ରୋଗ ପ୍ରତିରୋଧକ ଶକ୍ତି
ଡ.ପ୍ରଫୁଲ୍ଲ କୁମାର ଦାସ : ଆପଣ କ'ଣ ସବୁବେଳେ ଥଣ୍ଡା ଜ୍ୱର ଅଥବା ସର୍ଦ୍ଦିରେ ପୀଡ଼ିତ ହେଉଛନ୍ତି ? ଋତୁ ବଦଳିବା ସଙ୍ଗେ ସଙ୍ଗେ ଆପଣଙ୍କର ଶରୀରର ଅବସ୍ଥା ବଦଳିଯାଉଛି ? କାମ ଆରମ୍ଭ କରୁ କରୁ ଆପଣ ଥକି ପଡ଼ୁଛନ୍ତି ? ଯଦି ଏସବୁର ଉତ୍ତର "ହଁ' ତାହେଲେ ଆପଣ ଏକଥା ଜାଣି ରଖନ୍ତୁ ଯେ, ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ବା ଇମ୍ୟୁନ୍ ସିଷ୍ଟମ ଦୁର୍ବଳ ହୋଇଗଲାଣି । ଏକଥା ବୈଜ୍ଞାନିକ ଗବେଷଣାରୁ ପ୍ରମାଣିତ ହୋଇଛି ଯେ, ଶରୀରର ଇମ୍ୟୁନ୍ ସିଷ୍ଟମ ଦୁର୍ବଳ ହେବା ଦ୍ୱାରା ଶରୀରକୁ ନାନାଦି ରୋଗ ଖୁବ୍ ସହଜରେ ଆକ୍ରାନ୍ତ କରି ପାରିଥାଏ । ତେଣୁ ଏକଥା ସ୍ୱୀକାର୍ଯ୍ୟ ଯେ, ଲୋକମାନେ ସେତେବେଳେ ରୋଗ ବେମାରରେ ପଡ଼ନ୍ତି ଯେତେବେଳେ ସେମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍ଜୋର ହୋଇଯାଇଥାଏ । ତେଣୁ ଏକଥା ସମସ୍ତେ ସ୍ୱୀକାର କରିବେ, ଶରୀରର ଇମ୍ୟୁନ ସିଷ୍ଟମ ହେଉଛି ମଣିଷ ପାଇଁ ଏକ ବରଦାନ ସଦୃଶ, ଯାହାକୁ ଅତି ଯତ୍ନ ସହକାରେ ସବଳ ରଖିବା ଆମ ସମସ୍ତଙ୍କ ଏକ ପ୍ରାଥମିକ ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ।
ଏକଥା କୁହାଯାଏ ଯେ, ମଣିଷର ଜୀବନ ଖାଲି ସଂଘର୍ଷ ଆଉ ସଂଘର୍ଷ। ମଣିଷ ଯେ ଖାଲି ବାହ୍ୟ ଶକ୍ତି ଅଥବା ଦେଖିପାରୁଥିବା ଶକ୍ତିଗୁଡ଼ିକ ବିରୋଧରେ ସଂଘର୍ଷ କରେ ତାନୁହେଁ ଅଧିକନ୍ତୁ ଅନେକ ଅଦୃଶ୍ୟ ଶକ୍ତିକୁ ବି ସାମ୍ନା କରିବା ପାଇଁ ପଡ଼ିଥାଏ । ବାସ୍ତବରେ ପ୍ରତ୍ୟେକ ଦିନ ଆମେ ନିୟୁତ ନିୟୁତ କୀଟାଣୁ, ଭୂତାଣୁ ଆଦିଙ୍କର ସାମ୍ନା କରିଥାଉ। କିନ୍ତୁ ଆମ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏମାନଙ୍କର ସାମ୍ନା କରିବା ସତ୍ତେ୍ୱ ସୁସ୍ଥ ସବଳ ରହିଥାନ୍ତି । କିନ୍ତୁ ଏମିତି ବି ଅନେକ ଲୋକ ରହିଛନ୍ତି ଯେଉଁମାନେ ଅସୁସ୍ଥ ହୋଇପଡ଼ନ୍ତି । ଏହାର କାରଣ ହେଉଛି ଦୁର୍ବଳ ଇମ୍ୟୁନ ସିଷ୍ଟମ। ଯେଉଁମାନେ କୀଟାଣୁ, ଭୂତାଣୁଙ୍କର ସାମ୍ନା କରି ବି ସୁସ୍ଥ ରହିପାରନ୍ତି ସେମାନଙ୍କର ଇମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ସୁସ୍ଥ, ସବଳ ଥିବାବେଳେ ଯେଉଁମାନେ ଅଳ୍ପକେ ବେମାର ପଡ଼ନ୍ତି ସେମାନଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ ହୋଇପଡ଼ିଥାଏ। ଏତେ ସବୁ ଆଲୋଚନା ପରେ ଏଭଳି ପ୍ରଶ୍ନଟିଏ ମନରେ ଉଠିବା ସ୍ୱାଭାବିକ ଯେ, ଏହି ଇମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କ'ଣ ? ବୈଜ୍ଞାନିକ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଏହା ହେଉଛି ଶରୀରର ଏକ ପ୍ରତିରୋଧୀ ବ୍ୟବସ୍ଥା, ଯାହା ଆମକୁ ସକଳ ରୋଗବ୍ୟାଧୀ ଦାଉରୁ ସୁରକ୍ଷିତ ରଖେ। ଏହି ବ୍ୟବସ୍ଥା ଆମ ଶରୀର ପାଇଁ ଈଶ୍ୱରଙ୍କର ଏକ ବରଦାନ ସଦୃଶ। ଆମ ଶରୀରକୁ ପ୍ରବେଶ କରୁଥିବା ଅନିଷ୍ଟକାରୀ ଶକ୍ତିଗୁଡ଼ିକୁ ଏହି ବ୍ୟବସ୍ଥା କାବୁ କରିନିଏ। ଫଳରେ ଆମେ ସୁସ୍ଥ ରହିପାରୁ। ନିକଟରେ ମହମାରୀ କରୋନା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁଖ୍ୟ କାରଣ ଦୁର୍ବଳ ଇମ୍ୟୁନ ସିଷ୍ଟମ ବୋଲି କୁହାଯାଉଛି । ଗବେଷକଙ୍କ ମତରେ କରୋନା, ସ୍ୱାଇନ୍ଫ୍ଲ୍ୟୁ ଠୁ ଆରମ୍ଭ କରି ଦୁରାରୋଗ୍ୟ କର୍କଟ ବ୍ୟାଧି ପର୍ଯ୍ୟନ୍ତ ସବୁକିଛିର ମୂଳ କାରଣ ଦୁର୍ବଳ ଇମ୍ୟୁନ ସିଷ୍ଟମ୍। ଇମ୍ୟୁନ ସିଷ୍ଟମ୍ ଦୁର୍ବଳ ହେବା ପଛରେ ରହିଛି ଅନେକ କାରଣ । ସବୁଠୁ ଉଦ୍ବେଗଜନକ ବିଷୟ ଏ ସବୁ ପଛରେ ରହିଛି ମଣିଷର ବେପରୁଆ ଭାବ। ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ, ବିଶ୍ୱର ପ୍ରାୟ ୭୫ ପ୍ରତିଶତ ଲୋକଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ । ବିଶେଷ କରି କମ୍ ଶୋଇବା, ଖାଇବା, ପିଇବାର, ବଦଭ୍ୟାସ, ଅତ୍ୟଧିକ ମାନସିକ ଚାପ, ଆଣ୍ଟିବାୟୋଟିକ୍ ସେବନ, ମଦ୍ୟପାନ ଆଦି ଅଭ୍ୟାସ ଦ୍ୱାରା ଶରୀର ଇମ୍ୟୁନ ସିଷ୍ଟମ ଅତିମାତ୍ରାରେ ପ୍ରଭାବିତ ହୋଇଥାଏ। ଫଳରେ ସାମାନ୍ୟ ଥଣ୍ଡା ଜ୍ୱରଟେ ବି ମଣିଷକୁ ନାକେଦମ କରିବାରେ ସକ୍ଷମ ହୋଇଥାଏ।
ଯଦି ମଣିଷ ନିଜକୁ ନିଜେ ନିରୋଗ ରହିବା ପାଇଁ ଚାହୁଁଛି ତାହେଲେ ତାକୁ ସର୍ବପ୍ରଥମେ ନିଜର ଇମ୍ୟୁନ ସିଷ୍ଟମକୁ ସୁସ୍ଥ ତଥା ସବଳ ରଖିବା ପାଇଁ ପଡ଼ିବ। ସେଥିପାଇଁ ଆମକୁ ପ୍ରଥମେ ବ୍ୟବସ୍ଥିତ ହେବାକୁ ପଡ଼ିବ ତଥା ପରେ ଶୃଙ୍ଖଳିତ ଜୀବନଚର୍ଯ୍ୟା ଆପଣାଇବାକୁ ପଡ଼ିବ । ଯେତେଦୂର ସମ୍ଭବ ରିଲାକ୍ସ ରୁହନ୍ତୁ ଏବଂ ଭରପୂର ନିଦରେ ଶୁଅନ୍ତୁ। ଦିନରେ ଅନ୍ତତଃ କିଛି ଆରାମ୍ ବି କରନ୍ତୁ । ଆରାମ କରିବା ଦ୍ୱାରା ଦିନ ସାରା ଖର୍ଚ୍ଚ ହୋଇଥିବା ଶକ୍ତି ପୁନଃ ସଞ୍ôଚତ ହୋଇଥାଏ । ଖାଦ୍ୟ ପଦାର୍ଥରେ ପୋଷାକ ତତ୍ତ୍ୱ ସାମିଲ କରିବା ନିତାନ୍ତ ପ୍ରୟୋଜନ । ପୋଷକ ତତ୍ତ୍ୱ ଭୋଜନ କରିବା ଦ୍ୱାରା ଶରୀରକୁ କେବଳ ଶକ୍ତି ମିଳେ ନାହିଁ, ଅଧିକନ୍ତୁ ଶରୀରରେ ଅଧିକରୁ ଅଧିକ ହ୍ୱାଇଟ୍ ବ୍ଲଡ଼ ସେଲ୍ ବା ଶ୍ୱେତ୍ ରକ୍ତ କଣିକା ସୃଷ୍ଟି ହୋଇଥାଏ। ଉଲ୍ଲେଖ ପ୍ରୟୋଜନ ଯେ, ଏହି ଶ୍ୱେତ ରକ୍ତ କଣିକାଗୁଡ଼ିକ ହେଉଛନ୍ତି ଶରୀରର ଇମ୍ୟୁନ ସିଷ୍ଟମ । ମାଛ, ମାଂସ, ଫଳ, ପନିପରିବା, କ୍ଷୀର, ଛେନା ଆଦି ଆବଶ୍ୟକ ପରିମାଣରେ ନିଶ୍ଚୟ ଖାଆନ୍ତୁ । ଏହାଦ୍ୱାରା ଶରୀର ସୁସ୍ଥ ରହେ। ଅର୍ଗାନିକ ଫୁଡ଼ ଖାଇବା ଉପରେ ପ୍ରାଥମିକତା ଦିଅନ୍ତୁ। କାରଣ କୁହାଯାଏ ଯେ, ସାଧାରଣ ଫୁଡ଼୍ ତୁଳନାରେ ଅର୍ଗାନିକ୍ ଫୁଡ଼ରେ ଅଧିକ ପରିମାଣର ପୋଷକ ତତ୍ତ୍ୱ ରହିଥାଏ। ହାର୍ଭାଡ ମେଡିକାଲ ସ୍କୁଲ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ ଚା’ରେ ରହିଥିବା ରାସାୟନିକ ତତ୍ତ୍ୱ ସଂକ୍ରମଣରେ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ସେହିଭଳି ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ତେଣୁ ଚା' ଖାଇବା ନିହାତି ଜରୁରି। ତେବେ ଗ୍ରୀନ୍ ଟି' ହେଲେ ସବୁଠୁ ଭଲ। ଖାଦ୍ୟରେ ନିୟମିତ ରସୁଣ, ଅଦା, ହଳଦୀ ଆଦି ସାମିଲ କରିବା ଆବଶ୍ୟକ। ଏଗୁଡ଼ିକର ରୋଗପ୍ରତିରୋଧକ ଶକ୍ତି ରହିଛି । ଅତ୍ୟଧିକ ମାନସିକ ଚାପରେ ରୁହନ୍ତୁ ନାହିଁ କିମ୍ବା ହତାଶ ହୁଅନ୍ତୁ ନାହିଁ। ଚାପରେ ରହିବା କିମ୍ବା ହତାଶବୋଧ ଦ୍ୱାରା ଶରୀରର ଇମ୍ୟୁନ ସିଷ୍ଟମ ଦୁର୍ବଳ ହୋଇଥାଏ। ଏହିସବୁ ବିଷୟକୁ ଗୁରୁତ୍ୱ ଦେଲେ ଜଣେ ଯେ ନିଶ୍ଚିତ ଭାବରେ ସୁସ୍ଥ, ସବଳ ଜୀବନ ଯାପନ କରିପାରିବ ସେକଥା ବିନା ଦ୍ୱିଧାରେ କୁହାଯାଇପାରିବ।
ମୋ: ୯୪୩୭୦୨୩୪୪୩
Samir Kumar Rout