ସୁଦାନରେ ଓଡ଼ିଆ ଯୁବକ ନିଖୋଜ ଘଟଣା : ଫେରାଇ ଆଣିବାକୁ ଚିଠି ଲେଖିଲେ ସରକାର

ସୁଦାନରେ ଓଡ଼ିଆ ଯୁବକ ନିଖୋଜ ଘଟଣା : ଫେରାଇ ଆଣିବାକୁ ଚିଠି ଲେଖିଲେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଆଦର୍ଶଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ରଲେଖି ଆଦର୍ଶଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ଏଥିସହିତ, ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ମଧ୍ୟ ବୈଦେଶିକ ମନ୍ତ୍ରାଳୟକୁ ପତ୍ରଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜ୍‌ ଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି ।

   ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଆଦର୍ଶ କୁମାର ବେହେରା ୨୦୨୨ ମସିହାରୁ ସୁଦାନରେ କାମ କରୁଛନ୍ତି । ନିକଟରେ ତାଙ୍କ ପରିବାର ବର୍ଗ ପାଖକୁ ଖବର ଆସିଥିଲାଯେ, ଆଦର୍ଶ ବର୍ତ୍ତମାନ ନିଖୋଜ ଅଛନ୍ତି ଏବଂ ତାଙ୍କର କୌଣସି ଖୋଜ୍‌ ଖବର ମିଳୁନାହିଁ । ମୁଖ୍ୟମନ୍ତ୍ରୀ ଆଦର୍ଶଙ୍କ ପରିବାର ବର୍ଗଙ୍କୁ ଧୈର୍ଯ୍ୟର ସହ ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆଶ୍ୱାସନା ଦେଇଛନ୍ତି ।