"ମୁଁ ଯିବି ତୁମରି ପରି' ପୁସ୍ତକ ଉନ୍ମୋଚିତ

ବାରିପଦା  : ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଦିବସ ପାଳିତ ଅବସରରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରାଙ୍କ ସମ୍ପାଦିତ ‘ମୁଁ ଯିବି ତୁମରି ପରି’ ପୁସ୍ତକକୁ ମୁଖ୍ୟ ଅତିଥି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଲୋକାର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର ୨୮ ଜଣ ଓଡ଼ିଆ ବିଭାଗର ଗବେଷକ ଓ ଗବେଷିକାଙ୍କ ଲିଖିତ ପ୍ରବନ୍ଧକୁ ନେଇ ଡକ୍ଟର ବେହେରା ଏହି ପୁସ୍ତକ ସମ୍ପାଦନା କରିଛନ୍ତି । ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଫ୍ରେଣ୍ଡସ୍ ପବ୍ଲିଶର୍ସ ଏହି ପୁସ୍ତକର ପ୍ରକାଶକ । ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ଭାରତୀୟ ସନ୍ଥ ସମାଜର ସଦସ୍ୟ ବନୋଷଧି ଚିକିସôକ ସମାଜସେବୀ ବାବାଜୀ ଡାକ୍ତର ସନତ ସୁଜାତାନନ୍ଦ ଦାସମହାରାଜ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ସମାଜସେବୀ ଶରତଚନ୍ଦ୍ର ନାୟକ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପ୍ରଫେସର ବବ୍ରୁବାହନ ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଏବଂ ପରିଷଦର ସମ୍ପାଦକ ଡକ୍ଟର ବିଚିତ୍ରନାଥ ସାହୁ ଓଡ଼ିଶା ଦିବସର ଆଭିମୁଖ୍ୟ ପ୍ରକାଶ କରିଥଲେ । ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପସଭାପତି ପ୍ରାଣୀ ବିଜ୍ଞାନ ବିଭାଗ ପ୍ରଫେସର ପୁଷ୍ପାଞ୍ଜଳି ପରିଡା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ବିନେ୍ଧଶ୍ୱରୀ କଲିଆ, ହୃଷୀକେଶ ମହାନ୍ତ ଓ ରାଜ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମାରୋହରେ ବିଶ୍ୱବିଦ୍ୟାଳୟର ବହୁସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଗବେଷକ ଗବେଷିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।