ବନ୍ଦ ହେବ ସୁକିନ୍ଦା ବିହନ ଫାର୍ମ! ଏକର ଏକର ଜମି ରେଶମ ଶିଳ୍ପ ବିଭାଗକୁ ଟେକିଦେବାକୁ ମସୁଧା
ଯାଜପୁର : ବନ୍ଦ ହେବ ସର୍ବ ବୃହତ ବିହନ ଉତ୍ପାଦନ କ୍ଷେତ୍ର ସୁକିନ୍ଦା ବିହନ ଫାର୍ମ । ଏଭଳି କିଛି ଗନ୍ଧ ଜୀବିକା ନିର୍ବାହ କରୁଥିବା କୃଷି ଶ୍ରମିକ କରିଛନ୍ତି । ବିହନ ଫାର୍ମକୁ ବନ୍ଦ କରି ଏକର ଏକର ଜମିକୁ ରେଶମ ଶିଳ୍ପ ବିଭାଗକୁ ଟେକି ଦିଆଯିବ । ଯାଜପୁର ଜିଲା ସୁକିନ୍ଦା ବ୍ଲକ ଦାମୋଦପୁର ଠାରେ ୧୯୪୮ ମସିହାରୁ ପ୍ରତିଷ୍ଠା ଲାଭ କରିଥିବା ସୁକିନ୍ଦା ବିହନ ଫାର୍ମ ଜମିକୁ ରେଶମ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିବାକୁ ଓଡିଶା ସରକାରଙ୍କ ରାଜ୍ୟ କୃଷି ଓ କୃଷକ ଶସକ୍ତକରଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ପରିଡା ଜିଲା କୃଷି ଅଧିକାରି ଯାଜପୁରଙ୍କୁ ପତ୍ର ଲେଖିଥିବା ଜଣାପଡିଛି । ରାଜ୍ୟ କୃଷି ଓ କୃଷକ ଶସକ୍ତକରଣ ବିଭାଗ ଓଡିଶା ସରକାଙ୍କ ପକ୍ଷରୁ ଜିଲାକୃଷି ଅଧିକାରିଙ୍କ କାର୍ଯ୍ୟାଳୟକୁ ଚିଠି କରିବା ପରେ ସୁକିନ୍ଦା ମାଟିର ଗର୍ବ ସଦୃଶ ବିହନ ଫାର୍ମରେ ବିହନ ଉତ୍ପାଦନ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଏହାକୁ ନେଇ ବିହନ ଫାର୍ମ ଉପରେ ନିର୍ଭର କରୁଥିବା କୃଷି ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଶିଳ୍ପ, ହସ୍ତଶିଳ୍ପ ବିଭାଗ ପକ୍ଷରୁ ଚିଠି ସଂଖ୍ୟା ୨୯୪୨/୨୪ା୩ା୨୦୨୫ରେ (ସେରି କଲ୍ଚର୍ ହଷ୍ଟ ପ୍ଲାଣ୍ଟେସନ) ରେସମ ଶିଳ୍ପ ପାଇଁ କୃଷି ବିଭାଗକୁ ଚିଠି ଲେଖିଛି । ଉକ୍ତ ଆଧାରରେ ରାଜ୍ୟ କୃଷି ଓ କୃଷକ ଶସକ୍ତକରଣ ବିଭାଗ ପକ୍ଷରୁ ଡଏଏଫ୍ସି-ଏଲ୍ଏମ୍-ଏମ୍ଆଇଏସ୍ସି-୦୦୧୫-୨୦୨୫ ଚିଠି ସଂଖ୍ୟା ୯୧୩୮/ଏଆଣ୍ଡଏଫଇ୧୬ା୪ା୨୦୨୫ରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅଧିନ ମୂଳଖମ୍ବ ଖାତା ନମ୍ବର୯୩,୪୪୦.