ବନାଞ୍ଚଳ କାର୍ଯ୍ୟାଳୟ ଘେରିଲେ ହାତୀ କ୍ଷତିଗ୍ରସ୍ତ

ଚମ୍ପୁଆ : ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ପତଳା ଗ୍ରାମରେ ଗତ ଶୁକ୍ରବାର ରାତି ହାତୀ ପଲଙ୍କ ଉପଦ୍ରବରେ ୧୦ ରୁ ଉଦ୍ଧ୍ୱର୍ ଘର ଭାଙ୍ଗି ଯାଇଥିବା ବେଳେ ଏକର ଏକର ଫସଲ ନଷ୍ଟ କରିଛନ୍ତି । ଏହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଆଜି ଚମ୍ପୁଆ ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ କରିବା ସହିତ କ୍ଷତି ପୁରଣ ଦାବି କରିଥିଲେ । ଏପରିକି ଉତ୍ତ୍ୟକ୍ତ ଗ୍ରାମବାସୀ ଏସିଏଫ ଅକ୍ଷୟ ଛତ୍ରିଆ ଓ ବନାଞ୍ଚଳ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ନେଇଥିଲେ । ସୂଚନା ଅନୁଯାୟୀ କିଛି ଦିନ ହେବ ୨୭ ଗୋଟିଆ ହାତୀ ପଲ ଉକ୍ତ ଅଞ୍ଚଳରେ ଉପଦ୍ରବ ଚଳାଇଥିବା ବେଳେ ନାନଦି କ୍ଷୟକ୍ଷତି ଘଟାଇ ଚାଲିଛନ୍ତି । ଗତ ଶୁକ୍ରବାର ରାତି ୧୧ ଘଟିକା ସମୟରେ ପତଳା ଗ୍ରାମ ମଧ୍ୟକୁ ପଶି ଭାଗ ଭାଗ ହେବା ସହିତ କେଦାର ପାତ୍ର, ଯୁଧିଷ୍ଠିର ପାତ୍ର, ବରଣୁଧର ପାତ୍ର, ରେବତୀ କାଳନ୍ଦି, ମଙ୍ଗୁଳୁ ପାତ୍ର, ସନାତନ ପାତ୍ର ଓ ବୁଦୁନି ନାଏକଙ୍କ ଘରକୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି । ଏପରିକି ଏହି ସଦସ୍ୟ ମାନଙ୍କ ରହିବା ଘୋର ଅସୁବିଧା ହେଉଥିବା ବେଳେ ଖାଇବା ପାଇଁ ମଧ୍ୟ ନାନା ସମସ୍ୟା ସମ୍ମୁଖିନ ହେଉଛନ୍ତି । ଏ ନେଇ ଏସିଏଫ ଅକ୍ଷୟ ଛତ୍ରିଆଙ୍କୁ ପଚାରିବାରୁ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ଘର ବାଲାଙ୍କୁ ଖାଦ୍ୟ ଯୋଗାଇ ଦିଆଯିବା ସହିତ ସରକାରଙ୍କ ଆବାସ ଯୋଜନାରେ ସାମିଲ କରିବା ଏବଂ ତାଙ୍କ କ୍ଷୟ କ୍ଷତିକୁ ତୁରନ୍ତ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।