ଭିଜିଲାନ୍ସ ପଞ୍ଝାରେ ଏବିଡ଼ିଓ ବାବୁ : ଠାବ ହେଲା ଦାମୀ ପ୍ଲଟ ଓ ଫ୍ଲାଟ 

ଭିଜିଲାନ୍ସ ପଞ୍ଝାରେ  ଏବିଡ଼ିଓ ବାବୁ : ଠାବ ହେଲା ଦାମୀ ପ୍ଲଟ ଓ ଫ୍ଲାଟ 

ଯାଜପୁର : ଭିଜିଲାନ୍ସ ପଞ୍ଝାରେ ଧର୍ମଶାଳା ବ୍ଲକର କୁବେର ଏବିଡ଼ିଓ । ପଞ୍ଚାୟତିରାଜ ବିଭାଗରେ ଜିପିଇଓରୁ ଚାକିରୀ କାଳ ଆରମ୍ଭ କରି ଧର୍ମଶାଳା ବ୍ଲକରେ ଏବିଡ଼ିଓ ଭାବେ କାର୍ଯ୍ୟ କରୁଥିବା ଅସିତ ପାତ୍ର ମାତ୍ର ୩୧ ବର୍ଷରେ କୋଟି କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଅର୍ଜନ କରିଥିବା ଜଣାପଡ଼ିଛି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୮ଜଣ ଡିଏସପି,୯ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ୭ଟି ସ୍ଥାନରେ ହୋଇଥିବା ଚଢାଉରେ ଭିଜିଲାନ୍ସ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ଯାଜପୁର ସୁନ୍ଦରୀମୁହାଁ ନିବାସୀ ଅସିତ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ନେଇ ଯାଜପୁର, ଯାଜପୁର ରୋଡ଼, କଟକ, ଭଦ୍ରକ, ଭୁବନେଶ୍ୱର ସମେତ ୭ଟି ସ୍ଥାନରେ ତଲାସୀ ବେଳେ ଭିଜିଲାନ୍ସ ସନ୍ଧାନ ପାଇଛି । ୧୯୯୪ରୁ ଜିପିଇଓରୁ ଚାକିରୀ କାଳ ଆରମ୍ଭ କରିଥିବା ଅସିତ ୨୦୧୦ରେ ଏବିଡ଼ିଓ ଭାବେ ପ୍ରମୋସନ ପାଇଁ ରସୁଲପୁର ବ୍ଲକରେ ନିଯୁକ୍ତି ପାଇଥିଲେ । ଦୀର୍ଘ ୯ବର୍ଷ ଧରି ଆସ୍ଥାନ ଜମାଇ ରହିବା ପରେ ଶାସକ ଦଳର ଛତ୍ରଛାୟାରେ ଥିବା ଅସିତ ୨୦୧୯ରେ ଧର୍ମଶାଳା ବ୍ଲକକୁ ବଦଳି ହୋଇଥିଲେ । ଅଦ୍ୟାବଧି କାର୍ଯ୍ୟରତ ଥିବା ଅସିତଙ୍କ ନାମରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଆସୁଥିଲେ ହେଁ ବିଜେଡ଼ି ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଥିଲା । ପିସି ଆଦାୟରେ ମାହିର ବ୍ଲକକୁ ଆସୁଥିବା ସାଧାରଣ ଗରିବଙ୍କ ତଣ୍ଟି ଚିପି ଅର୍ଜନ କରିଥିବା ଟଙ୍କାରେ ପ୍ଲଟ ପରେ ପ୍ଲଟ ଖର୍ଦ୍ଦି କରିଚାଲିଥିଲେ । ଭିଜିଲାନ୍ସ ସୁନ୍ଦରୀମୁହାଣ ନିକଟସ୍ଥ ଗରାଦେଶ୍ୱରରେ ତାଙ୍କ ଜନ୍ମସ୍ଥାନ,ଭଦ୍ରକ ଭଣ୍ଡାରୀ ପୋଖରୀର