୮୯ଏକର, ଦୁଧୁଯୋଡି ଖାତା ନମ୍ବର ୧୦୩,୧୭୩.୪୧ ଏକର, ମଙ୍ଗପୁର ଖାତା ନମ୍ବର୨୩୩,୧୮.୩୩ଏକର ସହ ସର୍ବମୋଟ ୬୩୨.୮୩ ଏକର ବିହନ ଉତ୍ପାଦିତ ଚାଷ ଜମି ଉପରେ ଗଛ ଲଗାଇ ରେଶମ ଶିଳ୍ପ ପାଇଁ ଯୋଜନା ପ୍ରସ୍ତୁତ ସମ୍ପର୍କରେ ଚିଠି କରାଯାଇଛି । ଏହାର ପ୍ରଭାବ ସୁକିନ୍ଦା ମାଟି ସହ ସାରା ରାଜ୍ୟର ଲକ୍ଷ ଲକ୍ଷ ଚାଷୀକୂଳ ଉପରେ ଗଭୀର ପ୍ରଭାବ ବୋଲି କୁହାଯାଉଛି । ଏହି ଫାର୍ମ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଶତାଧିକ ମହିଳାପୁରୁଷ କୃଷି ଶ୍ରମିକ ମାନଙ୍କ ଜୀବିକାରେ ବେଡି ପଡିବାର ସମ୍ଭାବନା ରହିଛି । ଉକ୍ତ ଫାର୍ମର ସର୍ବମୋଟ୧୪୩୭ ଏକର ଜମି ଉପରେ ପ୍ରାରମ୍ଭରୁ ଧାନ, ମୁଗ, ବିରି, ବାଜରା, ଚିନାବାଦାମ, ସୋରିଷ, ନଳିତା, କାଙ୍ଗା ସହ ବିଭିର୍ଣ୍ଣ ପ୍ରକାର ବିହନ ଉତ୍ପାଦନ ହେଉଥିଲା । ଉକ୍ତ ଜମିରୁ ଉଦ୍ୟାନ ବିଭାଗକୁ ଅଧା ଜମି ହସ୍ତାନ୍ତର ହେବା ପରେ ବିହନ ଫାର୍ମ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିବା ପରେ ନିକଟରେ କୃଷି ବିଭାଗ ହସ୍ତାନ୍ତର ଚୁକ୍ତି ବାତିଲ କରି ଖରିଫ ଋତୁରୁ ଚାଷ କାର୍ଯ୍ୟ ପାଇଁ ଦେଇଥିବା ପ୍ରତିଶୁତି ନିଶ୍ଚିନ୍ନ ହେବାକୁ ଯାଉଛି । ବିହନ ଉତ୍ପାଦନ ଚାଷ ଜମିରେ ରେଙ୍ଗାଲି କେନାଲ ପାଣି ବିହନ ଫାର୍ମ ଜମିକୁ ଜଳ ମଗ୍ନ କରୁଛି । ଏଭଳି ସ୍ଥଳେ କୃଷି ବିଭାଗ ନିଜ ଅଧିନରେ ଚାଷ କାର୍ଯ୍ୟ ନକରି ଯଦି ସରକାର ବିହନ ଫାର୍ମ ଅସ୍ତିତ୍ୱ ସହ ସୁକିନ୍ଦା ମାଟିର ଗର୍ବ ରାଜ୍ୟର ହଜାର ହଜାର ଚାଷୀକୁଳଙ୍କ ସ୍ୱାର୍ଥକୁ ଯଦି କବର ଦେବାକୁ ପ୍ରୟାସ କରି ବିହନ ଫାର୍ମର ସତା ହଜେଇଦେବାକୁ ସୁନାର ଫସଲ ଫୋଳାଉଥିବା ଜମିକୁ ହସ୍ତାନ୍ତର କରିବେ ତେବେ ସୁକିନ୍ଦା ବିହନ ଫାର୍ମ ଶ୍ରମିକ ସଙ୍ଘ ପକ୍ଷରୁ ଦୁର୍ବାର ଆନେ୍ଦାଳନ କରାଯିବାକୁ ଚେତାବନି ଦିଆଯାଇଛି ।