ଶ୍ରୀଜଗନ୍ନାଥଙ୍କ ହେରାପଞ୍ଚମୀ ଯାତ୍ରା
ପ୍ରସନ୍ନ କୁମାର ମିଶ୍ର : ମର୍ତ୍ତ୍ୟମଣ୍ଡଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଲକ୍ଷ୍ମୀ ଠାକୁରାଣୀ ମାନବୀୟ ଲୀଳା ପ୍ରଦର୍ଶନ ମାଧ୍ୟମରେ ସମାଜର ଚାଲିଚଳଣି, ଆଚାର ବ୍ୟବହାର ଓ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ସଂପର୍କ ଆଦିର ପ୍ରତୀକାତ୍ମକ ପରିପ୍ରକାଶ ହେଉଛି ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ସମୟରେ ଆଷାଢ଼ ଶୁକ୍ଳପକ୍ଷ ଷଷ୍ଠୀ ଦିନ ପାଳିତ ହେଉଥିବା ‘ହେରାପଂଚମୀ ଯାତ୍ରା' । ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ବଡ଼ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଥିରେ ଧରି ଗୁଣ୍ଡିଚାଘର ଅଭିମୁଖେ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେକଲେ । ଦୁଇଦିନ କାଳ ମନମାରି ବସି ରହିବା ପରେ ନିଜର ଦୁଃଖ ନିବାରଣ ନିମନ୍ତେ ବଡ଼ ଭଉଣୀ ସଦୃଶ୍ୟା ‘ବିମଳା' ଓ ସାନ ଭଉଣୀ ‘ସରସ୍ୱତୀ'ଙ୍କ ନିକଟରେ ସମସ୍ତ ବିଷୟ ବର୍ଣ୍ଣନା କରି ଏହାର ପ୍ରତିକାର ଆଶା କରନ୍ତି । ତାଙ୍କୁ ସାନ୍ତ୍ୱନା ଦେଇ ବିମଳା କହନ୍ତି, ଯଦି ସ୍ୱାମୀ ବିବେକଶୂନ୍ୟ ହୋଇ କୌଣସି ଅକର୍ମ କରନ୍ତି, ଉଚିତ୍ ମାର୍ଗ ପ୍ରଦର୍ଶନ ପାଇଁ ତାଙ୍କୁ ଉଚ୍ଚାଟିତ କରିବାକୁ ପଡିଥାଏ । ସେଥିପାଇଁ ସେ ମହାଲକ୍ଷ୍ମୀଙ୍କୁ କିଛି ‘ମନ୍ତ୍ରିତ ମୋହଚୂର୍ଣ୍ଣ' ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବାପାଇଁ ପରାମର୍ଶ ଦିଅନ୍ତି ।
ମହାଲକ୍ଷ୍ମୀ ହେଉଛନ୍ତି ଅସାଧାରଣ । ସୁତରାଂ ତାଙ୍କର କ୍ରୋଧ ମଧ୍ୟ ଅସାଧାରଣ । ସେଥିପାଇଁ ଷଷ୍ଠୀ ଦିନ ମଧ୍ୟାହ୍ନ ଧୂପ ପୂର୍ବରୁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ବିଜେ ମହାଲକ୍ଷ୍ମୀ ମାଜଣା ,ସ୍ନାନ, ବନକ ଲାଗି (ଶ୍ରୀମୁଖ ସିଂହାର ନୀତି),ପାଟଶାଢ଼ି ଓ ପୁଷ୍ପ ଅଳଙ୍କାରରେ ଭୂଷିତ ହୁଅନ୍ତି । ପନ୍ତି ଭୋଗ ପରେ ଠାକୁରାଣୀଙ୍କୁ କଳ୍ପବଟ ମୂଳରେ ରଖାଯାଇଥିବା ପାଲିଙ୍କିରେ ବିଜେ କରାଇ ଅପୂର୍ବ ଐଶ୍ୱର୍ଯ୍ୟ ପ୍ରଦର୍ଶନ ପୂର୍ବକ ଘଂଟ, ଛତା, କାହାଳୀ ଓ ବାଜାର ବିରାଟ ପଟୁଆରରେ ଆଡ଼ମ୍ବର ସହ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଯାତ୍ରା କରାଯାଏ । ସେଠାରେ ନନ୍ଦିଘୋଷ ରଥ ପାଶ୍ୱର୍ରେ ପାଲିଙ୍କି ପହଂଚିଲା ପରେ ପତିମହାପାତ୍ର ସେବକ ଠାକୁରାଣୀଙ୍କ ପ୍ରସାଦ ଲାଗି (ଏକ ପ୍ରକାର ବସ୍ତ୍ର), ବନ୍ଦାପନା ଓ ଆଲଟ ଚାମର ସହିତ ଘସା ବିଡ଼ିଆ ଓ ଦହିପଟି ମଣୋହି କରିଥାଆନ୍ତି । ଇତି ମଧ୍ୟରେ ଗୁଣ୍ଡିଚା ମନ୍ଦିର ଭିତରେ ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ବଢ଼ି (ସମାପ୍ତ) ଜଗନ୍ନାଥଙ୍କ ବାଡ଼ରେ ବିଶେଷ ପଂଚାମୃତ ମହାସ୍ନାନ ଓ ସର୍ବାଙ୍ଗ ଆଦି ନୀତି ଅନୁଷ୍ଠିତ ହେଉଥାଏ ।
