ବିଜେପି ସାଙ୍ଗରେ ଆଉ ସଲାସୂତରା କରିବେନି ତ ନବୀନ ?
ଭୁବନେଶ୍ୱର : କେବେ ମଧୁଚନ୍ଦ୍ରିକା ତ କେବେ ଛାଡ଼ପତ୍ର । କେବେ ଝିମିଟି ଖେଳ ତ କେବେ ମହାଭାରତ । ବିଜେପି ଓ ନବୀନ ବାବୁଙ୍କ ସମ୍ପର୍କ ଦେଖିଲେ ଏମିତି ହିଁ ମନେହୁଏ । ଏକଦା ବିଜେପି ସହ ମେଣ୍ଟ କରିଥିବା ନବୀନ ବାବୁ ୨୦୦୯ରେ ବିଜେଡ଼ି ସହ ମେଣ୍ଟ ଭାଙ୍ଗିଦେଲେ । ଏହାପରେ ଦଳ ସେଞ୍ଚୁରୀ ମାରି ଇତିହାସ ରଚିଥିଲା । କିନ୍ତୁ ୨୦୧୯ ପରେ ପୁଣି ବିଜେପି ସହ ନବୀନଙ୍କ ଭାବଗତ ସମ୍ପର୍କ ଦଳର ଭୋଟ ବ୍ୟାଙ୍କରେ ଖୁର ମାରିଦେଲା । ଯାହାର ପ୍ରତିଫଳନ ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିଥିଲା । ନୂଆପଡ଼ା ଉପନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଆହ୍ୱାନ ଦେଇଥିବା ନବୀନ ବାବୁ ଆଉ ବିଜେପି ସାଙ୍ଗରେ ସଲାସୁତରା କରିବେନି ତ ? ଉପନିର୍ବାଚନ ପାଇଁ ଦଳୀୟ ଆବଶ୍ୟକତା କାରଣରୁ ନବୀନ ବାବୁ ଏମିତି ହିଁ ଆହ୍ୱାନ ଦେଇଛନ୍ତି ? ରାଜନୈତିକ ଅଳିନ୍ଦରେ ଏମିତି ପ୍ରଶ୍ନ ଉଙ୍କି ମାରୁଛି ।
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରେ ପରେ ବିଜେଡ଼ି ଓ ବିଜେପିର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସେତେବେଳେ ରାଜ୍ୟ ବିଜେପିର ନେତାମାନେ କିନ୍ତୁ କଠୋର ଆଭିମୁଖ୍ୟ ପୋଷଣ କରିନଥିଲେ । ତେବେ ପ୍ୟାରୀମୋହନ ମହାପାତ୍ରଙ୍କ ଇଙ୍ଗିତରେ ୨୦୦୯ରେ ନବୀନ ଫଟ୍ କିନା ବିଜେଡ଼ି ସହ ମେଣ୍ଟ ଭାଙ୍ଗି ଦେଇଥିଲେ । ଯାହାକି ତତ୍କାଳୀନ କେନ୍ଦ୍ରୀୟ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଚକିତ କରିଦେଇଥିଲା । ତେବେ ସେ ଯାହାହେଉନା କାହିଁକି ବିଜେଡ଼ି ସହ ମେଣ୍ଟ ଭାଙ୍ଗିବା ପରେ ବିଜେପି ଆହୁରି ସଶକ୍ତ ଓ ମଜବୁତ୍ ହୋଇପାରିଥିଲା । ପ୍ରଥମ ଥର ପାଇଁ ସେଞ୍ଚୁରୀ ମାରି ନବୀନ ବାବୁ ଇତିହାସ ରଚିଥିଲେ । ୨୦୧୪ରେ ସାରା ଦେଶରେ ନରେନ୍ଦ୍ର ମୋଦୀଙ୍କ ହାୱା ବହୁଥିଲା । ତଥାପିବି ନବୀନ ସେଞ୍ଚୁରୀ ମାରି ମୋଦିଙ୍କ ହାୱାକୁ ଉଡେ଼ଇ ଦେଇଥିଲେ । ୨୦୧୯ ବେଳକୁ ରାଜ୍ୟରେ ବିଜେପିର ସ୍ଥିତି ଢେ଼ର ମଜବୁତ୍ ହୋଇଯାଇଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନର ଝଟକା ବିଜେଡ଼ିକୁ ଅସ୍ତବ୍ୟସ୍ତ କରି ଦେଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସପକ୍ଷରେ ଏକ ମାହୋଲ ସୃଷ୍ଟି ହୋଇଥିଲେବି ୨୦୧୯ରେ ହାଟ୍ରିକ ସେଞ୍ଚୁରୀ ମାରିଥିଲେ ନବୀନ ପଟ୍ଟନାୟକ । ଲୋକସଭାରେ ଦଳ ଝୁଣ୍ଟିଥିଲେବି ବିଧାନସଭାରେ କିନ୍ତୁ ବିଜେଡ଼ିର ବିଜୟ ଜୟଯାତ୍ରା ଜାରି ରହିଥିଲା ।
