ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ରିଟର୍ଣ୍ଣିଂ ଅଧିକାରୀ ଏବଂ ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି । ସମ୍ବିଧାନର ଧାରା ୩୨୪ ଅନୁଯାୟୀ ଭାରତର ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପାଇଁ ଇସିଆଇ ନିର୍ବାଚନ ପରିଚାଳନା କରିବାକୁ ଅଧିକୃତ । ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ ଆଇନ, ୧୯୫୨ ର ଧାରା ୩ ଅନୁଯାୟୀ, ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ କରି ଜଣେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ପରମ୍ପରା ଅନୁଯାୟୀ, ଲୋକସଭାର ମହାସଚିବ କିମ୍ବା ରାଜ୍ୟସଭାର ମହାସଚିବଙ୍କୁ ପର୍ଯ୍ୟାୟକ୍ରମେ ରିଟର୍ଣ୍ଣିଂ ଅଧିକାରୀ ଭାବରେ ନିଯୁକ୍ତ କରାଯାଏ । ଗତ ଉପ-ରାଷ୍ଟ୍ରପତି ନିର୍ବାଚନ ସମୟରେ, ଲୋକସଭାର ମହାସଚିବଙ୍କୁ ରିଟର୍ଣ୍ଣିଂ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା । ତେଣୁ, ନିର୍ବାଚନ କମିଶନ, ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ସହିତ ପରାମର୍ଶ କରିବା ସହ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମ୍ମତିରେ, ରାଜ୍ୟସଭାର ମହାସଚିବଙ୍କୁ ଆଗାମୀ ଉପ-ରାଷ୍ଟ୍ରପତି ନିର୍ବାଚନ-୨୦୨୫ ପାଇଁ ରିଟର୍ଣ୍ଣିଂ ଅଧିକାରୀ ଭାବରେ ନିଯୁକ୍ତ କରିଛନ୍ତି । ଭାରତୀୟ ନିର୍ବାଚନ କମିଶନ ୨୦୨୫ ଉପ-ରାଷ୍ଟ୍ରପତି ନିର୍ବାଚନ ଲାଗି ରାଜ୍ୟସଭା ସଚିବାଳୟର ଯୁଗ୍ମ ସଚିବ ଗରିମା ଜୈନ,ରାଜ୍ୟସଭା ସଚିବାଳୟର ନିଦେ୍ର୍ଦଶକ ବିଜୟ କୁମାରଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବରେ ନିଯୁକ୍ତ କରିଛନ୍ତି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।