୟୀ ସରକାର ପଦକ୍ଷେପ ନେବେ  ।