ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ରେ ରବିବାର ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ (କାଂସ୍ୟ) ଦୌଡକୁଦ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ଦିନିକିଆ ପ୍ରତିଯୋଗିତାର ଆୟୋଜନ ସହ ଓଡିଶା କ୍ରୀଡା ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡିଛି । କଳିଙ୍ଗ ଷ୍ଟାଡିୟମ୍ ଏହି ବହୁରାଷ୍ଟ୍ରୀୟ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାରେ ଭାରତର ପ୍ରଥମ ବହୁମୁଖୀ ଷ୍ଟାଡିୟମ୍ ହେବାର ଗୌରବ ଅର୍ଜନ କରିଛି । ଏହି ଅବସରରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ ମୁଖ୍ୟମନ୍ତ୍ରୀ ।
ସେ କହିଥିଲେ ଯେ, ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ । ସେଥିପାଇଁ ଖର୍ଚ୍ଚ ହେବ ହଜାରେ କୋଟି ଟଙ୍କା । ୱାର୍ଲ୍ଡ ଆଥଲେଟିକସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ କରିବା ଗର୍ବ ଓ ଗୌରବର ବିଷୟ । ଆଗାମୀ ଦିନରେ ଗୋଲ୍ଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଆଶା ରଖିଛୁ । ଏହାସହ ୧୪ଟି ବ୍ଲକରେ ଉନ୍ନତମାନର ଷ୍ଟାଡିୟମ ନିର୍ମାଣ କରିବା ଲକ୍ଷ୍ୟ ରହିଛି । ଏଥିପାଇଁ ୪ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ପୁରସ୍କାର ବିତରଣ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗ ଦେଇଥିଲେ ।