ସିଡ଼ିଓ ଓ ବିଡ଼ିଓ ସମ୍ମିଳନୀ "ଅବହେଳା ବରଦାସ୍ତ କରାଯିବନି'

ସିଡ଼ିଓ ଓ ବିଡ଼ିଓ ସମ୍ମିଳନୀ "ଅବହେଳା ବରଦାସ୍ତ କରାଯିବନି'

ଭୁବନେଶ୍ୱର : ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ । ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ । ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ଏହାହିଁ ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ।  
ବୈଠକରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, ଜିଲ୍ଲାରେ ସବୁ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ । ବ୍ଲକ ସ୍ତରରେ ହିଁ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଜନସାଧାରଣ ମାନଙ୍କ ପାଖକୁ ପହଞ୍ଚେ । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଛାଡ଼ିଦେଲା ପରେ, ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡ଼ିଓ) ଏବଂ ବ୍ଲକ୍‌ସ୍ତରରେ ବିଡିଓଙ୍କର ଗୁରୁଦାୟିତ୍ୱ ରହିଛି ଆପଣମାନେ କ୍ଷେତ୍ର ସ୍ତରରେ ଲୋକଙ୍କ ସହିତ ସିଧାସଳଖ ମିଶନ୍ତି । ସରକାରଙ୍କ ସବୁ ଯୋଜନାକୁ ଆପଣମାନେ ଲୋକଙ୍କ ପାଖକୁ ଠିକ୍‌ ଭାବରେ ପହଞ୍ଚାନ୍ତୁ । ସେମାନଙ୍କୁ କୌଣସି ପରିସ୍ଥିତିରେ ଦୟାର ପାତ୍ର ବୋଲି ଭାବିବେ ନାହିଁ । ଯୋଜନାଗୁଡ଼ିକ ହେଉଛି କେବଳ ଲୋକଙ୍କ ପାଇଁ । ସରକାର ଓ ଲୋକଙ୍କ ଭିତରେ ଆପଣମାନେ ହେଉଛନ୍ତି ସେତୁ । ସେତୁ ସୁଦୃଢ଼ ଓ ପ୍ରଶସ୍ତ ହେଲେ ଯୋଗାଯୋଗ ବ୍ୟବସ୍ଥା ଭଲ ହୁଏ ବୋଲି ସେ କହିଥିଲେ । ସେ ପୁଣି କହିଥିଲେଯେ, ଆପଣମାନେ ନିଜକୁ ଜନସେବକ ଭାବି କାମ କରନ୍ତୁ । ପ୍ରଧାନମନ୍ତ୍ରୀ ମୋଦୀଜୀ ସବୁବେଳେ ନିଜକୁ ପ୍ରଧାନ ସେବକ ବୋଲି କହି ଆସିଛନ୍ତି । ମୁଁ ମଧ୍ୟ ନିଜକୁ ଓଡ଼ିଶାର ମୁଖ୍ୟ ସେବକ ବୋଲି ମନେକରେ । ଦାୟିତ୍ୱରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ । ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ମନରେଗା, ଗ୍ରାମୀଣ ଜଳଯୋଗାଣ ଓ ପରିମଳ, ବିକଶିତ ଗାଁ ବିକଶିତ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା, ସୁଭଦ୍ରା, ଭିଜନ ୨୦୩୬ ଓ ୨୦୪୭ ଭଳି ଅନେକ ଯୋଜନା ଜନହିତରେ କାର୍ଯ୍ୟ କରୁଛି । ଏହାର ସଫଳ ରୂପାୟନର ଗୁରୁ ଦାୟିତ୍ୱ ଆପଣଙ୍କର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ମନରେଗା କାର୍ଯ୍ୟକାରିତା ଉପରେ ଆଲୋକପାତ କରି କହିଥିଲେ, ଏଥିରେ ଅନ୍ୟୁନ୍ୟ ପକ୍ଷେ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ଯୋଗାଇଦେବା ସହ ଏହି ସବୁ କାର୍ଯ୍ୟରେ ମେସିନ୍‌ ବଦଳରେ ମାନବ ଶକ୍ତିର ଅଧିକ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ରୋଜଗାର ପାଇବା ସହିତ ଦାଦନ ସମସ୍ୟା ଦୂରୀଭୂତ ହୋଇପାରିବ । କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଥିଲେଯେ, ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ହେଉଛି, ଗାଁର ବିକାଶ ନହେଲେ ଦେଶର ବିକାଶ ହେବ ନାହିଁ । ଏହି ଦୃଷ୍ଟିକୋଣ ଆଧାରରେ ଆମେ କାମ କରୁଛୁ । ନୂଆ ସରକାରଙ୍କ ଆଭିମୁଖ୍ୟ ଓ ଦାୟିତ୍ୱବୋଧତାକୁ ଆପଣମାନେ ପ୍ରାଥମିକତା ଦେଇଛନ୍ତି । ସରକାରଙ୍କ ଯୋଜନାକୁ ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇଲେ, ସରକାରଙ୍କର ସଠିକ ମୂଲ୍ୟାଙ୍କନ ହୋଇ ପାରିବ ଓ ମୁଖ୍ୟମନ୍ତ୍ରୀଙ୍କ ଉତ୍ସାହ ଆମକୁ ସଫଳ କରାଇବ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ବିକଶିତ ଓଡିଶାର ରୋଡମ୍ୟାପରେ ଗାଁର ବିକାଶକୁ ହିଁ ଆମେ ପ୍ରାଥମିକତା ଦେଇଛୁ । ଏଣୁ ପ୍ରତ୍ୟେକ ବ୍ଲକରେ ଏହି ବିକାଶର ମନ୍ତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇବାର କାମ ହେଉଛି ଆପଣମାନଙ୍କର । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଗିରୀଶ ଏସ.ଏନ. ସ୍ୱାଗତ ଭାଷଣ ଦେଇଥିବା ବେଳେ, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଭିନୀତ ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦ୍ୱି-ଦିବସୀୟ କର୍ମଶାଳା ତଥା ବୈଠକରେ ୩୦ଟି ଜିଲ୍ଲାର ମୁଖ୍ୟ ଉନ୍ନୟନ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ୩୧୪ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯୋଗ ଦେଇଥିଲେ ।