ସାନବାନାସ୍ତା ଗ୍ରାମରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର, ତାଙ୍କ ଆବାସ ସହ ଧର୍ମଶାଳାରେ ଥିବା ସରକାରୀ କ୍ୱାର୍ଟର, ବ୍ଲକ କାର୍ଯ୍ୟାଳୟ କକ୍ଷ, ଯାଜପୁର ରୋଡ଼, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଅବସ୍ଥିତ ତାଙ୍କର ବାସସ୍ଥାନରେ ଚଢ଼ଉ କରିଥିଲା । ଯାଜପୁର ରୋଡ୍‌ର କହ୍ନେଇପୁରରେ ୬ ହଜାର ବର୍ଗ ଫୁଟର ୪ ମହଲା କୋଠା, ୪ ହଜାର ବର୍ଗ ଫୁଟର ୨ ମହଲା କୋଠା, ୩ ଶହ ବର୍ଗ ଫୁଟର ସପିଂ କମ୍ପେ୍ଳକ୍ସ, କଟକ ଚାଉଳିଆଗଞ୍ଜର ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟରେ ଫ୍ଲାଟ୍‌, ଯାଜପୁର ସୁନ୍ଦରୀମୁହାଣ ନିକଟସ୍ଥ ଗରଦେଶ୍ୱରରେ ତାଙ୍କ ଜନ୍ମସ୍ଥାନରେ ୨ ହଜାର ବର୍ଗ ଫୁଟର ୩ ମହଲା କୋଠା, ଯାଜପୁର ରୋଡ଼ ଓ ଦାନଗଦୀରେ ୫ଟି ମୂଲ୍ୟବାନ ପ୍ଲଟ, ୭୦୦ ଗ୍ରାମର ସୁନା ଗହଣା, ନଗଦ ୧ଲକ୍ଷ ୮୫ହଜାର ୫୬୦ ଟଙ୍କା, ୬୫ଲକ୍ଷ ଟଙ୍କା ବ୍ୟାଙ୍କ ଓ ଇନସୁରାନ୍ସ ଜମା ରାଶି, ଦୁଇଟି ବାଇକର ସନ୍ଧାନ ପାଇଛି ଭିଜିଲାନ୍ସ । ଅସିତ ନିଜ ଚାକିରୀ ଜୀବନ ସମୟରେ ଯେତିକି ଟଙ୍କା ଦରମା  ପାଉଥିଲେ ତା ଠାରୁ ପ୍ରାୟ ଶହେ ଗୁଣ ସମ୍ପତ୍ତି ଅସତ ଉପାୟରେ ରୋଜଗାର କରିଥିବା ଜଣାପଡ଼ିଯାଉଛି । ବିଜେଡି ସରକାର ସମୟରେ ବାବୁ ଏତେ ପ୍ରଭାବଶାଳୀ ଥିଲେ ଯେ ତାଙ୍କ ବିନା କାର୍ଯ୍ୟାଳୟରେ କୈାଣସି କାର୍ଯ୍ୟ ହେଇ ପାରୁନଥିଲା । ସରକାରୀ ଦଳକୁ ଗୋଟିଏ ଗୋଟିଏ ବ୍ଲକରେ ବର୍ଷ ବର୍ଷ ଧରି ଗାଦି ମାଡି ବସୁଥିଲେ କୁବେର ଏବିଡ଼ିଓ ଅସିତଙ୍କ ବିରୁଦ୍ଧରେ ଲଗାତାର ଅଭିଯୋଗ ଆସିବା ପରେ ମୋହନ ମାଝୀଙ୍କ ସରକାରଙ୍କ ପକ୍ଷରୁ ଗତକାଲି ଭିଜିଲାନ୍ସ ତରଫରୁ ଏକ ଟିମ ଗଠନ କରାଯାଇ ୭ଟି ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଅସିତଙ୍କ ଚେର କେଉଁ ଆଡେ ଲମ୍ବିଛି ଏବଂ ସେ କାହା କାହା ଲିଙ୍କରେ ରହି ଏତେ ଟଙ୍କା କମେଇଛନ୍ତି ସେ ସବୁ ଦିଗରେ ଭିଜିଲାନ୍ସ ବିଭାଗ ଅଧିକ ଖୋଲତାଡ଼ କରୁଥିବା ବେଳେ ଆସନ୍ତାକାଲି ପାତ୍ରଙ୍କୁ ଗିରଫ କରାଯିବାର ସୂଚନା ରହିଛି ।