ବିଡ଼ିଓଙ୍କୁ ଚେତାବନୀ ‘ମୋ ସରଳତାକୁ ଦୁର୍ବଳତା ଭାବନି’

ବିଡ଼ିଓଙ୍କୁ ଚେତାବନୀ ‘ମୋ ସରଳତାକୁ ଦୁର୍ବଳତା ଭାବନି’

ଭୁବନେଶ୍ୱର : ବ୍ଲକରେ କ’ଣ ସବୁ ହେଉଛି, ମୁଁ ଜାଣିଛି। କିଛି ବିଡ଼ିଓ ବିଧାୟକଙ୍କୁ ଖାତିର କରୁନାହାନ୍ତି । ଏମିତିକି ମୁଖ୍ୟମନ୍ତ୍ରୀ କହୁଥିବାବେଳେ ଟିଭି ବନ୍ଦ କରିଦେଉଛନ୍ତି । ମୁଁ ଆଦିବାସୀ ଲୋକ । ମୋ ସରଳତାକୁ ଦୁର୍ବଳତା ଭାବନାହିଁ । ମୁଁ କ୍ଷମା ଦେବିନାହିଁ । ଏମିତି ଢ଼ଙ୍ଗରେ ବିଡ଼ିଓମାନଙ୍କୁ ତାଗିଦ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 
ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟ ବେଶ୍‌ ଚର୍ଚ୍ଚା ସୃଷ୍ଟିକରିଛି । ସେ କହିଛନ୍ତିଯେ, ମୋ ଛୋଟ ବ୍ରେନ୍‌ରେ ସବୁ ସେଭ୍‌ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଉଥିଲେ ଆପଣମାନେ କାଟିଦେବେ? ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁନାହାନ୍ତି । ଏହାକୁ ମୁଁ କ୍ଷମା ଦେବିନି । ଏହା ପରେ ପରିସ୍ଥିତି କ’ଣ ହେବ ଆପଣମାନେ ଜାଣିଛନ୍ତି । ମୁଁ ଆଦିବାସୀ ଲୋକ, ତୃଣମୂଳସ୍ତରରୁ ଆସିଛି । ମୋ ସରଳତାକୁ ମୋ ଦୁର୍ବଳତା ବୋଲି ଭାବନ୍ତୁ ନାହିଁ  । ହାର୍ଡ ନିଷ୍ପତ୍ତି ବି ନେଇପାରେ । ଆଶା କରୁଛି ଏହାକୁ ସୁଧାରି ନେବେ । ଆପଣମାନେ ରାଜନୈତିକ ଚାପର ବଶବର୍ତ୍ତୀ ହେବେ ନାହିଁ । ପୁରୁଣା ଅଭ୍ୟାସ ସବୁ ଛାଡ଼ିଦିଅନ୍ତୁ  । ଆମ ସରକାରରେ ଆମ ହିସାବରେ ଯିବେ । କାହା ଚାପରେ କାମ ନକରି ଲୋକଙ୍କ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ସେହିପରି ମନରେଗାରେ ହେଉଥିବା ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସେଠି ଲେବର ଲଗାଇ କାମନକରି ମେସିନରେ କାମ ହେଉଛି । ମଷ୍ଟର ରୋଲ୍‌ରେ ବିଭିନ୍ନ ଲୋକଙ୍କ ନା ପକାଇ କାମ ହେଉଛି । ଏପରିକି କଲେଜ ଅଧ୍ୟାପକ ଏବଂ ଏମବିବିଏସ୍‌ ଡାକ୍ତରଙ୍କ ନାଁ ମଷ୍ଟର୍‌ ରୋଲ୍‌ରେ ଅଛି । ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି । ମୋ ପାଖରେ ସବୁ ରିପୋର୍ଟ ରହିଛି  । ସେ କାଳ ପଖାଳ ଆଉ ନାହିଁ । ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡିବ । ଯିଏ କାମ ନ କରିବ କ୍ଷମା ନାହିଁ । ତୁରନ୍ତ ଶ୍ରମିକଙ୍କୁ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍‌ କରିଥିଲେ । ଜିଲ୍ଲାପାଳମାନେ ବିଡ଼ିଓଙ୍କ ରିପୋର୍ଟ କାଡର଼୍ ଦେବେ । ଯେଉଁ ଅଧିକାରୀମାନେ ଠିକ୍‌ରେ କାମ କରୁନଥିବେ ସେମାନଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।