ହେରାପଂଚମୀର ପୂର୍ବଦିନ ଶ୍ରୀଗୁଣ୍ଡିଚା ଘରେ ଠାକୁରମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହି ‘ବନକ' ହେଉଛି - ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ, କଳା ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ ପ୍ରଲେପ, ଏହାକୁ ‘ଶ୍ରୀମୁଖ ସିଂହାର' ମଧ୍ୟ କୁହାଯାଏ ।
ମହାପ୍ରଭୁଙ୍କ ସଂଧ୍ୟାଧୂପ ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀଙ୍କୁ ଗୁଣ୍ଡିଚା ମନ୍ଦିର ଭିତର ଜଗମୋହନ ନିକଟବର୍ତ୍ତୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରାଯାଏ । ସେଠାରେ ମହାଲକ୍ଷ୍ମୀଙ୍କ ତରଫରୁ ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ନୀତି ପରେ ମହାପ୍ରଭୁଙ୍କର ଜଣେ ସେବକ ‘ଶ୍ରୀମନ୍ଦିରକୁୁ ଶୀଘ୍ର ଫେରି ଯିବା ପ୍ରତିଶ୍ରୁତିର ସଂକେତ' ସ୍ୱରୂପ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଖଣ୍ଡିଏ ଆଜ୍ଞାମାଳ ଆଣି ଠାକୁରାଣୀଙ୍କୁ ଦିଅନ୍ତି । ଏହାପରେ ପରେ ମହାଲକ୍ଷ୍ମୀଙ୍କୁ ଧୂପ, ଦୀପ ଦିଆଯାଏ ଓ ଠାକୁମାନଙ୍କର ସଂଧ୍ୟାଧୂପ ନିମନ୍ତେ ଟେରା(ଆଢୁଆଳ ପାଇଁ କନାର ପରଦା) ପଡିଯାଏÿ । ଏଥିରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ମନେ କରନ୍ତି । କ୍ରୋଧିତ ମହାଲକ୍ଷ୍ମୀଙ୍କ ଉଗ୍ରରୂପ ଦେଖି ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ବନ୍ଦ କରିଦିଆଯାଏ । ଏହାପରେ ମହାଲକ୍ଷ୍ମୀ ନିଜସ୍ୱ ବିମାନରେ ନନ୍ଦିଘୋଷ ରଥ ନିକଟକୁ ନାକଚଣା ଦ୍ୱାର ବାଟେ ଲୁଚିକରି ଆସନ୍ତି । ସେଠାରେ ମହାଲକ୍ଷ୍ମୀଙ୍କ ଆଦେଶରେ ସେବକମାନେ ରଥର କାଠ ଖଣ୍ଡିଏ ଭାଙ୍ଗି ଦିଅନ୍ତି ଓ ସାରଥୀଙ୍କର ଲୁଗା ଚିରି ଦେବାପରେ ସିପାହୀମାନଙ୍କର ଭୟରେ ନିକଟସ୍ଥ ତେନ୍ତୁୁଳି ଗଛମୂଳେ ଲୁଚି ରହନ୍ତି । କିଛି ସମୟ ପରେ ମହାଲକ୍ଷ୍ମୀ ନିଃଶବ୍ଦରେ(ଘଂଟ ବାଜା ଓ କାହାଳୀ ବିନା) ଲୁଚି ଲୁଚି ବଡ଼ଦାଣ୍ଡ ବାଟେ ନ ଫେରି ହେରାଗୋହିରୀ ସାହି ଓ ମରିଚକୋଟ ରାସ୍ତାରେ ଶ୍ରୀମନ୍ଦିର ବାହୁଡି ଯାଆନ୍ତି । ମହାଲକ୍ଷ୍ମୀଙ୍କ କ୍ରୋଧ ଓ ହେରାପଂଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରାର ଫଳସ୍ୱରୂପ ମହାପ୍ରଭୁ ନିଜର ପ୍ରତିଶ୍ରୁତି ରକ୍ଷା କରି ବାହୁଡ଼ା ପାଇଁ ପରଦିନ ହିଁ ରଥଗୁଡ଼ିକର ‘ଦକ୍ଷୀଣି ମୋଡ' ପାଇଁ ଆଦେଶ ଦେଇଥାନ୍ତିି ।
ଶ୍ରୀମନ୍ଦିରରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମହାଲକ୍ଷ୍ମୀ ଠାକୁରାଣୀ କେବଳ ଆମପାଇଁ ପୂଜିତ ଦେବାଦେବୀ ନୁହଁନ୍ତି, ସମାଜରେ ଓଡ଼ିଆ ଘରର ସ୍ୱାମୀ, ସ୍ତ୍ରୀର ସଂପର୍କ ଓ ଚାଲିଚଳଣିର ପ୍ରତୀକ ମଧ୍ୟ ।
ପୁରୀ ମୋ: ୮୦୧୮୮୭୫୩୩୫୪୫୮