ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ

 ପୁରୀ: ସ୍ନାନ ପୂର୍ଣ୍ଣମୀ ପର ଠାରୁ ଅଣସରରେ ଥିବା ଚତୁର୍ଦ୍ଧା ମୂର୍ତ୍ତି ବିଭିନ୍ନ ଉପଚାର ପରେ ସୁସ୍ଥ ହୋଇଛନ୍ତି । ଆଷାଢ କୃଷ୍ଣ ଚତୁର୍ଦ୍ଦଶୀରେ ପରମ୍ପରା ଅନୁଯାୟୀ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ ନୀତି ସଂପନ୍ନ ହୋଇଛି । ଏଥି ସହିତ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ପାଇଁ ଦତ୍ତ ମହାପାତ୍ର ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଦଇତାପତି ସେବକ ଓ ଦତ୍ତ ମହାପାତ୍ର ବିଜେ କାହାଳୀ, ତେଲିଙ୍ଗୀ ବାଦ୍ୟ ଓ ଘଣ୍ଟଛତା ସହ ପଟୁଆରରେ ଖଡ଼ିପ୍ରସାଦ ନେଇ ଶ୍ରୀ ନଅରକୁ ଯାତ୍ରା କରିଥିଲେ । ଅଣସରରେ ଥିବା ଦାରୁ ଦେବତାମାନଙ୍କର ସମସ୍ତ ଗୁପ୍ତ ନୀତି ସଂପନ୍ନ ହେବା ପରେ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଆରମ୍ଭ ହୋଇଥିଲା । ଶଙ୍ଖକୁ ଗୁଣ୍ଡ କରାଯାଇ ସେଥିରେ ପ୍ରସ୍ତୁତ ବିଭିନ୍ନ ରଂଗ ମହାପ୍ରଭୁଙ୍କୁ ସ୍ପର୍ଶ କରାଯାଇ ଶ୍ରୀ ନଅରକୁ ବିଜେ କରାଯାଇଥିଲା । ଏଥିସହିତ ରୂପାଥାଳିରେ ଶ୍ରୀ ଅଙ୍ଗରେ ଲାଗି ହୋଇଥିବା ଛଡ଼ା ତୁଳସୀ ଓ ଫୁଲମାଳ ମଧ୍ୟ ଶ୍ରୀନଅରକୁ ନିଅଯାଇଥିଲା । ସେବାୟତମାନେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଖବର ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ ।