ବିଧାୟକଙ୍କ ଦରମା ଓ ଭତ୍ତା
ସୌଭାଗ୍ୟ ରଞ୍ଜନ ମହାନ୍ତି : ଲୋକେ କହନ୍ତି, ଥରେ ବିଧାୟକ କିମ୍ବା ସାଂସଦ ହେଲେ ସେମାନେ ଯେତେ କମେଇ ଦିଅନ୍ତି, ତାହା ତିନିପୁରୁଷ ପର୍ଯ୍ୟନ୍ତ ସରେ ନାହିଁ । କିନ୍ତୁ ଏଭଳି ଚର୍ଚ୍ଚାର ସତ୍ୟତା କେତେ ଆମେ ଜାଣିନାହୁଁ, ଏବେ ଓଡିଶାର ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପ-ବାଚସ୍ପତି, ସରକାରୀ ଦଳର ମୁଖ୍ୟ ସଚେତକ, ବିରୋଧୀ ଦଳ ନେତା ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍ସନ୍ ଓ ଭତ୍ତା ଯେପରି ବୃଦ୍ଧି ପାଇଛି, ତାହା ଲୋକଙ୍କ କଥା ସତ୍ୟତାକୁ ପ୍ରତିପାଦନ କରିବା ପାଇଁ ଏକ ଅଂଶ ବିଶେଷ ହୋଇପାରେ । ଦୀର୍ଘ ୮ବର୍ଷର ଦାବି ପରେ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦ ହେବା ଦିନ ବିଧାୟକମାନଙ୍କ ମାସିକ ବେତନ ଓ ଭତ୍ତା ଏବଂ ପୂର୍ବତନ ବିଧାୟକଙ୍କୁ ପେନ୍ସନ୍ ଓ ଭତ୍ତା ଏକାଥରକେ ୩ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ବେତନ ଓ ଭତ୍ତା ଏବଂ ପେନ୍ସନ୍ ଓ ଭତ୍ତା ଗତ ୨୦୨୪ ଜୁନ ୫ତାରିଖରୁ ପିଛିଲା ଭାବେ ଲାଗୁ ହେବ ।
ଦରମା ଓ ଭତ୍ତାକୁ ମିଶାଇ ବିଧାୟକଙ୍କୁ ମାସିକ ୩ଲକ୍ଷ ୪୫ହଜାର, ମୁଖ୍ୟମନ୍ତ୍ରୀଙ୍କୁ ୩ଲକ୍ଷ ୭୪ ହଜାର, ବାଚସ୍ପତିଙ୍କୁ ୩ଲକ୍ଷ ୬୮ହଜାର, ଉପ-ବାଚସ୍ପତିଙ୍କୁ ୩ଲକ୍ଷ ୫୦ହଜାର,କ୍ୟାବିନେଟ ମନ୍ତ୍ରୀଙ୍କୁ ୩ଲକ୍ଷ ୬୨ହଜାର ବିରୋଧୀ ଦଳ ନେତା ଓ ସରକାରୀ ଦଳର ମୁଖ୍ୟ ସଚେତକଙ୍କୁ ୩ଲକ୍ଷ ୬୨ହଜାର ଟଙ୍କା, ଉପମୁଖ୍ୟମନ୍ତ୍ରୀଙ୍କୁ ୩ଲକ୍ଷ ୫୦ହଜାର ଟଙ୍କା ମିଳିବ । ସେହିପରି ପୂର୍ବତନ ବିଧାୟକଙ୍କୁ ମାସିକ ପେନ୍ସନ୍ ୧ଲକ୍ଷ ୧୭ହଜାର ୫୦୦ଟଙ୍କା ମିଳିବ। ଆହୁରି ମଧ୍ୟ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ, ପ୍ରତି ବର୍ଷ ପାଇଁ ଅତିରିକ୍ତ ୩ହଜାର ଟଙ୍କା ମିଳିବ । ବିଧାୟକ ଥାଇ ମୃତ୍ୟୁ ଘଟିଲେ ୨୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟକ ମିଳିବ । ଏହି ବର୍ଦ୍ଧିତ ବେତନ ଓ ଭତ୍ତା ପାଇଁ ରାଜ୍ୟ ରାଜକୋଷ ଉପରେ ବାର୍ଷିକ ଅତିରିକ୍ତ ୫୦କୋଟି ଅତିରିକ୍ତ ବୋଝ ପଡିବ । ଆହୁରି ମଧ୍ୟ ପିଛିଲା ଭାବେ ଏହା ଲାଗୁ ହୋଇଥିବାରୁ ଆଉ ୬୧କୋଟି ଟଙ୍କା ଅତିରିକ୍ତ ବ୍ୟୟ ଭାର ରାଜକୋଷ ଉପରେ ପଡିବ । ଓଡିଶା ବିଧାୟକମାନଙ୍କୁ ମୋଟା ଦରମା ଦେଶରେ ସର୍ବାଧିକ । ଅର୍ଥାତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ବିଧାୟକମାନଙ୍କ ତୁଳନାରେ ଓଡିଶାର ବିଧାୟକମାନଙ୍କ ଦରମା ସବୁଠୁ ଅଧିକ ରହିଛି । ସତେ ଯେପରି ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବିଧାୟକ, ମନ୍ତ୍ରୀଙ୍କ ପାଇଁ ଭଣ୍ଡାର ଖୋଲିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଉତ୍ତରପ୍ରଦେଶର ବିଧାୟକମାନେ ଦେଶରେ ସବୁଠୁ ଅଧିକ ବେତନ ପାଉଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ ତ୍ରିପୁରାର ବିଧାୟକ ମାସିକ ୫୦ହଜାର ଟଙ୍କା ବେତନ ପାଆନ୍ତି, ଯାହାକି ଦେଶରେ ସର୍ବନିମ୍ନ । ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ହୁଅନ୍ତୁ ବା ସାଂସଦ ହୁଅନ୍ତୁ, ସେମାନେ ନିଜେ ନିଜର ବେତନ ସ୍ଥିର କରିଥାନ୍ତି । ଅର୍ଥାତ ବିଧାୟକଙ୍କ ବେତନ ବିଧାନସଭା ଓ ସାଂସଦଙ୍କ ବେତନ ପାର୍ଲିଆମେଂଟ ସ୍ଥିର କରିଥାଏ । ଜଣେ ସରକାରୀ କର୍ମଚାରୀ ଦୀର୍ଘ ୩୦ବର୍ଷ ଧରି କାର୍ଯ୍ୟ କରି ଅବସର ନେବା ପରେ ପେନ୍ସନ୍ ନେଇଥାଏ । କିନ୍ତୁ ଓଡିଶାର ବିଧାୟକ କେବଳଳ ନିର୍ବାଚିତ ହେବା ପର ଦିନଠାରୁ ପେନ୍ସନ୍ ପାଇବାକୁ ହକଦାର । ପେନ୍ସନ୍ ପାଇବା ନିମନ୍ତେ ଥିବା ଏକ ବର୍ଷ ଅବଧି ପୂରଣ ନିୟମକୁ ମଧ୍ୟ ଉଠାଇ ନିଆଯାଇଛି । ଜଣେ ସରକାରୀ କର୍ମଚାରୀ ଅବସର ପରେ କେବଳ ଗୋଟିଏ ପେନ୍ସନ୍ ପାଇଥାଏ । ମାତ୍ର ଜଣେ ବିଧାୟକ ଯଦି ପାର୍ଲିଆମେଂଟକୁ ନିର୍ବାଚିତ ହୋଇଥିବେ, ସେ ବିଧାୟକ ଓ ସାଂସଦ ଭାବେ ଦୁଇଟି ପେନ୍ସନ୍ ପାଇବାକୁ ହକଦାର । ରାଜ୍ୟରେ ବିଧାୟକମାନଙ୍କ ବେତନ ଓ ଭତ୍ତା ଆଶାତୀତ ଭାବେ ବୃଦ୍ଧି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାଇବା ସ୍ୱାଭାବିକ ମଧ୍ୟ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଜନକ ତଥା ଉତ୍କଳ ଗୌରବ ମଧୁସୂଦନ ଦାସ ଓଡିଶା ବିହାର ବିଧାନସଭାର ସଦସ୍ୟ ଥିବାବେଳେ ଲୋକପ୍ରତିନିଧିମାନେ ଜନସେବକ ଥିବା ଦର୍ଶାଇ ବେତନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଅଥଚ ସେହି ଓଡିଶାରେ ବିଧାୟକମାନେ ଉଚ୍ଚ ବେତନ ପାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି ।
ବିଧାନସଭାରେ ବେତନ ଓ ଭତ୍ତା ବିଲ୍ ସର୍ବସମ୍ମତ କ୍ରମେ ଗୃହୀତ ହେବା ସମୟରେ ବିଧାୟକମାନେ ଅତ୍ୟନ୍ତ ପ୍ରଫୁଲିତ ଥିବା ଦେଖିବାକୁ ମିଳିଥିଲା । କୌଣସି ଜଣେ ହେଲେ ବିଧାୟକ ବେତନ ବୃଦ୍ଧିକୁ ବିରୋଧ କରିନଥିଲେ । ତେବେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ବେତନ ନେବେ ନାହିଁ । ଏହାକୁ ଲୋକଙ୍କ ସ୍ୱାର୍ଥରେ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେହିପରି ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ ମଧ୍ୟ ବର୍ଦ୍ଧିତ ବେତନ ଲୋକଙ୍କ ପାଇଁ ବିନିଯୋଗ କରିବାକୁ ଘୋଷଣା କରିଛନ୍ତି । ବିଧାୟକ ଲକ୍ଷ୍ମଣ ମୁଣ୍ଡା ବେତନ ବୃଦ୍ଧିକୁ ବିରୋଧ କରିଛନ୍ତି, କିନ୍ତୁ ବିଧାନସଭା ଭିତରେ କିଛି କହିନଥିଲେ । ଅତୀତରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ମାତ୍ର ଟଙ୍କାଟିଏ ବେତନ ନେଇ ଉଦାହରଣ ସୃଷ୍ଟି କରିଯାଇଛନ୍ତି ।
କିନ୍ତୁ ବର୍ତ୍ତମାନର ବହୁ ବିଧାୟକ ବେତନ ବହୁତ କମ୍ ବୋଲି ଯୁକ୍ତି ଦର୍ଶାଇଛନ୍ତି । ବିଧାୟକଙ୍କ ବେତନ ବୃଦ୍ଧି ନେଇ ଓଡିଶା ଆଜି ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିବା ବେଳେ ବେତନ ବୃଦ୍ଧି ଉପରେ ରୋକ୍ ଲାଗି ମାମଲା ଏବେ ନ୍ୟାୟାଳୟରେ ପହଁଚିଛି । ମାତ୍ର ବିଧାୟକ କିମ୍ବା ସାଂସଦଙ୍କ ବେତନ ବୃଦ୍ଧି ନ୍ୟାୟାଳୟ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ । ଅତୀତରେ ସୁପ୍ରିମକୋର୍ଟରେ ଏ ନେଇ ବହୁ ମାମଲା ଦାୟର ହୋଇଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ କେବଳ ନୈତିକତା ପ୍ରସଙ୍ଗ ଦର୍ଶାଇ ଖାରଜ କରି ଦେଇଥିଲେ । ନ୍ୟାୟାଳୟରେ ଏ ନେଇ କୌଣସି ପ୍ରଶ୍ନ କରାଯାଇ ପାରିବ ନାହିଁ । ଅନ୍ୟପକ୍ଷରେ ବେତନ ବୃଦ୍ଧି ପାଇଁ ଅଙ୍ଗନୱାଡି, ଆଶା କର୍ମୀ ଠାରୁ ଆରମ୍ଭ କରି ଶିକ୍ଷକମାନେ ଦାବି କରି ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାଁନ୍ତି । ସେହିପରି ସରକାର ଗଢିଲେ ରାଜ୍ୟର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ୧୦୦୦ଟଙ୍କାରୁ ୩୦୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ବିଜେପି ନିର୍ବାଚନ ପ୍ରତିଶ୍ରୁତି ଦେଇଥିବାବେଳେ ପ୍ରତିଶ୍ରୁତି ଭୁଲିଯାଇ ନିଜ ବେତନ ବଢାଇବା କେତେଦୂର ଯଥାର୍ଥ ?
ମୋ: ୭୯୭୮୬୬୬୪୦୩
Samir Kumar Rout