ପ୍ରାଚୀ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ପରିକ୍ରମା ପଦଯାତ୍ରୀ

 କାକଟପୁର : ପ୍ରତି ବର୍ଷ ଭଳି ଚଳିତ ବର୍ଷ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ଓ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ରର ମିଳିତ ପ୍ରୟାସରେ ଆରମ୍ଭ ହୋଇଥିବା ୧୪ତମ ବାର୍ଷିକ ପ୍ରାଚୀ ପରିକ୍ରମା ପଦଯାତ୍ରାର ଚାଲିଛି । ପଦଯାତ୍ରୀ ସାଧୁସନ୍ଥ ମାନେ ମାଧବ ଗ୍ରାମର ଦୁର୍ଗାମାଧବ ମନ୍ଦିରରୁ ବାହାରି ବେତେଣ୍ଡା, କାକଟପୁର ବ୍ଲକ ଛକ, ବିଶ୍ୱାମିତ୍ର ଆଶ୍ରମ, ମଙ୍ଗଳା ମନ୍ଦିର ଦେଇ ପ୍ରାଚୀ କୁଳସ୍ଥ ଶ୍ରୀ ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଦେଉଳି ମଠ ଠାରେ ପହଞ୍ଚିଥିଲେ । ପ୍ରାଚୀ ନଦୀର ସୁରକ୍ଷା ଓ ଏହାର ମାହାତ୍ମ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସାଧୁସନ୍ଥଙ୍କ ପକ୍ଷରୁ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ନେତୃତ୍ୱରେ ୧୪ ବର୍ଷ ହେବ ଏହି ପଦଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ପଦଯାତ୍ରୀ ସାଧୁ ସନ୍ଥ, ବିଦେଶୀ ଶ୍ରଦ୍ଧାଳୁ, ପ୍ରାଚୀ ପ୍ରେମୀମାନେ କାକଟପୁର ଠାରେ ପହଞ୍ଚିବାପରେ ସମସ୍ତଙ୍କୁ ମା ମଙ୍ଗଳା ମନ୍ଦିର ପ୍ରଶାସନ, ସେବକ ସମିତି ଓ ପ୍ରାଚୀ ସୁରକ୍ଷା ସମିତି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପଦଯାତ୍ରା ୨୪ ତାରିଖ ଦିନ ଉଦ୍ୟାପନ ହେବାର କାର୍ଯ୍ୟକ୍ରମ ରହିଛି । ଏହି ପଦଯାତ୍ରାରେ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ, ସ୍ୱାମୀ ସୁଧାନନ୍ଦ ଗିରି, ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ବାବା ଦାମୋଦର ଦାସ, ମହନ୍ତ ରାମକୃଷ୍ଣ ଦାସ, ବାବା ରାମ ଦାସ, ମହନ୍ତ ଦିବ୍ୟକୃଷ୍ଣ ଦାସ, ବାବା ସତ୍ୟାନନ୍ଦ ଦାସ, ରାଜ କିଶୋର ଦାସ, ଯୋଗେନ୍ଦ୍ର ନାଥ ଦାସ, ପଣ୍ଡିତ ଚିତ୍ତରଞ୍ଜନ ମିଶ୍ରଙ୍କ ସହିତ ଶତାଧିକ ସାଧୁ ସନ୍ଥ, ପ୍ରାଚୀ ପ୍ରେମୀ ଓ ବିଦେଶୀ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।