ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ଏୟାର ଇଣ୍ଡିଆ ବିମାନ : ମଝି ଆକାଶରେ ଇଞ୍ଜିନ୍‌ ଅଚଳ 

ବଡ ଦୁର୍ଘଟଣାରୁ ବର୍ତ୍ତିଗଲା ଏୟାର ଇଣ୍ଡିଆ ବିମାନ : ମଝି ଆକାଶରେ ଇଞ୍ଜିନ୍‌ ଅଚଳ 

ନୂଆଦିଲ୍ଲୀ : ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ। ଫଳରେ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଛନ୍ତି ୩୩୫ ଜଣ ବିମାନ ଯାତ୍ରୀ । ଏୟାର ଇଣ୍ଡିଆର ୮୮୭ ବୋଇଂ ୭୭୭-୩୦୦ ଇଆର ବିମାନ ସୁରକ୍ଷିତ ଦିଲ୍ଲୀ ଫେରିଆସିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନଟି ଫେରି ଆସିଥିଲା । ବିମାନଟି ନିରାପଦରେ ଦିଲ୍ଲୀରେ ଅବତରଣ କରିଥିଲା । ଯାତ୍ରୀ ଓ କର୍ମଚାରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା । ପ୍ରାରମ୍ଭରେ ଡାହାଣ ଇଞ୍ଜିନଟି ମଝି ଆକାଶରେ ବନ୍ଦ ହୋଇଯାଇଥିଲା । ବୋଇଂ ୭୭୭-୩୦୦ ଇଆର ବିମାନ ଦ୍ୱାରା ପରିଚାଳିତ ଏଆଇ ୮୮୭ ଆଜି ଭୋର ସାଢେ ୩ଟା ସମୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରି ଥିଲା । ଏଥିରେ ୩୩୫ ଜଣ ଯାତ୍ରୀ ଥିଲେ । ଉଡାଣର କିଛି ସମୟ ପରେ ପାଇଲଟମାନେ ଡାହାଣ ଇଞ୍ଜିନ(ଇଞ୍ଜିନ ନମ୍ବର ୨)ରେ କମ୍‌ ତେଲ ଚାପ ଦେଖିଥିଲେ । ପରବର୍ତ୍ତୀ ସମୟରେ ତେଲ ଚାପ ଶୂନକୁ ଖସି ଆସିଥିଲା । 

   ଯାହା ଫଳରେ ବିମାନଟି ଦିଲ୍ଲୀ ଫେରିବା ନିଷ୍ପତ୍ତି ନିଆଯାଇଥିଲା । ବିମାନଟି ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର ଓହ୍ଲାଇଥିଲେ । ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି ଯେ ଉଡ଼ାଣ କ୍ରୁ ଇଞ୍ଜିନ ପାରାମିଟର ଚେତାବନୀ ପରେ ସୁରକ୍ଷା ପ୍ରୋଟୋକଲ୍‌ ଅନୁସାରେ କାର୍ଯ୍ୟ କରିଥିଲେ । ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନ ଏଆଇ ୮୮୭ ପରିଚାଳନା କରୁଥିବା କର୍ମଚାରୀମାନେ ମାନକ କାର୍ଯ୍ୟପଦ୍ଧତି ପ୍ରକ୍ରିୟା ଅନୁଯାୟୀ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣ ଆରମ୍ଭ କରିବା ପରେ ତୁରନ୍ତ ଦିଲ୍ଲୀ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ବିମାନଟି ନିରାପଦରେ ଦିଲ୍ଲୀରେ ଅବତରଣ କରିଥିଲା । ଏୟାରଲାଇନ୍ସ କହିଛି ଯେ ଦିଲ୍ଲୀ ବିମାନବନ୍ଦରରେ ଏହାର ଗ୍ରାଉଣ୍ଡ ଷ୍ଟାଫ୍‌ ପ୍ରଭାବିତ ଯାତ୍ରୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ଖୁବ୍‌ ଶୀଘ୍ର ମୁମ୍ବାଇ ପରିବହନ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ବିମାନଟି ପୂର୍ବତନ ଉପରାଷ୍ଟ୍ରପତି ଏମ୍‌.ଭେଙ୍କେୟା ନାଇଡଙ୍କ ସମେତ ଅନେକ ହାଇ-ପ୍ରୋଫାଇଲ୍‌ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ଘଟଣାକୁ ଗୁରୁତର ଭାବେ ନେଇଛି । ତୁରନ୍ତ ଏୟାର ଇଣ୍ଡିଆରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି । ଡିଜିସିଏକୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।