ବିକଶିତ ଓଡିଶା-ଭିଜନ ଡକ୍ୟୁମେଣ୍ଟ ଲକ୍ଷ୍ୟ ସାଧନ ନେଇ ଆହୁଜାଙ୍କ ଆଲୋଚନା

ବିକଶିତ ଓଡିଶା-ଭିଜନ ଡକ୍ୟୁମେଣ୍ଟ ଲକ୍ଷ୍ୟ ସାଧନ ନେଇ ଆହୁଜାଙ୍କ ଆଲୋଚନା

ଭୁବନେଶ୍ୱର : ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ସାଧନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ପ୍ରଶାସନିକ ବ୍ୟବସ୍ଥା ଓ ଶାସନ ପରିଚାଳନାର ସଂସ୍କାର କମିଟିର ଅଧ୍ୟକ୍ଷ ଯୁଗଳ କିଶୋର ମହାପାତ୍ର ଏବଂ ସଦସ୍ୟ ଥିବା ଓ.ପି ଅଗ୍ରୱାଲ ଏବଂ ଟି.ଏମ ବିଜୟ ଭାସ୍କର ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସାକ୍ଷାତ କରିବା ସହିତ ଲୋକ ସେବା ଭବନସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ  ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

      ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ସାଧାରଣ ପ୍ରଶାସନ  ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ (ସିଏମଜିଆଇ)ର ନିର୍ଦ୍ଦେଶକ   ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ଥିଲେ ।  

      ବୈଠକରେ କମିଟିର  ଅଧ୍ୟକ୍ଷ ଓ ସଭ୍ୟମାନେ  ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ କମିଟିର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ  ରାଜ୍ୟ ସରକାରଙ୍କ ତରଫରୁ ନିଆ ଯାଇଥିବା କେତେକ ପ୍ରଶାସନିକ ସଂସ୍କାର ସଂପର୍କିତ ସୂଚନା କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲେ । ଜନ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ଆଧୁନିକୀକରଣ, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ତଦାରଖ ବ୍ୟବସ୍ଥା, ‘ଆମ ଶାସନ’ ଫିଡ୍‌ ବ୍ୟାକ ବ୍ୟବସ୍ଥା, ୱାର୍କ ପାସ୍‌ ବୁକ୍‌ କାର୍ଯ୍ୟକାରିତା ଆଦି ସଂପର୍କରେ କମିଟିରେ ଆଲୋଚନା କରିଥିଲେ ।