୨୦୧୯ ପରେପରେ କିନ୍ତୁ ବିଜେଡ଼ି-ବିଜେପି ମଧ୍ୟରେ ସମ୍ପର୍କ ଧିରେଧିରେ ମଜବୁତ୍ ହୋଇଥିଲା । ବିଜେପିର କେନ୍ଦ୍ରୀୟ ନେତାମାନେ ନବୀନଙ୍କ ସହ ଭଲ ସମ୍ପର୍କ ରଖିଥିଲେ । କେନ୍ଦ୍ରୀୟ ନେତାମାନେ ପୂର୍ବରୁ ଓଡ଼ିଶା ଆସିଲେ ନବୀନ ସରକାରଙ୍କ ଉପରେ ବର୍ଷୁଥିଲେ, ହେଲେ ୨୦୧୯ ପରେ ଧିରେଧିରେ କେନ୍ଦ୍ରୀୟ ନେତାଙ୍କ ସ୍ୱର ବି ନରମ ହୋଇ ଆସିଥିଲା । କେବଳ ଯାହା ରାଜ୍ୟ ବିଜେପି ଓ ବିଜେଡ଼ି ନେତାଙ୍କ ମଧ୍ୟରେ ତୁତୁ ମେଁ ମେଁ ଦେଖିବାକୁ ମିଳିଥିଲା । ସଂସଦରେ ମୋଦି ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେବାରେ ବିଜେଡ଼ି କାର୍ପଣ୍ୟ ପ୍ରକାଶ କରିନଥିଲା । ବିଜେଡ଼ି-ବିଜେପିର ଉପରେ ଉପରେ କଳି, ଭିତରେ ଭିତରେ କୋଳାକୋଳି ଉଭୟ ଦଳର ନେତାଙ୍କୁ ଚକିତ କରିଦେଇଥିଲା । ଏମିତିକି ୨୦୨୪ ନିର୍ବାଚନ ବେଳେ ଟିକେଟ ଘୋଷଣା ସମୟରେ ବିଜେଡ଼ି-ବିଜେପି ମେଣ୍ଟ ଚର୍ଚ୍ଚା ଜୋର ଧରିଥିଲା । ବିଶେଷକରି ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ଦିଲ୍ଲୀଗସ୍ତ, ନବୀନ ନିବାସରେ ମେଣ୍ଟ ଚର୍ଚ୍ଚା, ରାଜ୍ୟ ବିଜେପିରେ କମ୍ପନ, ମନମୋହନ ସାମଲଙ୍କୁ ବାରମ୍ବାର ଦିଲ୍ଲୀ ଡକରା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରେ ଘନଘନ ବୈଠକ ଆଦି ଘଟଣାବଳୀ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରି ଦେଇଥିଲା । ୨୦୨୪ ନିର୍ବାଚନରେ ବିଜେଡ଼ିର ପରାଜୟ ପଛରେ ଏହି ମେଣ୍ଟ ଚର୍ଚ୍ଚା ବି ଅନ୍ୟ ଏକ କାରଣ ଥିଲା ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରନ୍ତି ।
ସବୁଠାରୁ ବଡ଼ କଥାଟି ହେଉଛି, ୨୦୨୪ରେ ବିଜେଡ଼ି ହାରିବା ପରେ, ପ୍ରାୟ ୧ ବର୍ଷ ଧରି ନୀରବ ବସିଥିଲା । ବିଜେପି ଦୁଇ ରାଜ୍ୟସଭା ସାଂସଦଙ୍କୁ ନିଜ ଆଡ଼କୁ ଟାଣି ନେଇଥିଲେବି ଦଳ କିନ୍ତୁ ଯେତିକି ଚଳଚଞ୍ଚଳ ହେବା କଥା ହୋଇନଥିଲା । ଏମିତିକି ଦଳରେ ପାଣ୍ଡିଆନଙ୍କ ବିଜେପି ଡିଲକୁ ନେଇ କମ୍ପନ ସୃଷ୍ଟି ହୋଇଥିଲା । ୱାକଫ ବିଲରେ ବିଜେଡ଼ି ସାଂସଦଙ୍କ ସମର୍ଥନକୁ ନେଇ ବି ଶଙ୍ଖଭବନ କମ୍ପିଥିଲା । ଦଳର କୋର୍ କମିଟି ବୈଠକରେ ବିଜେପି ସହ ଆଦୌ ସମ୍ପର୍କ ନରଖିବା ପାଇଁ ମତ ଆସିଥିଲେବି ନବୀନ କର୍ଣ୍ଣପାତ କରିନଥିଲେ । ତେବେ ନୂଆପଡ଼ା ଉପନିର୍ବାଚନ ନବୀନଙ୍କୁ ଶକ୍ତ ଆଘାତ ଦେଇଛି କହିଲେ ଭୁଲ୍ ହେବନାହିଁ । ବିଜେଡ଼ି ପ୍ରାର୍ଥୀଙ୍କୁ ବିଜେପି ନିଜ ପଟକୁ ଆଣି ନବୀନଙ୍କୁ ଝଟକା ଦେଇଥିଲା । ଯେଉଁଥିପାଇଁ ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନାରେ ନବୀନ ବେଇମାନ୍, ରଙ୍ଗମରା ସରକାର, କାମରେ ଜିରୋ, ଭୋଟ ଚୋରି ଆଦି ପ୍ରସଙ୍ଗ ଉଠାଇ ବିଜେପିକୁ ଶାଣିତ ଭାବେ ଆକ୍ରମଣ କରିଛନ୍ତି । ଯାହାକି ବିଜେଡ଼ି କର୍ମୀମାନଙ୍କୁ ଉତ୍ସାହିତ କରିଛି । ତଥାପିବି ସେମାନଙ୍କ ମନରେ ପ୍ରଶ୍ନ ନିର୍ବାଚନ ପରେ ପୁଣି ସଲାସୁତରା ହେବନି ତ ?