ବଢ଼ିଲା ପ୍ରି-ମ୍ୟାଟ୍ରିକ ଓ ପୋଷ୍ଟ-ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ସ୍କଲାରସିପ ରାଶି

ବଢ଼ିଲା  ପ୍ରି-ମ୍ୟାଟ୍ରିକ ଓ ପୋଷ୍ଟ-ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ସ୍କଲାରସିପ  ରାଶି

କଟକ : ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ”ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା” ଓ ”ଅନ୍ୱେଷା ଯୋଜନା” ଅଧୀନରେ ପ୍ରି-ମେଟ୍ରିକ ଓ ପୋଷ୍ଟ-ମେଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ବୃତ୍ତି ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରି-ମେଟ୍ରିକ ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବାର୍ଷିକ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି, ଅନ୍ୱେଷା ଯୋଜନାରେ ବୃତ୍ତି ରାଶି ୧୧,୦୦୦ ଟଙ୍କାରୁ ୧୭,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ପୋଷ୍ଟ-ମେଟ୍ରିକ ସ୍ତରରେ, ପୁରୁଷ ଛାତ୍ରମାନେ ଏବେ ବାର୍ଷିକ ୧୬,୦୦୦ ଟଙ୍କା ଏବଂ ମହିଳା ଛାତ୍ରୀମାନେ ୧୭,୦୦୦ ଟଙ୍କା  ପାଇବେ। ନୂଆପଡ଼ାରେ ଆୟୋଜିତ ଏକ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ସେ କହିଛନ୍ତି “ଶିକ୍ଷା ହେଉଛି ବିକାଶର ମୂଳ ଆଧାର। ଆମ ସରକାର ପ୍ରତ୍ୟେକ ପିଲାଙ୍କ ପାଇଁ ସମାନ ଶିକ୍ଷା ସୁଯୋଗ ନିଶ୍ଚିତ କରିବାକୁ ପ୍ରତିବଦ୍ଧ।” ଏହି ବୃଦ୍ଧିପ୍ରାପ୍ତ ଆର୍ଥିକ ସହାୟତା ଓଡ଼ିଶାର ହଜାର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଗ୍ରହଣରେ ସହାୟକ ହେବ।