ବର୍ଷ ଶେଷ ସୁଦ୍ଧା ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି
ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ଅତ୍ୟଧିକ ଆମଦାନୀ ଶୁଳ୍କ ଲଗାଇବା ପାଇଁ ଚେତାବନୀ ଦେଇଥିବାବେଳେ ଏହା ବୈଶ୍ୱିକ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏଭଳି ଆଶଙ୍କା ମଧ୍ୟରେ ଭାରତ ଏବଂ ୟୁରୋପୀୟ ୟୁନିୟନ (ଇୟୁ) ଚଳିତ ବର୍ଷ ଶେଷ ସୁଦ୍ଧା ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମ୍ପୂର୍ଣ୍ଣ କରିବାକୁ ଶୁକ୍ରବାର ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବିଶେଷ କରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବଢ଼ାଇବା ପାଇଁ ଉଭୟ ନେତା ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିନାମା ଚୂଡ଼ାନ୍ତ ହେବା ପରେ ଚଳିତ ବର୍ଷ ଶେଷ ଭାଗରେ ନୂଆଦିଲ୍ଲୀ ଆୟୋଜନ କରିବାକୁ ଯାଉଥିବା ଭାରତ-ଇୟୁ ସମିଟ୍ରେ ଏଫ୍ଟିଏ ଶୁଭାରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।